ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ତୀର ମାରିଛନ୍ତି। ନବୀନ ବିଜୁ ବାବୁଙ୍କ ବିପରୀତ ବୋଲି ଦାମ କହିଛନ୍ତି।

“ବିଜୁ ବାବୁ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ରାଜନୀତିକୁ ଆସିଥିଲି। ବିଜୁ ବାବୁଙ୍କ ଅମଳରେ ମୁଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛି। ଲୋକଙ୍କ ଭଲ ପାଇବା ମୋ ପ୍ରତି ରହିଛି। ବିଜୁ ବାବୁଙ୍କ ପାଖରେ ଯେଉଁ ଗୁଣ ଥିଲା ତାହା ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ। ବିଜୁ ବାବୁଙ୍କ ବିପରୀତ ହେଉଛନ୍ତି ନବୀନ ବାବୁ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଦାମ ଆହୁରି କହିଛନ୍ତି, “ନବୀନ ବାବୁ ଓଡ଼ିଶା ଲୋକଙ୍କ ଭଲ ପାଆନ୍ତି ନାହିଁ। ସେ ଆଜି ପର୍ଯ୍ୟନ୍ତ ଓଡ଼ିଆ କହିପାରୁ ନାହାନ୍ତି। ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ନବୀନ ବାବୁ। ଦୁର୍ନୀତି ବିରୋଧରେ କହିବାରୁ ମତେ ଦଳରୁ ବିଦା କରାଗଲା। ୬/୭ ମାସ ହେଲା ମୁଁ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବିଜେଡିର ଦୋଷ ଦୁର୍ବଳତା ବଖାଣୁଛି। ନବୀନଙ୍କ ଶାସନରେ ନାରୀମାନେ ସୁରକ୍ଷିତ ନୁହନ୍ତି।”

“ମୁଁ ୪୫ ବର୍ଷ ହେଲା ସକ୍ରିୟ ରାଜନୀତିରେ ରହିଛି। ୩୫ ବର୍ଷ ହେଲା ବିଧାନସଭାକୁ ନିର୍ବାଚିତ ହୋଇ ଆସିଛି। ୨୦ରୁ ଅଧିକ ବିଭାଗରେ ମନ୍ତ୍ରୀ ରହିଛି। ହେଲେ ବିଜେଡି ମତେ ବହିଷ୍କାର କଲା। ବିଜେପିର ନୀତି ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ମତେ ଆକର୍ଷିତ କଲା। ମୁଁ ବିଜେପିରେ ମିଶି ଖୁସି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଦାମଙ୍କ ଯୋଗଦାନ ପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟ ରଖିଛନ୍ତି। ସେ କହିଛନ୍ତି ଯେ ଦାମ ବାବୁଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ସେ କୁଆଡ଼େ ଯିବେ ଏବଂ କ’ଣ କରିବେ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ବିଜେଡିର କିଛି ଯାଏ ଆସେ ନାହିଁ।

“ଦାମ ବାବୁ ଯେତେବେଳେ ମନ୍ତ୍ରୀ ଥିଲେ ଏବଂ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ରହୁଥିଲେ ସେତେବେଳେ ବିଜେପି ତାଙ୍କ କୁଶପୁତ୍ତଳିକା ଦାହ କରିଥିଲା। ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଥିଲା। ଆଜି ସେହି ବିଜେପି କେମିତି ଦାମ ବାବୁଙ୍କୁ ଗ୍ରହଣ କଲା”, କହିଛି ବିଜେଡି।

Comment