ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏବେ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଶହ ଶହ ସମର୍ଥକଙ୍କ ଗହଣରେ ପ୍ରଦୀପ ଶୋଭାଯାତ୍ରାରେ ଆସିଥିଲେ। ଜିଲ୍ଲାପାଳଙ୍କ ଅଫିସରେ ପ୍ରାଥିର୍ପତ୍ର ଦାଖଲ କରିଥିଲେ।

ନିଜ ଫେସବୁକ ପେଜରେ ଶୋଭାଯାତ୍ରା ଫଟୋ ପୋଷ୍ଟ କରି ପ୍ରଦୀପ ନବରଙ୍ଗୁପର ଭୋଟରଙ୍କ ସମର୍ଥନ ଏବଂ ସହଯୋଗ କାମନା କରିଛନ୍ତି।

‘‘ମା’ ଭଣ୍ଡାରଘରଣୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରୁଛି’’, ଲେଖିଛନ୍ତି ପ୍ରଦୀପ ମାଝି।

ପ୍ରଦୀପ ମାଝି ବର୍ତ୍ତମାନ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି। ଏହାଛଡ଼ା ସେ ଆଦିବାସୀ ନେତା ଭାବେ ବେଶ୍ ଜଣାଶୁଣା। ୨୦୦୯ରେ ପ୍ରଦୀପ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ରେ ପ୍ରଦୀପଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ବିଜେଡିର ବଳଭଦ୍ର ମାଝି ବିଜୟୀ ହୋଇଥିଲେ। କିନ୍ତୁ ଏବେ ବଳଭଦ୍ର ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ଏହି ଆସନରୁ ରମେଶ ମାଝିଙ୍କୁ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ କଂଗ୍ରେସର ପ୍ରଦୀପ ମାଝି ଏବଂ ବିଜେଡିର ରମେଶ ମାଝିଙ୍କ ଭିତରେ କଡ଼ା ଟକ୍କର ହେବ।

Comment