ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେଡି ଶିବିରକୁ ଶବ୍ଦ ବୋମା ଫିଙ୍ଗି ହଟଚମଟ କରିବେ କି ଦାମ?

ଲଗାମଛଡ଼ା ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ବିଜେଡିରେ ଥିବା ବେଳେ ବିରୋଧୀ ଦଳର ନେତାଙ୍କୁ କଡ଼ା କଥା କହି ପାଣି ପିଆଇ ଦେଇଥାନ୍ତି। ଏବେ ଦାମ ବିଜେପିରେ ରହି ବିଜେଡି ଶିବିରକୁ ଟାର୍ଗେଟ କରିବେ ବୋଲି କୁହାଯାଉଛି।

୨୦୧୯ ନିର୍ବାଚନରେ ବିଜେପି ପାଇଁ ଦାମ ବଡ଼ ଅସ୍ତ୍ର ପାଲଟି ଯାଇଛନ୍ତି। ଦାମଙ୍କୁ ବ୍ୟବହାର କରି ବିଜେପି ବିଜେଡି କ୍ୟାମ୍ପକୁ ଘନ ଘନ ଆଟାକ କରିପାରେ ବୋଲି କୁହାଯାଉଛି।

ଦାମଙ୍କ ଶବ୍ଦ ବାଣ ଭାରି ଟାଣ। ଏହି ଶବ୍ଦ ବାଣରୁ ବିରୋଧୀ ଶିବିରର ନେତା ତ ଦୂରର କଥା ନିଜ ଦଳର ନେତାମାନେ ବି ସାମ୍ନା କରି ପାରନ୍ତି ନାହିଁ। ଦାମ ତାଙ୍କ ଶବ୍ଦ ବାଣରେ ରାଜନୀତି ବଜାରରେ ନିଆଁ ଲଗାଇ ଦେଇଥିବାର ଅନେକ ନଜିର ରହିଛି।

ଦାମ ଯେତେବେଳେ ବିଜେଡିରେ ଥିଲେ ସେତେବେଳେ ଦ୍ୱିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କୁ ବି ଛାଡ଼ି ନଥିଲେ। ପ୍ୟାରୀଙ୍କୁ ଶବ୍ଦ ବାଣରେ ଘାଇଲା କରିଥିଲେ। ଫଳରେ ତାଙ୍କୁ ବିଜେଡିରୁ ନିଲମ୍ବିତ ହେବାକୁ ପଡ଼ିଥିଲା।

କେବଳ ପ୍ୟାରୀ ନୁହନ୍ତି, ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର, ବିଷ୍ଣୁ ଦାସ ଏବଂ ପ୍ରଦୀପ ମହାରଥୀ, ଦେବାଶିଷ ସାମନ୍ତରାୟଙ୍କୁ ବି ଶବ୍ଦ ବାଣରେ କଟାକ୍ଷ କରି ଦାମ ହଟଚମଟ ସୃଷ୍ଟି କରିଥିଲେ।

ସେହିପରି ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ନବୀନଙ୍କୁ ବାଦ୍ ଦେଇ ନଥିଲେ। ନବୀନଙ୍କ ବିରୋଧରେ ଶବ୍ଦ ବୋମା ପ୍ରୟୋଗ କରି ବିଜେଡି ଶିବିରକୁ ହଲ୍‌ଚଲ୍ କରିଥିଲେ।

ବିଜେଡିରେ ଥିବା ବେଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିଲେ। ହେଲେ ଏବେ ଦାମ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି। ପଦ୍ମ ପୋଖରୀରୁ ଏବେ ଦାମ ବିଜେଡି ଶିବିରକୁ ଶବ୍ଦ ବୋମା ଫିଙ୍ଗିବେ। ଦାମଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ବିଜେପି ନିର୍ବାଚନ ବେଳେ ଶାସକ ଦଳକୁ ଅଧିକ ଚାପରେ ରଖିବାକୁ ଚାହିଁବ।

ବିଜୟ ମାରୁଥିଲେ ବାଣ!

