ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବରଗଡ଼ ସଭାରେ ଯୁବକଙ୍କ ଉପରେ ନିର୍ବାଚନୀ ଥୋପ ପକାଇଛନ୍ତି ରାହୁଲ ଗାନ୍ଧି।

“କଂଗ୍ରେସ ଆସିଲେ ଖାଲି ପଡ଼ିଥିବା ପଦ ପଦବୀ ପୂରଣ ହେବ। ଯୁବକମାନଙ୍କୁ ନିଯୁକ୍ତି ମିଳିବ”, ବରଗଡ଼ ସମାବେଶରେ ଯୁବକମାନଙ୍କୁ ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଖାଇଛନ୍ତି ରାହୁଲ ଗାନ୍ଧି।

ଜୟପୁର ମହିଳା ସମାବେଶ ପରେ ରାହୁଲ ଆଜି ଆସିଥିଲେ ବରଗଡ଼। ବରଗଡ଼ର ସରସରା ପଡ଼ିଆରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଯୋଗଦେଇ ଯୁବକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

“ନବୀନ ପଟ୍ଟନାୟକ ସରକାରଙ୍କର ଅପାରଗତା ଯୋଗୁଁ ଓଡ଼ିଶାର ଯୁବକମାନେ ନିଯୁକ୍ତି ପାଉ ନାହାନ୍ତି। ରୋଜଗାର ପାଇଁ ସେମାନେ ବାହାର ରାଜ୍ୟକୁ ଯାଉଛନ୍ତି। ଯୁବକମାନଙ୍କ ପାଇଁ ନବୀନ ସରକାର କିଛି କରି ନାହାନ୍ତି। କଂଗ୍ରେସ ସରକାର ଗଢ଼ିଲେ ଯୁବକଙ୍କ କଥା ବୁଝିବ”, କହିଛନ୍ତି ରାହୁଲ।

ରାହୁଲ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଦେଢ଼ ଲକ୍ଷ ପଦ ପଦବୀ ଖାଲି ପଡ଼ିଛି। ୩୦ ହଜାର ଶିକ୍ଷକ ଏବଂ ୫ ହଜାର ମେଡିକାଲ ପୋଷ୍ଟ ଖାଲି ପଡ଼ିଛି। ଖାଲି ପଡ଼ିଥିବା ପଦବୀ କଂଗ୍ରେସ ପୂରଣ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରିମୋଟ କଣ୍ଟ୍ରୋଲ ସାଜିଛନ୍ତି ନବୀନ। ଓଡ଼ିଶାରେ ଚିଟଫଣ୍ଡ ସ୍କାମ, ଖଣି ଦୁର୍ନୀତି ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଓଡ଼ିଶାକୁ କିଛି ବ୍ୟୁରୋକ୍ରାଟସ୍‌ମାନେ ଶାସନ କରୁଥିବା ରାହୁଲ କହିଛନ୍ତି।

ଛତିଶଗଡ଼ରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିଛୁ। ନବୀନ ସରକାର ଚାଷୀ, ଯୁବକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରି ନାହାନ୍ତି। ଛତିଶଗଡ଼ରେ ଯେଉଁ ବିକାଶମୂଳକ କାମ ଚାଲିଛି କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ମଧ୍ୟ ସେଭଳି କାମ ଚାଲିବ ବୋଲି ରାହୁଲ କହିଛନ୍ତି।

ରାହୁଲ ଚାରି ଥର ଓଡ଼ିଶା ଗସ୍ତରେ ଆସିଲେଣି। ପ୍ରଥମେ ଖୋର୍ଦ୍ଧା, ପରେ ଭବାନୀପାଟଣା, ରାଉରକେଲା ଏବଂ ଜୟପୁର ପରେ ଆଜି ବରଗଡ଼ ଆସି ନବୀନ ଏବଂ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Comment