ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ବିରୋଧୀ ବିଜେପି ଏବଂ କଂଗ୍ରେସଠାରୁ ଆଗରେ ରହିଛନ୍ତି।

ବିଜେଡି ଘୋଷଣା କରିଥିବା ୯ଟି ଲୋକସଭା ଆସନରେ ନୂଆ ଏବଂ ପୁରୁଣା ମୁହଁକୁ ଅଗ୍ରାଧିକାର ଦେଇଛନ୍ତି। ୯ଟି ଲୋକସଭା ଆସନରୁ ନବୀନ ୭ଟିରେ ଏଥର ନୂଆ ମୁହଁ ଦେଇଛନ୍ତି। ଦୁଇଟି ଆସନରେ ମହିଳା ପ୍ରାର୍ଥୀ ବି ଦେଇଛନ୍ତି ନବୀନ। ଆଉ କିଛି ନେତାଙ୍କ ଟିକେଟ ନବୀନ କାଟି ଦେଇଛନ୍ତି।

ଜାଣନ୍ତୁ କିଏ କଟିଲେ, କିଏ ରହିଲେ?

ବ୍ରହ୍ମପୁର: ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି କଂଗ୍ରେସରୁ ବିଜେଡିକୁ ଆସିଥିବା ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି।

କଳାହାଣ୍ଡି: ଏହି ଲୋକସଭା ଆସନରେ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପ୍ରଥମ ଥର ପାଇଁ ଲୋକସଭା ପ୍ରାର୍ଥୀ କରାଯାଇଛି। ପୂର୍ବରୁ ସେ ଭବାନୀପାଟଣା ବିଧାନସଭାରୁ ବିଧାୟକ ପ୍ରାର୍ଥୀ ଥିଲେ।

ନବରଙ୍ଗପୁର: ଏହି ଲୋକସଭା ଆସନରେ ନୂଆ ମୁହଁ ଦେଇଛି ବିଜେଡି। ଝରିଗାଁରୁ ବିଧାୟକ ଭାବେ ନିର୍ବାଚିତ ହେଉଥିବା ରମେଶ ମାଝିଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ଏହି ଆସନରୁ ବଳଭଦ୍ର ମାଝି ସାଂସଦ ଥିଲେ। ସେ ଏବେ ବିଜେପିରେ।

ବରଗଡ଼: ଏହି ଲୋକସଭା ଆସନରୁ ପ୍ରଭାସ ସିଂ ଥିଲେ ସାଂସଦ। ତାଙ୍କ ଟିକେଟ କାଟି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି।

କନ୍ଧମାଳ: ଏହି ଲୋକସଭା ଆସନରୁ ପ୍ରତ୍ୟୁଷା ରାଜେଶ୍ବରୀ ସାଂସଦ ଥିଲେ। କିନ୍ତୁ ଏହି ଆସନରେ ନୂଆ ମୁହଁ ଦେଇଛି ବିଜେଡି। ନିକଟରେ ବିଜେଡିରେ ମିଶି ରାଜ୍ୟସଭା ଯାଇଥିବା ଅଚ୍ୟୁତ ସାମନ୍ତଙ୍କୁ ଏଠି ପ୍ରାର୍ଥୀ କରିଛି ବିଜେଡି।

ବଲାଙ୍ଗିର: ଏହି ଲୋକସଭା ଆସନରେ କଳିକେଶ ନାରାୟଣ ସିଂଦେଓ ପୁଣି ଥରେ ତାଙ୍କ ଟିକେଟ ବଜାୟ ରଖିଛନ୍ତି।

କୋରାପୁଟ: ଏହି ଲୋକସଭା ଆସନରୁ ୨୦୧୪ରେ ଜିତିଥିଲେ ଝିନ୍ନ ହିକ୍‌କା। କିନ୍ତୁ ଏଥର ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି। କୌଶଲ୍ୟା ହିକ୍‌କାଙ୍କୁ ଟିକେଟ ଦେଇଛି ବିଜେଡି।

ଆସିକା: ୨୦୧୪ରେ ଲଡୁ କିଶୋର ନିର୍ବାଚିତ ହୋଇଥିଲେ ଏହି ଆସନରୁ। ତାଙ୍କର ଦେହାନ୍ତ ହୋଇଥିବାରୁ ପ୍ରମିଳା ବିଷୋୟୀଙ୍କୁ ଟିକେଟ ଦେଇଛି ବିଜେଡି।

ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ଏଥର ବିଜେଡି ସୁନୀତା ବିଶ୍ୱାଳଙ୍କୁ ଟିକେଟ ଦେଇଛି। ଏହି ଆସନରୁ ଗତଥର ଦିଲ୍ଲୀପ୍‌ ତିର୍କୀ ନିର୍ବାଚନ ଲଢ଼ିଥିଲେ। ଏଥର ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବେ ନେଇ ଚର୍ଚ୍ଚା ହେଉଥିଲା।

Comment