ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ରେଲୱେ ଇଞ୍ଜିନିୟରିଂ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ବଳଭଦ୍ର ମାଝି।

ସରକାରୀ ଚାକିରିରୁ ମୋହ ତୁଟାଇ ବିଜେଡିରେ ଯୋଗ ଦେଇଥିଲେ ବଳଭଦ୍ର ମାଝି। ଚାକିରିକୁ ଆଉ ୭ ବର୍ଷ ସମୟ ଥିଲେ ମଧ୍ୟ ବଳଭଦ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ନବରଙ୍ଗପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଏହା ଥିଲା ୫ ବର୍ଷ ତଳର ଘଟଣା। ୫ ବର୍ଷ ପରେ ସବୁକିଛି ଓଲଟି ଯାଇଛି। ଯେଉଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଗ୍ରହଣ କରି ବଳଭଦ୍ର ବିଜେଡି ଆସିଥିଲେ ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଚାରି ପୃଷ୍ଠିଆ ଇସ୍ତଫାପତ୍ରରେ ବଳଭଦ୍ର ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଥିବା ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

ଚାରି ପୃଷ୍ଠିଆ ଇସ୍ତଫାପତ୍ରରେ କ’ଣ ଲେଖିଲେ ବଳଭଦ୍ର?

“ଷୋଡ଼ଶ ଲୋକସଭା ଅଧିବେଶନରେ ମତେ ସାଂସଦ ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ସମର୍ଥନ ଏବଂ ସହଯୋଗ ଯୋଗୁଁ ମୁଁ ମୋ ନିର୍ବାଚନମଣ୍ଡଳୀ ଲୋକଙ୍କ ପାଇଁ ଭଲ କାମ କରିବାରେ ସମର୍ଥ ହୋଇଛି “, ଇସ୍ତଫାପତ୍ରରେ ଏହା କହିଛନ୍ତି ବଳଭଦ୍ର ମାଝି।

ଏହାସହ ବଳଭଦ୍ର କହିଛନ୍ତି ଯେ ୫ ବର୍ଷର କାର୍ଯ୍ୟକାଳ ଭିତରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ବିକାଶମୂଳକ କାମ କରିଛି। ବିଦ୍ୟୁତକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି।

ପ୍ରତି ଘରକୁ ବିଜୁଳି ସଂଯୋଗ କରିବା ସହ ନୂଆ ଗ୍ରୀଡ୍‌ ସ୍ଥାପନ କରାଯାଇଛି। ଗ୍ରାମ୍ୟ ରାସ୍ତା ଏବଂ ରାଜପଥର ଉନ୍ନତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଯୋଗୁଁ ସମ୍ଭବପର ହୋଇପାରିଛି।

“ଏ ସବୁ ସଫଳତା ଭିତରେ କେଉଁଠି ନା କେଉଁଠି ଆପଣ ଏବଂ ମୋ’ ଭିତରେ ଗ୍ୟାପ ସୃଷ୍ଟି ହୋଇଛି। ମୋ’ ସଫଳତାକୁ ବୋଧ ହୁଏ କିଛି ଲୋକ ସହି ପାରିଲେନି। ମତେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଗଲା। ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ମତେ ସୂଚନା ଦିଆଗଲା ନାହିଁ। ଫଳରେ ମୁଁ କୌଣସି ଦଳୀୟ ବୈଠକରେ ଯୋଗ ଦେଇ ପାରିଲି ନାହିଁ। ଏଥିରେ କେବଳ ମୋର କ୍ଷତି ହୋଇନାହିଁ, ମୋ’ ନିର୍ବାଚନମଣ୍ଡଳୀର ବିକାଶରେ ବାଧା ପହଞ୍ଚିଛି”, କହିଛନ୍ତି ବଳଭଦ୍ର ମାଝି।

ବଳଭଦ୍ର ଆହୁରି କହିଛନ୍ତି, “ମୁଁ ନିଶ୍ଚିତ ଯେ ଆପଣଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି। ୨୦୧୪ ନିର୍ବାଚନ ବେଳେ ମତେ ଯେଉଁ ଗୁରୁତ୍ୱ ମିଳିଥିଲା ତାହା ଏବେ କମି ଯାଇଥିବା ମୋର ମନେହେଲା। ଜନସେବା ଏବଂ ମୋ’ ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ମୁଁ ସରକାରୀ ଚାକିରିକୁ ବଳି ପକାଇଥିଲି। କିନ୍ତୁ ଏବେ ଭାବୁଛି ଦଳ ମତେ ଆଉ ଚାହୁଁନି।”

Comment