ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପରେ ବିଜେଡିରେ ଅସନ୍ତୋଷ ବଢ଼ୁଛି।

ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଦିନକ ପରେ ଦେଖାଦେଇଛି ଅସନ୍ତୋଷ। ଦଳ ଚୂଡ଼ାନ୍ତ କରିଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଅସନ୍ତୁଷ୍ଟ ଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦଳ ଦେଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଜଣକ ପରେ ଜଣେ ନେତା ବିଜେଡିରୁ ଇସ୍ତଫା ଦେଉଛନ୍ତି।

ସୁନ୍ଦରଗଡ଼, ପାରଳାଖେମୁଣ୍ଡି, କଳହାଣ୍ଡି, ଆସ୍କା ଏବଂ ମୋହନାରେ ଅସନ୍ତୋଷ ଜାହିର କରିଛନ୍ତି ନେତା। କିଏ ଖୋଲାଖୋଲି ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ଇସ୍ତଫା ଦେଇଛି ତ ପୁଣି କିଏ ଅସନ୍ତୋଷ ଜାହିର କରି ନୀରବ ରହିଛି।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୁନ୍ଦରଗଡ଼ରୁ ଟିକେଟ ନେଇଛନ୍ତି ଯୋଗେଶ ସିଂ। ନିକଟରେ ଯୋଗେଶ କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିଲେ। ଟିକେଟ ଆଶାୟୀ କୁସୁମ ଟେଟେଙ୍କୁ ପଛରେ ପକାଇ ବାଜି ମାରିନେଲେ ଯୋଗେଶ। ଏଥିରେ ଅସନ୍ତୋଷ ଜାହିର କରି କୁସୁମ ଆସିଥିଲେ ନବୀନ ନିବାସ।

ବିଜେଡିର ଟିକେଟ ମ୍ୟାନେଜର ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ବିଜେଡି ତାଙ୍କୁ ୫ ବର୍ଷ କାଳ ଖଟାଇବା ପରେ ଶେଷରେ ଟିକେଟରୁ ବାଦ୍‌ ଦେଇଥିବା କୁସୁମ ଅଭିଯୋଗ ଆଣିଛନ୍ତି। ଖାଲି ଅଭିଯୋଗ ନୁହେଁ, ତାଙ୍କ ସମର୍ଥକଙ୍କ ସହ ବିଜେଡିରୁ ଇସ୍ତଫା ଦେଇଛନ୍ତି କୁସୁମ।

କୁସୁମ କହିଛନ୍ତି, “ପାଞ୍ଚ ବର୍ଷ ହେଲା ମୁଁ ଯାହା ବିରୋଧରେ ଲଢୁଥିଲି ତାଙ୍କୁ ଆଜି ବିଜେଡି ଟିକେଟ ଦେଇଛି। ଯିଏ ଦିନେ ବିଜେଡିର ନାଁ ମୁହଁରେ ନେଇ ନାହାନ୍ତି, ଦଳ ପାଇଁ କାମ କରି ନାହାନ୍ତି, ତାଙ୍କୁ ଟିକେଟ ଦିଆଗଲା। ଏହା ମତେ ଦୁଃଖ ଦେଇଛି।”

ପାରଳାଖେମୁଣ୍ଡିରେ ମଧ୍ୟ ବିଦ୍ରୋହ ଉଠିଛି। କଲ୍ୟାଣୀ ଗଜପତିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଅନ୍ୟତମ ଆଶାୟୀ ଆଜି କେ ନାରାୟଣ ରାଓ ଇସ୍ତଫା ଦେଇଛନ୍ତି। ସେ ଟିକେଟ ଦୌଡ଼ରେ ଥିଲେ।

କଳାହାଣ୍ଡି ରାଜନୀତିରେ ବି ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ଏପଟେ ଆସ୍କା ବିଧାନସଭା ଆସନରେ ମଞ୍ଜୁଳା ସ୍ୱାଇଁଙ୍କୁ ପ୍ରାର୍ଥୀ କରିବା ପରେ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦେବରାଜ ମହାନ୍ତି ଅସନ୍ତୋଷ ଜାହିର କରିଛନ୍ତି। ଏହି ଅସନ୍ତୋଷ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

ଏପଟେ କଳହାଣ୍ଡିରେ ବି ଅସନ୍ତୋଷ ଦେଖାଦେଇଛି। ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରି ନାହାନ୍ତି ସାଂସଦ ଅର୍କ କେଶରୀ ଦେଓ। ୨୦୧୪ରେ ବିଜେଡି ଟିକେଟରୁ ସାଂସଦ ହୋଇଥିବା ଅର୍କ କେଶରୀ ଏଥର ଟିକେଟ ପାଇବେ ବୋଲି ଆଶା କରିଥିଲେ। ଏନେଇ ଲବି ମଧ୍ୟ ଚଳାଇଥିଲା। ହେଲେ ବିଜେଡି ତାଙ୍କୁ ଟିକେଟ ଦେଇନି। ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ସାଂସଦ ପ୍ରାର୍ଥୀ କରିଛି ବିଜେଡି।

ଏହାକୁ ବିରୋଧ କରି ଅର୍କ କେଶରୀ ଦେଓ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ସେହିପରି କନ୍ଧମାଳ ଲୋକସଭା ଆସନରୁ ପୁଣି ପ୍ରାର୍ଥୀ ହେବା ପାଇଁ ଦାବିଦାର ଥିବା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନିରାଶ ହୋଇଛନ୍ତି। କିଟ୍‌ ଏବଂ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଦଳ ପ୍ରାର୍ଥୀ କରିବା ପରେ ପ୍ରତ୍ୟୁଷାଙ୍କ ସମର୍ଥକ ଅନ୍ୟ ଦଳକୁ ଯିବା ପାଇଁ ଅଙ୍କ କଷୁଛନ୍ତି। ସେ ନୟାଗଡ଼ ବିଧାନସଭା ପାଇଁ ଦାବିଦାର ଅଛନ୍ତି। ଯଦି ବିଜେଡି ଟିକେଟ ନମିଳେ ତାହାଲେ ସେ ଅନ୍ୟ ଦଳକୁ ଯିବା ଏକ ପ୍ରକାର ଥୟ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ଜଣକ ପରେ ଜଣେ ନେତା ଦଳ ଛାଡୁ ଥିବାରୁ ବିଜେଡି ପାଇଁ ଚିନ୍ତା ବଢ଼ିଛି। ଏହି ଅସନ୍ତୋଷ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

Comment