ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଚୈାଦ୍ୱାର ଥାନା ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ଟି ଚୋରା ମଟରସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁରର ମୂଳବାସିନ୍ଦା ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ହଂସପାଳ ପ୍ଲଟ ନଂ ୨୨୭ରେ ରହୁଥିବା ପ୍ରଦୀପ ସାହୁ ଓରଫ ବାବୁଲି(୩୫) ଓ କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ନରପଡ଼ାର ଇନାମ ଖାନ(୨୬)।

ପୋଲିସ ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଏଏସଆଇ ସୁଧିର ସେନାପତି ଅନ୍ୟ କର୍ମଚାରୀଙ୍କ ସହ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରି ଓଟିଏମ ଛକଠାରେ ବ୍ଲକିଂ କରି ତନଖି କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକ ଏକ ବୁଲେଟ ମଟରସାଇକେଲରେ ଗାନ୍ଧି ଛକ ଆଡ଼କୁ ଦ୍ରୁତ ବେଗରେ ଯାଉଥିବା ଦେଖିଥିଲେ। ସେ ତାକୁ ଅଟକିବା ପାଇଁ ସଂକେତ ଦେବା ସତ୍ୱେ ସେ ଅଟକିବା ପରିବର୍ତ୍ତେ ଦ୍ରୁତଗତିରେ ପଳାଇଥିଲା। ତେବେ ସେମାନେ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

ବାବୁଲିକୁ ପଚରା ଉଚରା ପରେ ସେ ଗାଡ଼ିର କୈାଣସି କାଗଜପତ୍ର ଦେଖାଇ ପାରିନଥିଲା ଓ ଏକ ମାସ ପୂର୍ବରୁ ଭୁବନେଶ୍ୱର ସହିଦନଗର ଅଞ୍ଚଳରୁ ଚୋରି କରି ଆଣିଥିବା ସ୍ୱୀକାର କରିଥିଲା।  ସେ ଭୁବନେଶ୍ୱର ଅଞ୍ଚଳରୁ ଅନେକ ମଟରସାଇକେଲ ଚୋରି କରି ଚଳାଉଥିବା ଏବଂ ସେଗୁଡ଼କୁ ବିକ୍ରି କରିବା ପାଇଁ ଯୋଗାଯୋଗ କରୁଥିବା ଜଣାପଡ଼ିଥିଲା।

ତା’ର ସୂଚନା ଆଧାରରେ ବାବୁଲି ଏବଂ ତା’ର ସହଯୋଗୀ ଇନାମ୍ ନିକଟରୁ ମୋଟ ୧୦ଟି ମଟରସାଇକେଲ ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କର ଅପରାଧିକ କାର୍ଯ୍ୟକଳାପର ଛାନଭିନ ଜାରି ରହିଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Comment