ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଆକାଶରେ ଉଡ଼ିପାରିବନି ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ। ଏଭଳି କଟକଣା ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଏନେଇ କଟକଣା ଜାରି କରିବା ସହ ଏକ ଜରୁରୀ ବୈଠକ ମଧ୍ୟ ଡକାଯାଇଛି। ବିମାନ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ ନହେବା ଯାଏଁ ଭାରତରେ ଉଡ଼ାଣ ଅନୁମତି ଦିଆଯିବ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଡେଲ ବିମାନ ଚଳାଉଥିବା ଏୟାରଲାଇନ୍ସ, ଏୟାରକ୍ରାଫ୍ଟ ନିର୍ମାଣକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି ଡିଜିଏସ୍‌ଇ ପକ୍ଷରୁ କୁହାଯାଇଛି।

୫ମାସ ଭିତରେ ଏହି ମଡେଲର ଦୁଇଟି ବିମାନ ଦୁର୍ଘଟଣା ପରେ ଏହାର ନିରାପତ୍ତା ନେଇ ପ୍ରଶ୍ନ ଉଠିଛି। ମାର୍ଚ୍ଚ ୧୦ ରବିବାର ଇଥିଓପିଆ ଏୟାରଲାଇନ୍ସର ବୋଇଂ-୭୩୭ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୪ ଭାରତୀୟଙ୍କ ସମେତ ୧୫୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଅକ୍ଟୋବର ୨୯, ୨୦୧୮ରେ ଇଣ୍ଡୋନେସିଆର ଏାୟନ ଏୟାର କମ୍ପାନିର ଏହି ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଜାଭା ସମୁଦ୍ରରେ ଖସି ପଡ଼ିଥିଲା। ଯାହାଫଳରେ ୧୮୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

ଇଥିଓପିଆ ଦୁର୍ଘଟଣା ପରେ ଚୀନ୍, ଇଣ୍ଡୋନେସିଆ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ମଙ୍ଗୋଲିଆ ସହ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏହି ମଡେଲର ସବୁ ବିମାନ ଚଳାଚଳକୁ ବନ୍ଦ କରିଦେଇଛନ୍ତି। ସେହିପରି ଦୁର୍ଘଟଣା ପରେ ଇଥିଓପିୟାନ୍ ଏୟାରଲାଇନ୍ସ ଏହି ମଡେଲର ବିମାନ ଚଳାଚଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି।

Comment