ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାୟ ଅଧାଅଧି ବିଧାୟକଙ୍କୁ ବଦଳାଇବେ ବୋଲି ଖବର ଆସୁଥିବା ବେଳେ ବରୀ ବିଧାୟକ ଦେବାଶିଷ ନାୟକଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁପ୍ରିମୋ ପୁଣି ଥରେ ତାଙ୍କୁ ଟିକେଟ ଦେବେ କି ନା ସେ ନେଇ ଢେର ଚର୍ଚ୍ଚା ଚାଲିଛି।

ପାଞ୍ଚ ଥର ବିଧାୟକ ରହି ସାରିଥିବା ଦେବାଶିଷ ନିଜ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟତା ହରାଇଛନ୍ତି ବୋଲି ଆଲୋଚନା ହେଉଛି। ଏଣୁ ପର୍ଯ୍ୟବେକ୍ଷକମାନଙ୍କ ପକ୍ଷରୁ ଆକଳନ କରାଯାଇଛି ଯେ ଦେବାଶିଷଙ୍କ ସ୍ଥାନରେ ଜଣେ ନୂଆ ମୁହଁ ଅଥବା ଜଣେ ମହିଳା ପ୍ରାର୍ଥୀ ଦିଆଯିବ।

୨୦୦୦ ମସିହାରେ ଦେବାଶିଷ ପ୍ରଥମ ଥର ପାଇଁ ବରୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତା’ ପରେ ସେ ଲଗାତାର ଏହି ଆସନରୁ ଜିତି ଆସିଛନ୍ତି। ସେ ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ଦେବାଶିଷଙ୍କ ଅସଲ ପରିଚୟ ହେଉଛି ଯେ ଗୋଟିଏ ସମୟରେ ସେ ନବୀନଙ୍କ ଅତି ନିକଟ ଲୋକ ଥିଲେ। ତେବେ ବିଧାନସଭାର ସହକାରୀ ମାର୍ଶାଲ ଗାୟତ୍ରୀ ପଣ୍ଡାଙ୍କୁ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିରୁଦ୍ଧରେ ଦେବାଶିଷ  ଲଗାଇଥିଲେ ବୋଲି ଅଭିଯୋଗ ଆସିବା ପରେ ଦେବାଶିଷ ଦଳରୁ ନିଲମ୍ବିତ ହୋଇଥିଲେ। ଏଣୁ ୨୦୧୪ରେ ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ଆଲୋଚନା ହେଉଥିଲା।

ସେ ଯାହା ହେଉ, ନବୀନ ଦେବାଶିଷଙ୍କ ଉପରେ  ବିଶ୍ୱାସ ରଖି ତାଙ୍କୁ ଟିକେଟ ଦେଇଥିଲେ ଓ ବରୀ ଆସନରୁ ସେ ବିଜୟୀ ହୋଇଥିଲେ। ସେହି ନିର୍ବାଚନରେ କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ ଦେବାଶିଷଙ୍କୁ କଡ଼ା ଟକ୍କର ଦେଇଥିଲେ। ଇତି ମଧ୍ୟରେ ସେହି ଅଞ୍ଚଳରେ ବିଜେପି ମୁଣ୍ଡ ଟେକିବା ପରେ ବରୀ ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ ଢେର ବଦଳିଯାଇଛି। ମଲ୍ଲିକ ବିଜେପିରେ ଯୋଗ ଦେଇଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବରୀ ବ୍ଲକକୁ ନିଜ ଅକ୍ତିଆରକୁ ଆଣି ପାରିଥିଲା। ତା’ପରଠାରୁ ବିଜେପି ତାର ପ୍ରଭାବ ବିସ୍ତାର କରିବା ଦେଖାଯାଉଛି। ଏବେ ଦେଖିବାକୁ ବାକି ରହିଲା ନବୀନ ପୁଣି ଥରେ ଦେବଶିଷଙ୍କୁ ଟିକେଟ ଦେଉଛନ୍ତି  ନା ଦେବାଶିଷ ସନ୍ୟାସ ନେବାକୁ ଯାଉଛନ୍ତି।

Comment