ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): କଟକ ସହରର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି। ଚଳିତବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରୁ ସହରର ତାପମାତ୍ରା ୩୯ ଡିଗ୍ରୀକୁ ଛୁଇଁଲାଣି। କଂକ୍ରିଟ ଜଙ୍ଗଲ ଓ କଳା ପିଚୁ ରାସ୍ତାରେ ଉତ୍ତାପ ପ୍ରତିଫଳିତ ହୋଇ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଅସହ୍ୟ ଜ୍ୱାଳା ଯନ୍ତ୍ରଣାରେ ଛଟପଟ ଜନସାଧାରଣ ରୈାଦ୍ର‌୍ୟ ତାପରୁ ଟିକିଏ ଶାନ୍ତି ପାଇବା ନିମନ୍ତେ ଟାଣି ହୋଇଯାଉଛନ୍ତି ଗ୍ରୀଷ୍ମ ଋତୁରେ ଉପଲବ୍ଧ ହେଉଥିବା ବିଭିନ୍ନ ଦେଶୀ ପାନୀୟ ଆଡ଼କୁ। ତେଣୁ ସହରର ବିଭିନ୍ନ ସର୍ବତ, ଲସି, ତରଭୂଜ, ଆଖୁ ରସ, ପଇଡ଼, ପୁଦିନା ପାଣି ଆଦି ଦୋକାନରେ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।

ସାଧାରଣତଃ ଶିବରାତ୍ରୀଠାରୁକଟକ ସହରର ବିଭିନ୍ନ ଛକସ୍ଥାନ ଓ ଗଳିକନ୍ଦିରେ ଖୋଲାଯାଇଥାଏ ସର୍ବତ, ଲସିର ଦୋକାନ। ବଡ଼ ବଡ଼ ଗ୍ୟାସରେ ବସା ଦହି, ରାବିଡ଼ି, ଚିନି ସିରା, କାଜୁ, କିସମିସ, ଚେରୀ, ନଡ଼ିଆ କୋରା ସାଙ୍ଗକୁ ବରଫଗୁଣ୍ଡ ମିଶ୍ରିତ ହୋଇ ସର୍ବତ ଲସି ଭଳି ମୃଦୁ ପାନୀୟ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ଗିଲାସେ ଦହି ସର୍ବତ ପାଇଁ ଗ୍ରାହକମାନଙ୍କୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ରାବିଡି ସର୍ବତ ଗ୍ଲାସର ଦାମ ରହିଛି ୭୦ ଟଙ୍କା। ମୁଣ୍ଡଫଟା ଖରାରୁ ଆସି ଏହି ସର୍ବତ କିମ୍ବା ଲସି ପିଇଲେ ଦେହ ମନକୁ ଶାନ୍ତ ଓ ଶୀତଳ କରୁଛି ବୋଲି ବହୁ ଗ୍ରାହକ କହିଛନ୍ତି। ତେଣୁ ପ୍ରତ୍ୟେକ ସର୍ବତ ଓ ଲସି ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଜମୁଛି।

ସେହିପରି ଆଖୁରସକୁ ମଧ୍ୟ ଗ୍ରାହକମାନେ ବେଶ୍ ପସନ୍ଦ କରୁଛନ୍ତି। ଆଖୁରସର ନିଆରା ସ୍ୱାଦକୁ ଉପଭୋଗ କରିବା ପାଇଁ ଆଖୁରସ ଗାଡ଼ି ନିକଟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ପଥଚାରୀଙ୍କ ଭିଡ଼ ଲାଗୁଛି। ଗୋଟିଏ ଗ୍ଲାସ ଆଖୁରସର ଦାମ ୧୦ରୁ ୧୫ ଟଙ୍କା ମଧ୍ୟରେ ରହିଛି। ଏହାସହିତ ତରଭୂଜ ଓ ପଇଡ଼ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ଗ୍ରାହକମାନେ। ଚଳିତ ବର୍ଷ ଗୋଟିଏ ପଇଡ଼ର ଦାମ ୨୦ରୁ ୨୫ ଟଙ୍କା ରହିଛି। ଲାଲ ଟହ ଟହ ତରଭୂଜର ସ୍ୱାଦକୁ ଚାଖିବା ପାଇଁ ଗ୍ରାହକମାନେ ଟାଣିହୋଇଯାଉଛନ୍ତି ତରଭୂଜ ଦୋକାନ ଆଡ଼କୁ। ତରଭୂଜ କେଜି ପ୍ରତି ୧୫ରୁ ୨୦ ଟଙ୍କା ରହିଛି।

ଲେମ୍ବୁ ପାଣି ଓ ପୁଦିନା ପାଣିର ମଧ୍ୟ ବେଶ ଚାହିଦା ରହିଛି ଗ୍ରାହକମାନଙ୍କ ମଧ୍ୟରେ। ୧୦ଟଙ୍କା ଦେଇ ପୁଦିନା ପାଣି ଓ ୫ଟଙ୍କା ଦେଇ ଲେମ୍ବୁ ପାଣିକୁ ପିଇବା ପାଇଁ ଗ୍ରାହକମାନେ ବେଶ ଆକର୍ଷିତ ହେଉଛନ୍ତି।

ଏଥିସହିତ ଗ୍ରୀଷ୍ମ ଋତୁରେ ଉପଲବ୍ଧ ହେଉଥିବା କାକୁଡ଼ି, ବେଲ, ପିଜୁଳି, ତରଭୂଜ, ପାଚିଲା ଅମୃତଭଣ୍ଡାକୁ ମଧ୍ୟ ଗରାଖ ବେଶ ଆଦର କରୁଛନ୍ତି। ପିଜୁଳି କେଜି ପ୍ରତି ୭୦ ଟଙ୍କା ରହିଥିବା ବେଳେ କାକୁଡ଼ି କିଲୋ ରହିଛି ୩୦ ଟଙ୍କା। ସେହିପରି ବେଲ ଗୋଟିକର ଦାମ୍ ୨୦ରୁ ୩୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଖରଭୂଜ କିଲୋ ୬୦ ଟଙ୍କା ରହିଛି। ସେହିପରି ପାଚିଲା ଅମୃତଭଣ୍ଡା କେଜି ୪୦ ଟଙ୍କା ରହିଥିଲା ବେଳେ ପାଚିଲା ଆମ୍ବ କେଜି ୧୨୦ଟଙ୍କା ରହିଛି। ଏହାଛଡ଼ା ୨୦ଟଙ୍କା ବିଶିଷ୍ଟ ଫୁଡ ସାଲାଡ ପ୍ଲେଟକୁ ଗ୍ରାହକମାନେ ବେଶ ପସନ୍ଦ କରୁଛନ୍ତି ବୋଲି ବେପାରୀ ଚନ୍ଦ୍ରମଣି ସାହୁ କହିଛନ୍ତି। ସେହିପରି ଫଳ ରସ ଓ ଅନ୍ୟାନ୍ୟ ବହୁରାଷ୍ଟ୍ରୀୟ ମୃଦୁ ପାନୀୟକୁ ମଧ୍ୟ ଯୁବପୀଢି ବେଶ ପସନ୍ଦ କରୁଛନ୍ତି।

ଚଳିତବର୍ଷ ରୈାଦ୍ରତାପର ମାତ୍ରା ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରୁ ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ଏବର୍ଷ ସର୍ବତ, ଲସି, ତରଭୂଜ ଆଦିର ବ୍ୟବସାୟ ଭଲ ହେବ ବୋଲି ଦୋକାନୀମାନେ ଆଶା ବାନ୍ଧି ରହିଛନ୍ତି।

Comment