ବିଜେଡି, ଏନସିପି ଛାଡ଼ି ବରିଷ୍ଠ ନେତା ବିଜୟ ମହାପାତ୍ର ଯେତେବେଳେ ବିଜେପିକୁ ଆସିଲେ ସେତେବେଳେ ବିଜେପି ବିଜୟଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ବିଜୟ ବିଜେପି ପାର୍ଟି ଅଫିସରେ ଘନ ଘନ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଏବଂ ନବୀନଙ୍କୁ ଟାର୍ଗେଟ କରୁଥିଲେ।

ପ୍ରତି ଦୁଇ ଦିନ ଅନ୍ତରରେ ବଡ଼ ବଡ଼ ପ୍ରସଙ୍ଗକୁ ନେଇ ବିଜୟ ନବୀନ ସରକାରକୁ ଆକ୍ରମଣ କରୁଥିଲେ। ବିଜୟଙ୍କ ପ୍ରେସ୍‌ମିଟ୍‌କୁ ବି ଗଣମାଧ୍ୟମ ଗୁରୁତ୍ୱ ଦେଉଥିଲା। କିଛି ଟିଭି ଚ୍ୟାନେଲ ବିଜୟଙ୍କ ସାମ୍ବାଦିକ ସମ୍ମିଳନୀର ଲାଇଭ୍‌ ଶୋ’ ମଧ୍ୟ କରୁଥିଲେ। ବିଜୟଙ୍କ ମୁହଁରୁ ବିଜେଡି ବିରୋଧରେ ପଦିଏ କଥା ବାହାରିଲେ ତାହା ଖବରକାଗଜରେ ଲିଡ୍‌ ନ୍ୟୁଜ ହେଉଥିଲା। କିନ୍ତୁ ଏବେ ବିଜୟ ଆଉ ବିଜେପିରେ ନାହାନ୍ତି। ୨୦୧୪ ନିର୍ବାଚନ ପରେ ବିଜୟ ବିଜେପିରେ ଗୁରୁତ୍ୱ ହରାଇ ବସିଲେ।

୨୦୧୪ ନିର୍ବାଚନ ପୂର୍ବରୁ ବିଜୟ ବିଜେପିରେ ଯେଉଁ ଭୂମିକା ନିଭାଉଥିଲେ ଏବେ ଦାମ ସେହି ଭୂମିକାରେ ଦେଖାଦେବେ ବୋଲି କୁହାଯାଉଛି। ନିର୍ବାଚନ ମାହୋଲକୁ ସରଗରମ କରିବା ପାଇଁ ବିଜେପି ଦାମଙ୍କ ତୁଣ୍ଡକୁ ବ୍ୟବହାର କରିବ ବୋଲି ଚର୍ଚ୍ଚା ହେଉଛି।

କ’ଣ ହେବ ଜଗତସିଂହପୁର ରାଜନୀତି?

ଜଗତସିଂହପୁର ଜିଲ୍ଲା ରାଜନୀତିରେ ଦାମଙ୍କ ପ୍ରଭାବକୁ କେହି ଅସ୍ୱୀକାର କରିପାରିବେ ନାହିଁ। ବିଜେଡିରେ ଥିବା ବେଳେ ତାଙ୍କର ଲୋକପ୍ରିୟତା ଯେମିତି ଥିଲା ବିଜେଡି ଛାଡ଼ିବା ପରେ ବି ସେମିତି ରହିଛି। ଯଦି ଲୋକପ୍ରିୟତା ନଥାନ୍ତା ତାହାଲେ ବିଜେଡିରୁ ବିଦା ହେବା ପରେ କୁଜଙ୍ଗରେ ଦାମ ଯେଉଁ ସମାବେଶ କରିଥିଲେ ତାହା ସଫଳ ହୋଇ ନଥାନ୍ତା।

ଦାମ ସ୍ପଷ୍ଟ କରିଛନ୍ତି ଯେ ସେ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ିବେ। ଯଦି ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ନ୍ତି ତାହାଲେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବେ ଦାମ। ଏପଟେ ପାରାଦୀପରେ ମଧ୍ୟ ଦାମଙ୍କର ବହୁ ସମର୍ଥକ ଅଛନ୍ତି। ବିଜେପି ଶିବିରରେ ଦାମ ଯୋଗ ଦେଇଥିବାରୁ ତାଙ୍କ ପ୍ରତି ସମର୍ଥନ ବଢୁଛି। ଏଣୁ ଦାମ ୨୦୧୯ ନିର୍ବାଚନରେ ଜଗତସିଂହପୁର ରାଜନୀତିରେ ଗେମ୍‌ଚେଞ୍ଜର ସାଜି ପାରନ୍ତି।

Comment