ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଆଜି କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। କେରଳର ବରିଷ୍ଠ କଂଗ୍ରେସ ନେତା ଟମ୍‌ ୱଡ଼କନ୍‌ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ପୁଲୱାମା ଆକ୍ରମଣ ପରେ କଂଗ୍ରେସ ଭାରତୀୟ ସେନା ଉପରେ ଯେଉଁ ଭଳି ପ୍ରଶ୍ନ ଉଠାଉଛି ଟମ୍‌ ୱଡ଼କନ୍‌ଙ୍କୁ ତାହା ଆଘାତ ଲାଗିଛି। କଂଗ୍ରେସର ରାଷ୍ଟ୍ର ବିରୋଧି ନୀତି ଦେଖି ସେ କଂଗ୍ରେସର ହାତ ଛାଡ଼ିଛନ୍ତି ବୋଲି ଟମ୍‌ ୱଡ଼କନ୍‌ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଟମ୍‌ ୱଡ଼କନ୍‌। ବିଜେପିରେ ମିଶିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ୱଡ଼କନ୍‌ କହିଛନ୍ତି, “ରାହୁଲ ଗାନ୍ଧି ‘ୟୁଜ୍‌ ଆଣ୍ଡ ଥ୍ରୋ’ ରାଜନୀତି କରୁଛନ୍ତି। ମୁଁ ମୋ ଜୀବନର ୨୦ ବର୍ଷ କଂଗ୍ରେସ ଦଳକୁ ଦେଇଛି କିନ୍ତୁ ଆତ୍ମସମ୍ମାନ ଥିବା ଲୋକଙ୍କର ଏହି ଦଳରେ ସ୍ଥାନ ନାହିଁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତିରେ ବେଶ୍‌ ପ୍ରଭାବିତ ହୋଇଥିବା ଟମ୍‌ ୱଡ଼କନ୍‌ କହିଛନ୍ତି। ଏହି କାରଣରୁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ବହୁତ ଖୁସି ପ୍ରକାଶ କରିଛନ୍ତି ୱଡ଼କନ୍‌। ବିଜେପିରେ ମିଶିବା ପରେ ଟମ୍‌ ୱଡ଼କନ୍‌ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟି ଖୁବ୍‌ ପ୍ରଶଂସା କରିଥିଲେ।

Comment