ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନୂଆ ମୁହଁଙ୍କୁ ଭରସା କଲା କଂଗ୍ରେସ। ଓଡ଼ିଶାର ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା କଂଗ୍ରେସ ୪ଟି ଆସନରେ ନୂଆ ମୁହଁକୁ ଅଗ୍ରାଧିକାର ଦେଇଛି। ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ ଏବଂ ବ୍ରହ୍ମପୁର ଆସନରେ କଂଗ୍ରେସ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦେବ ବୋଲି ଘୋଷଣା କରିଛି।

ବରଗଡ଼ରୁ ପ୍ରଦୀପ କୁମାର ଦେବତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ସୁନ୍ଦରଗଡ଼ରୁ ଜର୍ଜ ତିର୍କୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ ଏବଂ ବ୍ରହ୍ମପୁରରୁ ଭି ଚନ୍ଦ୍ରଶେଖର ନାଇଡୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏହାସହ ୫୬ଟି ବିଧାନସଭା ଆସନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୨୩ ନୂଆ ମୁହଁ ଅଛନ୍ତି।

ସେହିପରି ନବରଙ୍ଗପୁର ଆସନରେ ପ୍ରଦୀପ ମାଝି ଏବଂ କଳାହାଣ୍ଡି ଲୋକସଭା ଆସନରୁ ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ସ୍ପଷ୍ଟ କରିଥିଲେ ଯେ କଂଗ୍ରେସ ଏଥର ଉଭୟ ବିଧାନସଭା ଏବଂ ଲୋକସଭା ଆସନରେ ନୂଆ ମୁହଁକୁ ଅଗ୍ରାଧିକାର ଦେବ। ସେହି ଅନୁସାରେ ଦଳ ନୂଆ ମୁହଁକୁ ଅଗ୍ରାଧିକାର ଦେଉଥିବା କୁହାଯାଉଛି।

“କଂଗ୍ରେସ ଅନେକ ନୂଆ ମୁହଁକୁ ଏଥର ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଯୁବକ ଏବଂ ମହିଳାମାନଙ୍କୁ ଅଗ୍ରାଧିକାର ଦେବା ପାଇଁ କଂଗ୍ରେସ ଲକ୍ଷ୍ୟ ରଖିଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଦିଲ୍ଲୀରେ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅଙ୍କ କଷୁଥିବା ବେଳେ ଓଡ଼ିଶାରେ ଜଣକ ପରେ ଜଣେ ନେତା ଦଳ ଛାଡ଼ି ବିଜେଡିରେ ଯୋଗ ଦେଉଥିଲେ। ଫଳରେ ଦଳ କାହାକୁ ନେଇ ଓଡ଼ିଶାରେ ନିର୍ବାଚନ ଲଢ଼ିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ହେବା ପରେ ଏହି ଆଶଙ୍କା ଦୂର ହୋଇଛି। ୨୨ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି।

ବିଜେଡି ଗତକାଲି ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା।

ନବରଙ୍ଗପୁରରେ କଂଗ୍ରେସର ପ୍ରଦୀପ ମାଝିଙ୍କୁ ବିଜେଡିର ରମେଶ ମାଝି ଟକ୍କର ଦେବାକୁ ଥିବା ବେଳେ କଳାହାଣ୍ଡିରେ ଭକ୍ତ ଦାସଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ। ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସର ଜର୍ଜ ତିର୍କୀଙ୍କୁ ଟକ୍କର ଦେବେ ବିଜେଡିର ସୁନିତା ବିଶ୍ୱାଳ। ବ୍ରହ୍ମପୁରରେ ବିଜେଡିର ଚନ୍ଦ୍ରଶେଖର ସାହୁଙ୍କ ବିପକ୍ଷରେ କଂଗ୍ରେସ ଭି ଚନ୍ଦ୍ରଶେଖର ନାଇଡୁଙ୍କୁ ପ୍ରାର୍ଥୀ କରିଛି।

Comment