ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶାରେ ବାର ମାସରେ ୧୩ପର୍ବ ପାଳନ କରାଯାଇଥାଏ। ଭକ୍ତ କେଉଁଠି ଧାଇଁଯାଏ ଭଗବାନଙ୍କୁ ଦର୍ଶନ କରିବା ଲାଗି ତ କେବେ ଭଗବାନ ଦାଣ୍ଡକୁ ଆସି ଭକ୍ତଙ୍କ ଭଲମନ୍ଦ ବୁଝିଥାନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ ଦୋଳ ପୂର୍ଣ୍ଣିମା ପୂର୍ବରୁ ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ମେଳଣରେ। ଫଗୁପୂର୍ଣ୍ଣିମା ବା ଦୋଳପୂର୍ଣ୍ଣିମା ପୂର୍ବରୁ ଅନେକ ସ୍ଥାନରେ ମେଳନ ପର୍ବ ବା ଯାତ୍ରା ବିଭିନ୍ନ ସ୍ଥାନରେ ପାଳନ ହୋଇଥାଏ।

ଭଦ୍ରକ ବାସୁଦେବପୁରସ୍ଥିତ ଜୟପୁର ଗାଁରେ ପାଖାପାଖି ୪୦ ବର୍ଷରୁ ଅଧିକ ହେବ ଦ୍ୱାଦଶୀ ତିଥିରେ ପାଳନ ହୋଇଥାଏ ମେଳଣ ଯାତ୍ରା। ଭକ୍ତ ଓ ଭଗବାନଙ୍କର ଏକ ଅପୂର୍ବ ମିଳନ ଏଠାରେ ଦେଖିବାକୁ ମିଳିଥାଏ।

ରାଧାକୃଷ୍ଣ ଓ ଗୋପାଳ ଜୀଉଙ୍କୁ ଅତି ସୁନ୍ଦର ଭାବେ ଭକ୍ତିର ସହ ଗାଁଲୋକ ସଜାଇଥାନ୍ତି। ଦ୍ୱାଦଶୀ ତିଥିରେ ଆଖପାଖ ଗାଁରେ ବି ମେଳଣ ପାଳନ ହୋଇଥାଏ। ୬ଟି ବିମାନ ଆସି ପହଞ୍ଚିଥିଲା ଜୟପୁରରେ। ତା’ପରେ ଆରମ୍ଭ ହୋଇଥିଲା ମେଳଣ ଯାତ୍ରା।

ଗାଁଲୋକେ ସଂକିର୍ତ୍ତନ, ଶଙ୍ଖ, ହୁଳହୁଳିରେ ବିମାନକୁ ସ୍ୱାଗତ କରିଥିଲେ। ସେତେବେଳେ ଗାଁର ପରିବେଶ ଯେମିତି ଭକ୍ତିମୟ ଥିଲା। ସମସ୍ତେ ପରସ୍ପର ମଧ୍ୟରେ ଅବିର ଲଗାଇ ରାଗରୁସା ଭୁଲିଥିଲେ। ହୋଲି ପୂର୍ଣ୍ଣିମା ଆଗରୁ ଯେମିତି ଗାଁରେ ପ୍ରତିଟି ଲୋକ ହୋଲି ଖେଳିଛନ୍ତି।

ଏହି ମେଳଣରେ ଠାକୁରଙ୍କ ପାଇଁ ଏକ ବିଶେଷ ଭୋଗ ଲାଗି କରାଯାଇଥଏ। ପ୍ରତିବର୍ଷ ଏହି ମେଳଣକୁ କେମିତି ଅଧିକ ଭଲ କରିହେବ ସେ ନେଇ ଗାଁଲୋକେ ଚେଷ୍ଟା କରୁଥିବା କହିଛନ୍ତି।

ଆଧୁନିକ ସମାଜରେ ପ୍ରତିଟି ବ୍ୟକ୍ତି ସହରର ଚାକଚକ୍ୟ ପ୍ରତି ଲୋଭିତ ହେଉଥିବା ବେଳେ ଗାଁର ଏହି ପରିବେଶ ପୁଣି ଥରେ ଗାଁ ମାଟିକୁ ମନେ ପକାଇଦେଇଛି ସମସ୍ତଙ୍କୁ।

Comment