ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ମାତ୍ର ବର୍ଷକର ବିଧାୟିକା ରୀତା ସାହୁଙ୍କୁ ଟିକେଟ ଦେଲାନି ବିଜେଡି।

୫୪ ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରି ରାଜନୀତି ପାଣିପାଗକୁ କରିଛନ୍ତି ସରଗରମ। ନିଜେ ନବୀନ ପ୍ରଥମ ଥର ପାଇଁ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛି ବିଜେଡି।

ନବୀନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଏବଂ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଛି। ନବୀନଙ୍କୁ ବିଜେଡି କାହିଁକି ଦୁଇଟି ଆସନରୁ ପ୍ରାର୍ଥୀ କଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପୁରର ବର୍ତ୍ତମାନର ବିଧାୟକ ରୀତା ସାହୁଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ମଧ୍ୟ ଆଲୋଚନା ଚାଲିଛି।

ରୀତା ସାହୁ ହେଉଛନ୍ତି ମାତ୍ର ବର୍ଷକର ବିଧାୟକ। ୨୦୧୮ ଫେବ୍ରୁଆରି ୨୪ରେ ବିଜେପୁରରେ ହୋଇଥିଲା ଉପ-ନିର୍ବାଚନ। ଏହି ଉପ-ନିର୍ବାଚନରେ ରୀତା ହୋଇଥିଲେ ବିଜେଡି ପ୍ରାର୍ଥୀ। ଆଶ କରାଯାଉଥିଲା ରୀତାଙ୍କୁ ବିଜେଡି ୨୦୧୯ରେ ପୁଣି ପ୍ରାର୍ଥୀ କରିବ। ହେଲେ ସେଠାରୁ ନିଜେ ନବୀନ ପ୍ରାର୍ଥୀ ହେବା ସ୍ପଷ୍ଟ ହେବା ପରେ ରୀତା ଏବେ କ’ଣ କରିବେ ତା’ ଉପରେ ସମସ୍ତଙ୍କ ନଜର।

ରୀତା ସାହୁ ହେଉଛନ୍ତି ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କୁ ସ୍ତ୍ରୀ। କ୍ୟାନସରରେ ଆକ୍ରାନ୍ତ ହୋଇ ସୁବଳଙ୍କର ଅକାଳ ମୃତ୍ୟୁ ହୋଇଥିଲା। ଫଳରେ ବିଜେପୁର ଆସନ ଖାଲି ପଡ଼ିଥିଲା।

ଏହି ଆସନଟି ୨୦୦୪ରୁ କଂଗ୍ରେସ ଦଖଲରେ ରହିଥିଲା। ସୁବଳଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେଡିରେ ଯୋଗ ଦେଇଥିଲେ। ଉପ-ନିର୍ବାଚନରେ ସୁବଳଙ୍କ ସ୍ତ୍ରୀ ରୀତାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

ନିାଜ ନବୀନ ପଟ୍ଟନାୟକ ବି ରୀତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଏହି ହାଇଭୋଲଟେଜ ଉପ-ନିର୍ବାଚନରେ ଶେଷରେ ବିଜୟୀ ହୋଇଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀ ରୀତା ସାହୁ।

ଏବେ ନବୀନ ପଟ୍ଟନାୟକ ଏହି ଆସନରୁ ଛିଡ଼ା ହେଉଥିବାରୁ ରୀତା ଏବଂ ତାଙ୍କ ପରିବାରକୁ ନିରାଶ ହେବାକୁ ପଡ଼ିଛି। ରୀତାଙ୍କୁ ବିଜେଡି ଆଉ କେଉଁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖୁଛି ନା ସେ ଅଲୋଡ଼ା ହୋଇ ରହୁଛନ୍ତି ତା’ ଉପରେ ନଜର।

Comment