ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବାରବାଟୀ-କଟକ ନିର୍ବାଚନମଣ୍ଡଳୀରୁ କାହାକୁ ଟିକେଟ ମିଳବ ଏ ନେଇ ଅନିଶ୍ଚିତତା ସ୍ଥିତି ଜାରି ରହିଛି। ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ। ଆଶା ଓ ଆଶଙ୍କାରେ ଆଶାୟୀ ନେତା ଓ କର୍ମୀ

(କଟକରୁ ପ୍ରଣବ କୁମାର ନନ୍ଦୀ): ନିର୍ବାଚନ ଘଣ୍ଟି ବାଜିସାରିଛି। ବିଭିନ୍ନ ଆସନର ସମ୍ଭାବ୍ୟ ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ଜୟ ପରାଜୟ ସମ୍ଭାବନାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବାରବାଟୀ-କଟକ ନିର୍ବାଚନମଣ୍ଡଳୀରୁ କାହାକୁ ଟିକେଟ ମିଳବ ଏ ନେଇ ମଧ୍ୟ ଅନିଶ୍ଚିତତା ସ୍ଥିତି ଜାରି ରହିଛି। ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଶିବିର ଯେତେ ଚିନ୍ତିତ ନୁହଁନ୍ତି ବିଜେଡି ଓ ବିଜେପିରେ ପ୍ରାର୍ଥୀତ୍ୱକୁ ନେଇ ଏହି ଦୁଇ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଥିବାରୁ, ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ଆଶାୟୀ ନେତା ଓ କର୍ମୀମାନେ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି।

ଏହି ଆସନରୁ ଲଗାତର ଦୁଇ ଥର ଜିତିଥିବା ଦେବାଶିଷ ସାମନ୍ତରାୟ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ କି ନାହିଁ ତାହାକୁ ନେଇ ଆଲୋଚନା ହେଉଛି। ବିଧାୟକ ଶ୍ରୀ ସାମନ୍ତରାୟଙ୍କ କହିବା ଅନୁଯାୟୀ, ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ ଛାଡ଼ିଦେଇଛନ୍ତି। ଦଳ ତାଙ୍କୁ କଟକ ହେଉ ବା ପାରାଦୀପ ଯେଉଁଠୁ ବି ପ୍ରାର୍ଥୀ କରିବ, ସେ ସେହି ଅନୁଯାୟୀ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିକଳ୍ପ ଭାବେ ଚଳଚ୍ଚିତ୍ର ତାରକା ଅରିନ୍ଦମ ରାୟ ଏବଂ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଏହାବ୍ୟତୀତ ଅଭିନେତ୍ରୀ ବର୍ଷା ଓ ପୂର୍ବତନ ମେୟର ସୈାମେନ୍ଦ୍ର ଘୋଷଙ୍କ ନାମ ଆଶାୟୀ ତାଲିକାରେ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବିଜେପିରେ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଟିକେଟ ଦୈାଡ଼ରେ ଆଗୁଆ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ଦେ ତାଙ୍କର ପାରମ୍ପରିକ ଆସନରୁ ପୁଣି ଥରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ରଖିଛନ୍ତି। ଏହାବ୍ୟତୀତ ବିଶ୍ୱଜିତ ମହାନ୍ତି, ଲକ୍ଷ୍ମୀଧର ପ୍ରଧାନ ଓ ବିନୋଦ ଦାସ ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବେ ମହମ୍ମଦ ମୋକିମଙ୍କ ନାମ ଏକପ୍ରକାର ସ୍ପଷ୍ଟ ହୋଇଛି ବୋଲି ଚର୍ଚ୍ଚା ହେଉଛି।

ବିଧାୟକ ଦେବାଶିଷ ସାମନ୍ତରାୟ ଏହି ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୪ରେ ଦୁଇ ଥର ବିଧାୟକ ହୋଇଛନ୍ତି। ୨୦୦୯ ନିର୍ବାଚନରେ ବିଜେଡିକୁ ୫୨ ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ କଂଗ୍ରେସ ଦଳକୁ ୨୭ ହଜାରରୁ ଅଧିକ ଭୋଟ ମିଳିଥିଲା ଓ ବିଜେପିକୁ ୧୫ ହଜାରରୁ ଅଧିକ ଭୋଟ ମିଳିଥିଲା। ସେହିପରି ୨୦୧୪ ମସିହାରେ ବିଜେଡିକୁ ୫୭ ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ କଂଗ୍ରେସ ଦଳକୁ ୪୩ ହଜାରରୁ ଅଧିକ ଭୋଟ ଓ ବିଜେପିକୁ ୨୦ ହଜାରରୁ ଅଧିକ ଭୋଟ ମିଳିଥିଲା।

୧୯୯୫ରୁ ୨୦୦୯ ପର୍ଯ୍ୟନ୍ତ ଯଦିଓ ବିଜେପି ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ଆସନଟି ରହିଥିଲା କିନ୍ତୁ ୨୦୦୯ ନିର୍ବାଚନରେ ବିଜେପି ତୃତୀୟ ସ୍ଥାନକୁ ଚାଲିଯାଇଥିଲା।

ନିକଟ ଅତୀତରେ ୩ଟି ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶର ନିର୍ବାଚନୀ ସଫଳତାର ପ୍ରଭାବ ଓଡ଼ିଶା ଉାପରେ ପଡ଼ିବ ବୋଲି ରାଜ୍ୟ କଂଗ୍ରେସ ଆଶାବାନ୍ଧି ରହିଛି। ସେହିପରି ଭାରତୀୟ କଂଗ୍ରେସ ଦଳର ଜାତୀୟ ସଭାପତି ରାହୁଲ ଗାନ୍ଧିଙ୍କ ଏକାଧିକ ଓଡ଼ିଶା ଗସ୍ତ ଓଡ଼ିଶା କଂଗ୍ରେସ ଶିବିରକୁ ଚଳଚଂଚଳ କରିଦେଇଛି। ଏହାର ପ୍ରଭାବ ମଧ୍ୟ ଏହି ନିର୍ବାଚନମଣ୍ଡଳୀ ଉପରେ ପଡ଼ିବ ବୋଲି ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି।

ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହେବା ପରେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ମାହୋଲ ସରଗରମ ହୋଇପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଚଳିତବର୍ଷ ଏହି ନିର୍ବାଚନମଣ୍ଡଳୀରେ  ତିନି ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comment