ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଶା ଓ ଓଡ଼ିଆ (୫)

ଆଗକୁ ଆଲୋଚନା ଯିବା ପୂର୍ବରୁ ଦୁଇଟି କଥା ମନେ ରଖିବାକୁ ହେବ। ଏ’ ପର୍ଯ୍ୟନ୍ତ ଯାହାକୁ ଆମେ ଓଡ଼ିଆ ଭୂଇଁ ବୋଲି କହୁଥାଇଁ, ତା’ ଓଡ଼ିଶାର ପର୍ବତାଞ୍ଚଳ। ମୋଟାମୋଟି ତା’ ମହାନଦୀର ଅବବାହିକା କଥା। ଉତ୍ତରରେ ନର୍ମଦା, ଦକ୍ଷିଣରେ ଗୋଦାବରୀ ଏବଂ ମଝିରେ ମହାନଦୀ – ଏ’ ହେଲା ଭାରତବର୍ଷର ମଧ୍ୟଦେଶ। ତା’ସାଙ୍ଗରେ ସୁବର୍ଣ୍ଣରେଖା ନଈ ଏବଂ ଝାଡ଼ଖଣ୍ଡ ରାଜ୍ୟକୁ ସାମିଲ କରାଗଲା। ଏ’ଆକ୍ରାନ୍ତ ଦେଶ ହେଲା ଭାରତ ସଭ୍ୟତାର ବୀଜଭୁଈଁ। ବିଭିନ୍ନ ବିଶ୍ୱାସ, ଠାକୁର, ଧର୍ମ, ପାଣି, ପବନ, ମାଟିରଆଦର – ଏହିଠାରୁ ହିଁ ସୃଷ୍ଟି।

ଏ’ମଧ୍ୟଦେଶରେ କି’ ପ୍ରକାର ଭାଷାର ଆରମ୍ଭ ହେଲା ଏବଂ ପ୍ରଚଳନ ହେଲା, ତା’ଗବେଷଣା ହୋଇନାହିଁ।  ପୃଥିବୀର ବିଭିନ୍ନ ବଡ଼ ଭାଷାମାନଙ୍କରେ ବର୍ତ୍ତମାନ ଚଳୁଥିବା ଶବ୍ଦ ସବୁ ବେଦରୁ ସଂଭୂତ ହୋଇଛି ବୋଲି ବିଜ୍ଞାନୀମାନଙ୍କର ମତ। ତେବେ ଏହି ମଧ୍ୟଦେଶର ଚଳଣିରୁ ଶବ୍ଦ ଉତ୍ପନ୍ନ ହୋଇ ବେଦରେ ସାମିଲ୍ ହୋଇଛି ବୋଲି ଅନୁମାନ କରାଯାଏ। ଏହାର କାରଣ – ଏହି ଶବ୍ଦମାନଙ୍କର ମୌଳିକ ଅର୍ଥ ଏବେ ମଧ୍ୟ ଭାରବର୍ଷର ଲୋକସମାଜରେ ପ୍ରଚଳିତ ଅଛି। ସେ’ ପ୍ରସ୍ତୁତି ମନୁଷ୍ୟର ଇତିହାସ ଗତ ବୋଲି ଭାଷା ବିତ୍ମାନଙ୍କର ମତ।

