ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସୁନ୍ଦରଗଡ଼ର ବିଜେଡି ନେତ୍ରୀ କୁସୁମ ଟେଟେ ଆଜି ଦଳ ଛାଡ଼ିଛନ୍ତି।

“ପାଞ୍ଚ ବର୍ଷ ହେଲା ମୁଁ ଯାହା ବିରୋଧରେ ଲଢୁଥିଲି ତାଙ୍କୁ ଆଜି ବିଜେଡି ଟିକେଟ ଦେଇଛି। ଯିଏ ଦିନେ ବିଜେଡିର ନାଁ ମୁହଁରେ ନେଇ ନାହାନ୍ତି, ଦଳ ପାଇଁ କାମ କରି ନାହାନ୍ତି, ତାଙ୍କୁ ଟିକେଟ ଦିଆଗଲା। ଏହା ମତେ ଦୁଃଖ ଦେଇଛି”, କାନ୍ଦି କାନ୍ଦି ଓଡ଼ିଶାଲାଇଭ୍‌ କ୍ୟାମେରା ଟିମ୍ ଆଗରେ ଏହା କହିଛନ୍ତି କୁସୁମ ଟେଟେ।

କୁସୁମ ଟେଟେ ହେଉଛନ୍ତି ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ନେତ୍ରୀ। ୨୦୧୪ ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ହୋଇଥିଲେ। କଂଗ୍ରେସର ଯୋଗେଶ ସିଂଙ୍କଠାରୁ କୁସୁମ ପରାଜିତ ହୋଇଥିଲେ। ହେଲେ ନିକଟରେ ଯୋଗେଶ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଯୋଗେଶଙ୍କ ଯୋଗଦାନକୁ କୁସୁମଙ୍କ ସମର୍ଥକମାନେ ପ୍ରବଳ ବିରୋଧ କରିଥିଲେ। ମାତ୍ର ବିଜେଡି ଯୋଗେଶଙ୍କୁ ଟିକେଟ ଦେଇଛି। ଏହାକୁ ବିରୋଧ କରି କୁସୁମ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।

ଶହ ଶହ ସମର୍ଥକଙ୍କୁ ନେଇ କୁସୁମ ଆଜି ଆସିଥିଲେ ନବୀନ ନିବାସ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରତିକ୍ରିୟା ଦେବା ବେଳେ କାନ୍ଦି ପକାଇଥିଲେ।

“୨୦୧୪ରେ ମୋ’ ଉପରେ ଆମ ନେତା ନବୀନ ପଟ୍ଟନାୟକ ଭରସା କରିଥିଲେ। ମତେ ପ୍ରାର୍ଥୀ କରିଥିଲେ। ମୁଁ ହାରିବା ପରେ ବି ମତେ ଦଳ ଛାଡ଼ି ନଥିଲା କି ମୁଁ ଦଳ ଛାଡ଼ି ନଥିଲି। ୫ ବର୍ଷ ଭିତରେ ଦଳ ଯାହା ଦାୟିତ୍ୱ ଦେଇଛି ମୁଁ କରିଛି। ଘରକୁ ଘର ବୁଲି ସରକାରଙ୍କ ଯୋଜନା ବିଷୟରେ ଅବଗତ କରୁଥିଲି। ହେଲେ ଦଳ ଆଜି ମତେ ଅଣଦେଖା କରିଛି”, କହିଛନ୍ତି କୁସୁମ ଟେଟେ।

କୁସୁମ ଆହୁରି କହିଛନ୍ତି, “ମୁଁ ବିଜେଡି ଛାଡୁଛି। ହେଲେ କୁଆଡେ ଯିବି ନିଷ୍ପତ୍ତି ନେଇଛି। ମୋ’ କର୍ମୀ ଯାହା କହିବେ ମୁଁ ସେଇ ଆଧାରରେ କାମ କରିବି।”

Comment