ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି ବରଗଡ ଜିଲ୍ଲା ଗସ୍ତ କରିଛନ୍ତି। ଗସ୍ତ ପୂର୍ବରୁ ନେତା କର୍ମୀ ଯାହା ଅନୁମାନ କରୁଥିଲେ ତାହା ହିଁ ହୋଇଛି। ଅର୍ଥାତ ରାହୁଲ ମୋଦି ଓ ନବୀନଙ୍କୁ ରାଫେଲଠୁ ଆରମ୍ଭ କରି, ଶିକ୍ଷା,ରୋଜଗାର, ଚାଷୀ, ଚିଟଫଣ୍ଡ ପ୍ରସଙ୍ଗରେ ବର୍ଷିଛନ୍ତି।  

ବରଗଡ଼ରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ସେଠାରେ ସଂକଳ୍ପ ସମାବେଶକୁ ସମ୍ବୋଧନ କରିଛନ୍ତି ରାହୁଲ। ବରଗଡର ସରସରା ପଡ଼ିଆରୁ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି।

ରାହୁଲ କହିଛନ୍ତି କି, “ବରଗଡକୁ ଦିନେ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଇଥିଲା। ଆଜି ଏଠାରେ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ନବୀନ ପଟ୍ଟାନୟକ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବେ ବୋଲି କହିଥିଲେ। ମୋଦି ବି ଅନେକ ପ୍ରତିଶ୍ରୁତି ଦେଇଛନ୍ତି ଚାଷୀଙ୍କ ଲାଗି। ଯାହା ପୂରଣ କରାଯାଇନାହିଁ।”

“ମୋଦି ଚାଷୀ ନୁହଁ ତାଙ୍କ ବଡ ମିତ୍ରଙ୍କ ଲାଗି ଋଣ ଛାଡ କରିଛନ୍ତି। ନୀରବ ମୋଦି, ଅମ୍ବାନି ଙ୍କ ଲାଗି ଋଣ ଛାଡ଼ କରିଛନ୍ତି। ଛତିଶଗଡରେ ଶାସନକୁ ଆସିବାର ୬ଘଣ୍ଟା ମଧ୍ୟରେ ଋଣ ଛାଡ଼କରିଥିଲା କଂଗ୍ରେସ।” ବରଗଡରୁ ଏମିତି କହିଛନ୍ତି ରାହୁଲ

ଏହା ସହ ରାହୁଲ କହିଛନ୍ତି କି, “ରାଜ୍ୟରେ ଏମିତି ଜଣେ ବି ଲୋକ ନଥିବେ ଯେଉଁମାନଙ୍କୁ ମୋଦି କି ନବୀନ ଚାକିରି ଅବା ରୋଜଗାର ଦେଇଥିବେ। ସମସ୍ତେ ନିଜ ସ୍ୱାର୍ଥ ଦେଖୁଛନ୍ତି।”

ବ୍ୟୁରୋକ୍ରାଟ କଥା ଉଠାଇଲେ

“ଓଡ଼ିଶାକୁ କେତେଜଣ ଅଫିସର ଚଳାଉଛନ୍ତି। ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିମୋର୍ଟ କଣ୍ଟୋଲ ଭଳି ଚଳାଉଛନ୍ତି।” ରାହୁଲ କହିଛନ୍ତି

ସରକାରକୁ ଆସିଲେ ଲୋକଙ୍କୁ ରୋଜଗାର ମିଳିବ

ରାହୁଲ କହିଛନ୍ତି ଯଦି ଆଗାମୀ ନିର୍ବାଚନରେ କଂଗ୍ରେସ ଶାସନକୁ ଆସେ ତେବେ ରାଜ୍ୟରେ ଲୋକଙ୍କୁ ରୋଜଗାର ମିଳିବ। ବିଶେଷକରି ଯୁବକଙ୍କ ଲାଗି ରୋଜଗାରର ପନ୍ଥା ଖୋଲିବ।

ଶେଷରେ ରାହୁଲ କହିଛନ୍ତି କଂଗ୍ରେସ ରାଜ୍ୟରେ ନୁହଁ ବରଂ ପୂରା ଦେଶରେ ବିଚାରଧାରାର ଲଢ଼େଇ ଲଢୁଛି। ଶାସନକୁ ଆସିଲେ ଲୋକଙ୍କୁ ନ୍ୟାୟ ମିଳିବ। ସୁଶାସନ ମିଳିବ।

Comment