ଯେଉଁ ସବୁ ପ୍ରସଙ୍ଗର କଥା ଆଗ ଲେଖାମାନଙ୍କରେ ଆମେ କହିଥାଇଁ, ସେ’ ସବୁ ଶବ୍ଦ ବର୍ତ୍ତମାନର ପ୍ରଚଳିତ ଶବ୍ଦ – ସେମାନଙ୍କର ଆଗ ରୂପ ଆମେ ଜାଣିନାହୁଁ। ତେବେ ଶବ୍ଦ ଓ ସଜ୍ଞା ଥରେ ତିଆରି ହେଲେ କ୍ଷୟ ହୁଏନାହିଁ, କେବଳ ରୂପାନ୍ତରିତ ହୋଇପାରେ। ମଣିଷ ମଣିଷ ଭିତରେ ଯୋଗାଯୋଗ ଏ’ ରୂପାନ୍ତରର କାରଣ। କିନ୍ତୁ ବସ୍ତୁ ସଂଜ୍ଞା କଥା ଅଲଗା। ଗାଈର କ୍ଷୀରକୁ ରସ, ନିତିଆନି, ଦୁଧ ଇତ୍ୟାଦି କହିବା ଆଞ୍ଚଳିକ ପରିବର୍ତ୍ତନ। ବସ୍ତୁର ନାମ ପରିବର୍ତ୍ତନରେ ଭାଷା ସୃଷ୍ଟି ହୁଏନାହିଁ, ବାକ୍ୟ ବ୍ୟବହାରରେ ଭାଷାର ସୃଷ୍ଟି। ବାକ୍ୟରେ କର୍ତ୍ତା, କ୍ରିୟା, କାଳ, କାରକ ଓ ବିନ୍ୟାସ ପ୍ରୟୋଗକୁ ବ୍ୟାକରଣ କୁହାଯାଏ। ବ୍ୟାକରଣ ଯୋଗୁଁ ହିଁ ଭାଷା। ମନୁଷ୍ୟର ଭାବଗତ ବ୍ୟାକରଣ ଅଛିକି ନାହିଁ, ତା’ର ସଂପୂର୍ଣ୍ଣ ଆଲୋଚନା ହୋଇନାହିଁ। ସବୁ ବ୍ୟାକରଣ ଭାଷାଗତ।

ଆମ ଓଡ଼ିଶା କାହାଣୀରେ ଆଗକୁ ବଢ଼ିବା। ଭୂଇଁ, ଠାକୁରାଣୀ, ସୁଖ, ଦୁଃଖ, କାଳ ଓ ଚକର ପ୍ରତ୍ୟୟ ଆସିଲା ପରେ ମନୁଷ୍ୟର ସ୍ୱଭାବ ଓ ଅଭାବ କଥାଉଠିଲା। କେହି ଲୋକ ସ୍ୱାସ୍ଥ୍ୟବାନ୍ତ କେହି ଦୁର୍ବଳ, କେହି ଚାଲାକ ତ କେହି ବୋକା, କେହି କାମିକା ତ କେହି ଅଳସୁଆ – ସମାଜରେ ଏ’ ବୈଷମ୍ୟ ବୁଝି ହେଲା ନାହିଁ। ସବୁ ଲୋକଙ୍କର ଜୀବନ ମଧ୍ୟ ସମାନ ନୁହେଁ। ଏହା ଭିତରେ କ’ଣ ତଥ୍ୟ ଅଛି?

ଏହି ପ୍ରକାରର ପ୍ରସଙ୍ଗକୁ ପୃଥିବୀର ପରିପ୍ରେକ୍ଷୀରେ ଅନୁଶୀଳନ କରିବା ଆମ ଦେଶବାସୀଙ୍କର ମନୁଷ୍ୟର ପ୍ରାକୃତିକ ସମାଜକୁ ଗୋଟିଏ ବଡ଼ ଅବଦାନ। ନିଜର ବିଲକ୍ଷଣ ନିମିତ୍ତ ଅନ୍ୟ କାହାକୁ ଦୋଷ ନଦେଇ ନିଜେ ଦାୟିତ୍ଵ ନେବା ହେଲା ଆମ ସମାଜର ପ୍ରଥମ ମୌଳିକ ଚିନ୍ତାଧାରା। ଆପଣା ଦୁରବସ୍ଥା ଆମ ନିଜର, ଏଥିରେ ଅନ୍ୟ କାହାକୁ କାହିଁକି ଅଭିଯୁକ୍ତ କରିବା ? ମନୁଷ୍ୟ ଏକୁଟିଆ ଜନ୍ମ ହୋଇ ପୁଣି ଏକୁଟିଆ ମରିବା ଆମେ ଦେଖୁଥାଇଁ। ମନୁଷ୍ୟ ଏକୁଟିଆ ନିଶ୍ୱାସ ନିଏ, ନିଜ ଭୋକ ନିଜେ ମାରେ, ନିଜ ତୃଷା ନିଜେ ମେଣ୍ଟାଏ, ପୁଣି ନିଜେ କେବେ ଅସୁସ୍ଥ ହୁଏ! ଏ’ସବୁ ବ୍ୟକ୍ତିଗତ ହେଲା ଫଳରେ ଅନ୍ୟ ଗୁଣ ସବୁ ପାଇଁ ଆଉ କାହାକୁ ଦୋଷ ଦେବାକୁ ଲୋକେ ଠିକ୍‌ ଭାବିଲେ ନାହିଁ।  ଆମେ ବୁଝି ରଖିବା ଉଚିତ ଯେ’ ଏ’ପ୍ରକାରର ପରିସ୍ଥିତିକୁ ବେଦରେ ଜ୍ୟୋତିଷ ଗ୍ରହଫଳ ବୋଲି ପରେ କୁହାଗଲା।

