ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବାଜିଛି ନିର୍ବାଚନ ବିଗୁଲ। ସବୁଠି ଏବେ ଏହି ଚର୍ଚ୍ଚା। ବିଜେଡି ଆଜି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ ବୋଲି ଚର୍ଚ୍ଚା ହେଉଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରୁ ୪ ଲୋକସଭା ଓ ୨୮ ଟି ବିଧାନସଭା ଆସନ ଲାଗି ନିର୍ବାଚନ ହେବ। ତେବେ ଯେଉଁ ୪ ଲୋକସଭା ଆସନ ଲାଗି ନିର୍ବାଚନ ହେବ ସେଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛି ବ୍ରହ୍ମପୁର ଲୋକସଭା ଆସନ।

ରବିବାର ସଂଧ୍ୟାରେ ନବୀନ ନିବାସରୁ ସିଦ୍ଧାନ୍ତ ମହାପାତ୍ରଙ୍କୁ ଡାକରା ଆସିଥିଲେ। ସଭାପତିଙ୍କ ସହ ଦେଖା କରିବା ପରେ ଗଣମାଧ୍ୟମ ପ୍ରତିନିଧି ନିର୍ବାଚନ ଲଢିବା ନ ଲଢିବା ନେଇ ପ୍ରଶ୍ନ ପଚାରିଥିଲେ।

ସିଦ୍ଧାନ୍ତ ଉତ୍ତରରେ କହିଥିଲେ କି, “ମୋତେ ଡକରା ଆସିଥିଲା ତେଣୁ ମୁଁ ଆସିଛି। ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଆଜି ଦଳରେ ଅଛି କାଲି କିଏ ଦେଖିଛି।”

ସିଦ୍ଧାନ୍ତଙ୍କ ଏହି ପ୍ରତିକ୍ରିୟା ପରେ ବ୍ରହ୍ମପୁରରୁ ତାଙ୍କୁ ଲୋକସଭା ଲାଗି ତୃତୀୟ ଥର ଟିକେଟ ମିଳିବା ନମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଗତ ୨ଥର ବିଜେଡିରୁ ନିର୍ବାଚନ ଲଢି ସେ କଂଗ୍ରେସର ଚନ୍ଦ୍ରଶେଖର ସାହୁଙ୍କୁ ହରାଇଥିଲେ ମାତ୍ର ଗତ କିଛି ଦିନ ତଳେ ଚନ୍ଦ୍ରଶେଖର ବିଜେଡିରେ ସାମିଲ ହେବା ପରେ, ଏଥର ଦଳ ସିଦ୍ଧାନ୍ତଙ୍କ ବଦଳରେ ଆଉ କାହାକୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ସିଦ୍ଧାନ୍ତ ଚନ୍ଦ୍ରଶେଖରଙ୍କ ଛଡ଼ା ଆଉ ଏକ ନାଁ ମଧ୍ୟ ବ୍ରହ୍ମପୁର ଲୋକସଭା ଟିକେଟ ଲାଗି ଆସୁଛି ସେ ହେଉଛନ୍ତି କଲ୍ୟାଣୀ ଦେବୀ। ଯେହେତୁ ଦଳର ସଭାପତି ଏଥର ଲୋକସଭାକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ଲାଗି କହିଛନ୍ତି ତା ପରଠୁ କଲ୍ୟାଣୀ ଦେବୀଙ୍କ ନାଁ କୁ ନେଇ ଆଲୋଚନା ଆରମ୍ଭ ହେଉଛି। ତେବେ ଏସବୁ ଚର୍ଚ୍ଚା ଭିତରେ ସମସ୍ତଙ୍କ ନଜର ରହିଛି ପ୍ରାର୍ଥୀ ତାଲିକା ଉପରେ।

Comment