ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବେଗୁନିଆ ଆସନରେ ପୃଥ୍ୱୀବଲ୍ଲଭଙ୍କୁ ନେଇ ଅଙ୍କ କଷୁଛି କଂଗ୍ରେସ।

କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ନୂଆଦିଲ୍ଲୀରେ କସରତ ଚାଲିଥିବା ବେଳେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କିଛିଦିନ ହେଲା ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନାଁକୁ ନେଇ ଅଙ୍କ କଷା ଯାଉଛି।

ପୃଥ୍ୱୀବଲ୍ଲଭ ଏହି ଆସନରୁ ଲଢ଼ିଲେ କଂଗ୍ରେସ ପାଇଁ ଫାଇଦା ହେବେ ଏବଂ ସେ ହିଁ ବିଜେଡିକୁ ଟକ୍କର ଦେଇ ପାରିବେ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ଲଢ଼ିବା ପାଇଁ ପୃଥ୍ୱୀବଲ୍ଲଭ ମଧ୍ୟ ବୋଲଗଡ଼-ବେଗୁନିଆର ବିଭିନ୍ନ ଗାଁକୁ ଯାଇ ଲୋ କ ସମ୍ପର୍କ ରଖୁଛନ୍ତି।

ଗତକାଲି ପୃଥ୍ୱୀବଲ୍ଲଭ କହିଥିଲେ, “ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ କର୍ମୀ ମଧ୍ୟ ମତେ ଭଲ ପାଉଛନ୍ତି। ହେଲେ ପ୍ରାର୍ଥିତ୍ୱକୁ ନେଇ କିଛି ଚୂଡ଼ାନ୍ତ ହୋଇନି। କଂଗ୍ରେସକୁ ସୁଦୃଢ଼ କରି ମୁଁ ଏକାଠି କରିବାକୁ ଚାହୁଁଛି।”

ପୃଥ୍ୱୀବଲ୍ଲଭଙ୍କ ଏହି ମନ୍ତବ୍ୟରୁ ଜଣାପଡ଼ୁଥିଲା ଯେ ସେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଅଛନ୍ତି। କିନ୍ତୁ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୃଥ୍ୱୀବଲ୍ଲଭଙ୍କ ଆଗ୍ରହରେ ପାଣି ଢାଳି ଦେଇଛନ୍ତି। ପୃଥ୍ୱୀବଲ୍ଲଭଙ୍କ ନିର୍ବାଚନ ଲଢ଼ିବା ନେଇ ଆଗ୍ରହ ନଥିବା କହି ନିରଞ୍ଜନ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି।

ତେବେ ପୃଥ୍ୱୀବଲ୍ଲଭଙ୍କର ପ୍ରକୃତରେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ନାହିଁ ନା ନିରଞ୍ଜନ ତାଙ୍କୁ ଟିକେଟ ଦେବାକୁ ଚାହୁଁ ନାହାନ୍ତି ତାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଆଲୋଚନା ହେଉଛି।

ବେଗୁନିଆ-ବୋଲଗଡ଼ ହେଉଛି ଜାନକୀଙ୍କ ଗଡ଼। ଜାନକୀ ଏହି ନିର୍ବାଚନ ମଣ୍ଡଳୀରୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ ୨୦୦୪ ମସିହା ନିର୍ବାଚନରେ ଜାନକୀ ଶେଷ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ହେଲେ ଏହି ଆସନକୁ ବିଜେଡିର ପ୍ରଶାନ୍ତ ଜଗଦେବ ଏବେ କବ୍‌ଜା କରିଛନ୍ତି। ବିଜେପି-ବିଜେଡି ମେଣ୍ଟ ହାତରେ ଏହି ନିର୍ବାଚନମଣ୍ଡଳୀ କିଛିଦିନ ରହିବା ପରେ ଏବେ ବିଜେଡିର ପ୍ରଶାନ୍ତ ଜଗଦେବ ରାଜୁତି କରୁଛନ୍ତି। କିନ୍ତୁ ଜଗଦେବଙ୍କ ଉପରେ ସ୍ଥାନୀୟ କର୍ମୀ ଅସନ୍ତୁଷ୍ଟ ଥିବାରୁ ଏଥିରୁ ଫାଇଦା ନେବାକୁ କଂଗ୍ରେସ ଆଗକୁ ଆସିଛି।

ବାପା ଜନକୀବଲ୍ଲଭଙ୍କ ଲୋକପ୍ରିୟତାକୁ ଆଧାର କରି ପୃଥ୍ୱୀବଲ୍ଲଭ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ବେଳେ ଟିକେଟ ଉପରେ ସମସ୍ତଙ୍କ ନଜର ରହିଛି।

Comment