ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି। ଖରାଦିନେ ଏହାର ଆଦର ଦ୍ୱିଗୁଣିତ ହୋଇଯାଇଥାଏ।

(କଟକରୁ ପ୍ରଣବ କୁମାର ନନ୍ଦୀ): କଟକ ସହରର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପ୍ରଚଣ୍ଡ ରୈାଦ୍ର‌୍ୟତାପକୁ ଦୃଷ୍ଟିରେ ରଖି ସହରର ଛୋଟବଡ଼ ବିଭିନ୍ନ ହୋଟେଲରେ ଦହି ପଖାଳର ଆସର ଜମୁଛି। ଦହି ପଖାଳ ଓ ଏହାର ତୋରାଣି ସ୍ୱାଦିଷ୍ଟ ହୋଇଥିବା ସହିତ ଶରୀର ଓ ମନକୁ ତାଜା ରଖୁଥିବାରୁ ମଧ୍ୟାହ୍ନ ଭୋଜନରେ ପଖାଳ ଖାଇବାକୁ ଅଧିକାଂଶ ଗ୍ରାହକ ଏବେ ପସନ୍ଦ କରୁଛନ୍ତି। ହୋଟେଲମାନଙ୍କରେ ୪୦ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଏହି ଦହି ପଖାଳର ଦାମ୍।

ସହରର ହୋଟେଲଗୁଡ଼ିକରେ ନିରାମିଶ ପଖାଳ କଂସାର ମୂଲ୍ୟ ୭୦ ଟଙ୍କାରୁ ୧୨୫ ଟଙ୍କା ମଧ୍ୟରେ ରହିଛି। ସେହିପରି ଆମିଷ ସହ ଏହାର ଦର ରହିଛି ୮୦ ଟଙ୍କାରୁ ଆରମ୍ଭ କରି ୧୮୦ ଟଙ୍କା ପର୍ଯ୍ୟନ୍ତ।

ଆମ୍ବକସିଆ ଅଦା ଓ ପୁଦିନା ପତ୍ର ମିଶ୍ରିତ କଂସାଏ ପଖାଳ, ବଡ଼ି ଚୁରା, ସଜନା ଛୁଇଁ ଭଜା, ଶାଗ ଭଜା, ଆଳୁ ଚଟଣୀ, ଚିପ୍ସ, କାକୁଡି ସାଲାଡ, ପାମ୍ପଡ଼ ଇତ୍ୟାଦି ସାଦା ମିଲ୍‌ରେ ଉପଲବ୍ଧ ହେଉଛି। ସେହିପରି ଆମିଷ ମିଲରେ ବିଭିନ୍ନ ପ୍ରକାର ମାଛ ଭଜା, ଚୂନା ମାଛ ଭଜା, ଚିଙ୍ଗୁଡ଼ି ଫ୍ରାଏ ଓ ଛେଚାକୁ ଗ୍ରାହକମାନେ ବେଶ ପସନ୍ଦ କରୁଛନ୍ତି। ଏଥିସହିତ ରାସ୍ତା କଡ଼ରେ ଥିବା ଛୋଟବଡ଼ ଦୋକାନଗୁଡ଼ିକରେ ୪୦ ଟଙ୍କାରୁ ୭୦ ଟଙ୍କା ମଧ୍ୟରେ ଦହି ପଖାଳ ଉପଲବ୍ଧ ହେଉଛି।

ବିଶେଷକରି ବାଦାମବାଡ଼ି, ଷ୍ଟେସନବଜାର, ଚାନ୍ଦିନିଚୈାକ, ହାଇକୋର୍ଟ ଛକ, ମହାନଦୀବିହାର, ଶିଖରପୁର, କଲେଜଛକ, ରାଣିହାଟ, ଲିଙ୍କରୋଡ଼, ମେଡିକାଲ ରୋଡ ପ୍ରଭୃତି ଅଞ୍ଚଳରେ ବହୁ ଛୋଟବଡ଼ ଦୋକାନରେ ଦହି ପଖାଳ ଏକ ପ୍ରମୁଖ ମେନ୍ୟୁ ଭାବେ ଏବେ ମିଳୁଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ବହୁ ଜନସାଧାରଣ ଏସସିବି ମେଡିକାଲ, ହାଇକୋର୍ଟ, ମାଲଗୋଦାମ, ଛତ୍ରବଜାରକୁ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି। ତେଣୁ ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସହରର ବହୁ ହୋଟେଲରେ ବର୍ତ୍ତମାନ ଦହି ପଖାଳ ଉପଲବ୍ଧ ହେଉଛି।

ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ କିଛି କଲେଜ ପଢ଼ୁଆ ଛାତ୍ରଛାତ୍ରୀମାନେ ମଧ୍ୟ ମଧ୍ୟାହ୍ନ ଭୋଜନରେ ପଖାଳ ଖାଇବାକୁ ପସନ୍ଦ କରୁଛନ୍ତି। ଏହାଛଡ଼ା ଶ୍ରମିକ ତଥା ଦିନମଜୁରିଆମାନେ ମଧ୍ୟ ମନ ଓ ଶରୀରକୁ ତାଜା କରିବା ନିମନ୍ତେ ପଖାଳ କଂସାକୁ ଆଦରେଇ ନେଉଥିବାର ପରିଲକ୍ଷିତ ହେଉଛି।

ତେଣୁ ପ୍ରତିଦିନ ମଧ୍ୟାହ୍ନ ୧୨ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକରେ ଗ୍ରାହକମାନଙ୍କ ବେଶ୍ ଭିଡ଼ ଜମୁଛି।

ଚଳିତବର୍ଷ ଗ୍ରୀଷ୍ମର ପ୍ରକୋପ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ସହରର ବିଭିନ୍ନ ହୋଟେଲରେ ଦହି ପଖାଳର ବ୍ୟବସାୟ ଭଲ ହେବ ବୋଲି ହୋଟେଲ ମାଲିକମାନେ ଆଶା ବ୍ୟକ୍ତ କରିଛନ୍ତି।

Comment