ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଓଡ଼ିଆ ସମାଜ’ ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ’ର ରବିବାର ଉଦଯାପିତ ହେବ।

ଓଡ଼ିଆ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ସ୍ୱାଦକୁ ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରିବା ଲାଗି ନୂଆଦିଲ୍ଲୀରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ପର୍ବ-୨୦୧୯’। ୩ ଦିନ ଧରି ଦିଲ୍ଲୀର ଲେନ୍‌ ନଂ-୫ ଇଣ୍ଡିଆ ଗେଟ୍‌ଠାରେ ଆୟୋଜିତ ଏହି ପର୍ବର ରବିବାର ତୃତୀୟ ଦିନ। ଓଡ଼ିଆ ସମାଜ ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ଏହି ପର୍ବ ରବିବାର ଉଦଯାପିତ ହେବ।

ଦିଲ୍ଲୀ ଦରବାରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍‌ଘାଟନ କରିଥିଲେ। ଶନିବାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଓଡ଼ିଶାର ଗରିମାମୟ ଗାଥା ସମ୍ବନ୍ଧରେ କହିଥିଲେ ରାଜ୍ୟପାଳ।

ଓଡ଼ିଶା ପର୍ବର ମୁଖ୍ୟ ଆକର୍ଷଣ

ଓଡ଼ିଶା ପର୍ବକୁ ଆକର୍ଷଣୀୟ କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ୨ ଲକ୍ଷ ୬୦ ହଜାର ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଏହି ରଙ୍ଗାରଙ୍ଗ ଉତ୍ସବ ଆୟୋଜନ କରାଯାଇଛି। ଓଡ଼ିଶା ପର୍ବର ପ୍ରବେଶ ଦ୍ୱାରକୁ  ସୂର୍ଯ୍ୟୋଦୟ ସଦୃଶ ନିର୍ମାଣ କରାଯାଇଛି। ପଦ୍ମଫୁଲ ପ୍ରଚ୍ଛଦପଟ୍ଟରେ ଏକ ବିଶାଳ ମଞ୍ଚର ନିର୍ମାଣ କରାଯାଇଛି।

‘ଉତ୍କଳ ଉଦୟ’ ବିଷୟବସ୍ତୁ ଆଧାରିତ ଏକ ୩ଡି ଫିଲ୍ମ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ।

ହସ୍ତତନ୍ତ ହସ୍ତକଳା ସାମଗ୍ରୀ

ଉତ୍ସବରେ ହସ୍ତକଳା ଏବଂ ହସ୍ତତନ୍ତର ଅଧିକ ଚାହିଦା ରହିଛି। ଓଡ଼ିଆ କାରିଗରମାନେ ତିଆରି କରୁଥିବା ଏହି ସାମଗ୍ରୀର ଚାହିଦା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରହିଛି। ଏଣୁ ଏହି ହସ୍ତତନ୍ତ ଏବଂ ହସ୍ତକଳା ସାମଗ୍ରୀକୁ ‘ଓଡ଼ିଶା ପର୍ବ’ରେ ସ୍ଥାନୀତ କରିବା ଲାଗି ଆୟୋଜକମାନେ ପ୍ରୟାସ କରିଛନ୍ତି। ବିଭିନ୍ନ ହସ୍ତକଳା ସାମଗ୍ରୀ ଢୋକ୍ରା, ତାରକସି, ପଟ୍ଟଚିତ୍ର, କାଠ ତିଆରି ସାମଗ୍ରୀ ମଧ୍ୟ ଓଡ଼ିଶା ପର୍ବ ଷ୍ଟଲରେ ସ୍ଥାନ ପାଇବ। ଓଡ଼ିଶା ଏବଂ ସୁରଟ ଆଖପାଖ ଅଞ୍ଚଳର ପୁରସ୍କାରପ୍ରାପ୍ତ ବୁଣାକାର ଓ ଶିଳ୍ପୀମାନଙ୍କୁ ଏହି ଉତ୍ସବରେ ଅଗ୍ରାଧିକାର ଦିଆଯିବ।

ଓଡ଼ିଆ ଖାଦ୍ୟରେ ମହକୁଛି ଉତ୍ସବସ୍ଥଳ

‘ଓଡ଼ିଶା ପର୍ବ’କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏବଂ ଦର୍ଶକଙ୍କୁ ଉତ୍ସବ ସହ ବାନ୍ଧି ରଖିବା ପାଇଁ ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲର ବ୍ୟବସ୍ଥା କରାଯାଉଛି। ଏହି ଷ୍ଟଲରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେବେ ଦର୍ଶକ। ଓଡ଼ିଶାର ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ଯେପରିକି ଐତିହାସିକ କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ସହରର ଷ୍ଟ୍ରିଟ୍‌ ଫୁଡ, ଓଡ଼ିଆ ଥାଳି ଏବଂ ରାଜ୍ୟର ବିଭିନ୍ନ ପ୍ରକାର ସୁସ୍ୱାଦୁ ମିଷ୍ଟାନ୍ନ ଆଦି ଦିଲ୍ଲୀବାସୀଙ୍କ ନିକଟରେ ଏହି ଓଡ଼ିଶା ପର୍ବ ପହଞ୍ଚାଇ ପାରୁଛି।

ଓଡ଼ିଶା ପର୍ବ ଉତ୍ସବ ଦିନ ୧୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିଛି। ଏହି ଉତ୍ସବରେ ଯୋଗଦାନ ନିମନ୍ତେ କୌଣସି ପ୍ରବେଶ ଶୁଳ୍କ ରଖାଯାଇ ନାହିଁ।

Comment