ଆପଣା ଦୁଃଖ ଯେ ଆପଣା ଭିଆଣ – ଏହା ଏ’ଭୂଇଁ ମଣିଷର ପ୍ରଥମ ଧର୍ମଗତ ବିଶ୍ୱାସ। ନିଜର ଦୁଃଖ, ରୋଗ, ଶୋକ, ଏବଂ ଅସୁବିଧା ପାଇଁ ଅନ୍ୟ କେହି ଦାୟୀ ନୁହେଁ – ଆମେ ନିଜେ ହିଁ ଦାୟୀ! ସବୁ କାର୍ଯ୍ୟର କାରଣ ଅଛି, ଏବଂ ସେ’ କାରଣ ହେଲା ଆମ ନିଜର କରଣି। ଏ’ ନିଜ କରଣିକୁ “କର୍ମ” ବୋଲି କୁହାଗଲା। ସଂସାରରେ ସଭିଙ୍କର “କର୍ମ” ଅଛି! ଆମର ଚଲାବୁଲା, ବସାଉଠା, କଥାକୁହା ବା ଉତ୍ତେଜନା – ସବୁହେଲା “କର୍ମ”। ଆଗକୁ ଯାହା ଅମେ ଭୋଗୁଁ, ତା’ କେବଳ ଆମର ”କର୍ମ”ର ପରିଣାମ! କେଉଁ ̍”କର୍ମ” କିପରି ଭୋଗ ଦେବ, ତାହା ଆମେ କହିପାରିବା ନାହିଁ। କିନ୍ତୁ ଯାହା ଭୋଗୁଛୁ, ତା’ “କର୍ମଫଳ” ବୋଲି ଆମେ କହି ପାରିବା!

“କର୍ମ”ଟା ଗୋଟିଏ ଗଛ! ଏ’ଗଛର ଚେର ଅଛି, ଶାଖା ଅଛି। ଗୋଟିଏ ଚେରରୁ ଆଉ ଗୋଟିଏ ଚେର, ଗୋଟିଏ “କର୍ମ”ରୁ ଆଉ ଗୋଟିଏ “କର୍ମ”। ଗୋଟିଏ ଶାଖା ଗୋଟାଏ ଆଡ଼େ ଗଲା ବେଳକୁ ଅନ୍ୟ ଶାଖା ଅନ୍ୟ ଆଡ଼େ ଯାଏ! ଏ’ ଶାଖାମାନେ ଯୋଡ଼ା ହୋଇଥିଲେ ମଧ୍ୟ ଅଲଗା ଅଲଗା ପରି ଜଣାପଡ଼ନ୍ତି! ଏ’ ଗଛର ‘ଫଳ’ ହେଲା ମଣିଷର ଭୋଗ! ‘ଫଳ’ ମଧୁର ହୋଇପାରେ, ବା କଟୁ ହୋଇପାରେ! ଗଛର ସବୁ ‘ଫଳ’ ସମାନ ନୁହେଁ। ଯେପରି ‘କର୍ମ’, ସେପରି ‘ଫଳ’!

Comment