ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ଛାଡ଼ିଥିବା ନେତାଙ୍କୁ ପଦ୍ମ ଧରାଇ ବିଜେପି ନିଜର ଶକ୍ତି ବୃଦ୍ଧି କରି ଚାଲିଛି। ଶନିବାର କିନ୍ତୁ ବିଜେପିକୁ ଶକ୍ତ ଝଟକା ଲାଗିଛି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ) ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି। ଶହ ଶହ ସମର୍ଥକଙ୍କ ଗହଣରେ ଆସି ଟିଟୁ ବିଜେଡିରେ ସାମିଲ ହୋଇଛନ୍ତି।
ଟିଟୁଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳକୁ ସ୍ୱାଗତ କରିଛନ୍ତି। ଟିଟୁ ମିଶିବା ଫଳରେ ଦଳ ନୂଆପଡ଼ାରେ ଆହୁରି ସୁଦୃଢ଼ ହେବ ବୋଲି ନବୀନ କହିଛନ୍ତି।
ଟିଟୁ କହିଛନ୍ତି, ‘‘ମୋ ଦାଦା ବସନ୍ତ ପଣ୍ଡା ବିଜେପିର ବିକାଶ ପାଇଁ କାମ କରୁ ନାହାନ୍ତି କି ରାଜ୍ୟର ବିକାଶ ପାଇଁ କରୁ ନାହାନ୍ତି। ସେ ସବୁବେଳେ ନିଜ ସ୍ୱାର୍ଥକୁ ଦେଖୁଛନ୍ତି।‘
ବସନ୍ତ ପଣ୍ଡା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ହରିଶ୍ଚନ୍ଦ୍ର ବିଜେଡିକୁ ଆସିଲେ କିଛି ଫରକ ନାହିଁ। ‘ମୋ ପୁତୁରା ମୋ ଅଧିନରେ ନାହିଁ’।
ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବିଭିନ୍ନ ସ୍ଥାନରେ ଭଲ ପ୍ରଦର୍ଶନ କରିଥିଲା। ହେଲେ ନୂଆପଡ଼ାରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇ ନଥିଲା। କାରଣ ଟିଟୁ ସାଜିଥିଲେ ପ୍ରତିବନ୍ଧକ। ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇ ଟିଟୁ ଗଣିତ ଓଲଟ ପାଲଟ କରିଦେଇଥିଲେ। ଫଳରେ ବିଜେଡି ଫାଇଦା ନେଇଥିଲା।