ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ହିସାବ କିତାବ ଚାଲିଥିବା ବେଳେ ବିଜେପିର ରୁଦ୍ର ନାରାୟଣ ପାଣିଙ୍କ ଏଥର ଜିତିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ତଥାଗତ ସତପଥୀ ନିର୍ବାଚନ ମଇଦାନରୁ ଓହରି ଯାଇଥିବାରୁ ରୁଦ୍ରଙ୍କ ପଲ୍ଲା ଭାରି ରହିଛି।

ଢେଙ୍କାନାଳରୁ ଶାସକ ବିଜେଡିର ଯେଉଁମାନେ ପ୍ରାର୍ଥୀ ହୋଇ ପାରନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନ ସାଂସଦ ଥିବା ନଗେନ୍ଦ୍ର ପ୍ରଧାନ। ତାଛଡ଼ା ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସଦସ୍ୟ ଥିବା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାମ ବି ତାଲିକାରେ ଅଛି। ତେବେ ପୂର୍ବତନ ବିଧାୟକ ସୁଧୀର ସାମଲ ହିଁ ବିଜେଡି ଟିକେଟ ଦୌଡ଼ରେ ଆଗୁଆ ଥିବା ଜଣାପଡ଼ିଛି।

ଆଉ ଏକ ସୂତ୍ର କହୁଛି ଯେ ନବୀନ ଏଥର ଢେଙ୍କାନାଳ ପାଇଁ  ଜଣେ ନୂଆ ମୁହଁର ସନ୍ଧାନରେ ଅଛନ୍ତି। ତେବେ ଢେଙ୍କାନାଳରେ ବିଜେଡିର ଯିଏ ପ୍ରାର୍ଥୀ ହୁଅନ୍ତୁ ନା କାହିଁକି ତାଙ୍କ ଜିତିବା ଏତେ ସହଜ ହେବ ନାହିଁ। ଏହାର କାରଣ ବିଜେପିର ରୁଦ୍ର ପାଣି ଓ କଂଗ୍ରେସର କାମାକ୍ଷା ପ୍ରସାଦ ସିଂଦେଓ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ।

ଦୀର୍ଘ ବର୍ଷ ଧରି ଏମାନେ ଢେଙ୍କାନାଳ ରାଜନୀତିରେ ଆତଯାତ ହୋଇ ଆସିଛନ୍ତି। ଯେହେତୁ ତଥାଗତ ଲଗାତାର ଏହି ଆସନରୁ ଜିତି ଆସୁଥିଲେ ଓ ତାଙ୍କର ସ୍ଥାନୀୟ ରାଜନୀତିରେ ଅନ୍ୟ ରକମର ଦବଦବା ଥିଲା। ଏଥିପାଇଁ ରୁଦ୍ର ପାଣି ଓ କାମାକ୍ଷା ସିଂହଦେଓଙ୍କ ପକ୍ଷରେ ଏଠାରୁ ଜିତିବା କଷ୍ଟକର ହେଉଥିଲା।

ଏଥର କିନ୍ତୁ ସେହି ସ୍ଥିତି ନାହଁ। ଯଦି  ବି ବିଜେଡି ପକ୍ଷରୁ ଜଣାଶୁଣା ମୁହଁକୁ ମଇଦାନକୁ ଛଡ଼ାଯାଏ ବିଜେପିର ରୁଦ୍ର ପାଣିଙ୍କୁ ହରାଇବା କଷ୍ଟ। ରୁଦ୍ର ପାଣି କେବଳ ଲୋକପ୍ରିୟ ନୁହନ୍ତି ତାଙ୍କ ଲୋକସମ୍ପର୍କ ବି ଭଲ।

ବିଜେପି ଚାହୁଁଛି ଏଥର ଯେ କୌଣସି ପ୍ରକାର ଢେଙ୍କାନାଳ ଲୋକସଭା ଆସନକୁ ନିଜ ଦଖଲକୁ ଆଣିବ।

Comment