କପିଳାସ ଭୂୟାଁ

ପ୍ରାକ୍ ନିର୍ବାଚନୀ ପରିବେଶରେ ଯାହା ବହୁଧା ଦେଖିବାକୁ ମିଳୁଛି ତା’ ହେଲା ଯେ ନେତାମାନେ ସେମାନଙ୍କ ପାର୍ଟି ବଦଳେଇବାରେ ଲାଗିଛନ୍ତି। କଂଗ୍ରେସ ନେତାମାନେ ଦଳ ଛାଡ଼ି ଯେଉଁ ବେଗରେ ବିଜେଡିରେ ଯୋଗ ଦେଉଛନ୍ତି ତାକୁ ଦେଖି ଲାଗୁଛି କି ସତେ ଯେମିତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ଦଳର ସବୁ ଗୌରବ କିଏ ହରଣ କରି ନେଇଛି!

ବିଜେଡିରୁ ଯେଉଁ ଆଶାୟୀ ପ୍ରାର୍ଥୀ ଟିକେଟ ପାଇପାରି ନାହାନ୍ତି ସେମାନେ ବିଦ୍ରୋହ କରିବେ ବୋଲି ନିଷ୍ପତ୍ତି ନେଇ ବିଜେପିରେ ଯୋଗ ଦେବାର ଉପକ୍ରମ କରୁଛନ୍ତି ଓ ଯଦି ଗ୍ରହଣୀୟ ହେବେ ନାହିଁ, ତେବେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପଛାଇବେ ନାହିଁ ବୋଲି ଚାପ ସୃଷ୍ଟି କରିବାରେ ଲାଗିଛନ୍ତି।

ନିର୍ବାଚନ ଘୋଷଣା ହେବାର କିଛି ମାସ ପୂର୍ବରୁ କଂଗ୍ରେସ ଦଳ ଛାଡ଼ି ଆସିଥିବା ବହୁ ନେତା ବିଜେଡିରେ ଯୋଗ ଦେବା ପରେ ସେମାନଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଛି।

ଏହାର ବଡ଼ ଉଦାହରଣ ହେଉଛି ବ୍ରହ୍ମପୁର। ଏଠାରେ ପାର୍ଲାମେଣ୍ଟ ଆସନ ପାଇଁ ପୁରୁଣା କଂଗ୍ରେସ ନେତା ଚନ୍ଦ୍ର ଶେଖର ସାହୁଙ୍କୁ ବିଜେଡି ଟିକେଟ ଦିଆଯାଇଥିବା ବେଳେ ବ୍ରହ୍ମପୁର ବିଧାନସଭା ପାଇଁ ଶ୍ରୀ ସାହୁଙ୍କ ଅନୁଗତ ବିକ୍ରମ କୁମାର ପଣ୍ଡାଙ୍କୁ ବିଜେଡି ସୁଯୋଗ ଦେଇଛି।

ସେହିଭଳି ଅନ୍ୟ ଏକ ଉଦାହରଣ ହେଲା ଝାରସୁଗୁଡ଼ା ବିଧାନସଭା ଆସନ। ଏକଦା ବିଧାନସଭା ଭିତରେ ବସି ମୋବାଇଲ ଫୋନରେ ଅସଡ ଭିଡିଓ ଦେଖୁଥିବା ଯୋଗୁ ଅତି ମାତ୍ରାରେ ନିନ୍ଦିତ ହୋଇଥିବା କଂଗ୍ରେସ ଦଳର ନବ କିଶୋର ଦାସଙ୍କୁ ଏବେ ସେଠାରୁ ଲଢ଼ିବା ପାଇଁ ବିଜେଡି ପକ୍ଷରୁ ଟିକେଟ ମିଳିଛି।

ଏହାର ଆମେ ସାଧାରଣ ଲୋକ କେଉଁ ଅର୍ଥ କରିବା? କଂଗ୍ରେସରେ ଥିବା ନେତା ଅଛୁଆଁ, ବିଜେଡିରେ ମିଶିଗଲେ ସବୁ ମାଫ୍? ବିଜେଡି ଦଳର ଏହା କିପରି ଆତ୍ମ ଗରିମା? ଏହା କ’ଣ କଂଗ୍ରେସ ନେତାମାନଙ୍କ କାଳିମା ଧୋଇବା ଗଙ୍ଗା!?

ନ ହେଲେ ମାତ୍ର ସପ୍ତାହେ ତଳେ ବିଜେଡିରେ ଯୋଗ ଦେଇଥିବା କଂଗ୍ରେସ ନେତା ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନିତା ବିଶ୍ଵାଳଙ୍କୁ ଏଠାରୁ ଲୋକସଭା ପାଇଁ ନିର୍ବାଚନ ଲଢ଼ିବାକୁ ଟିକେଟ କେମିତି ମିଳିଥାନ୍ତା? ଏହି ନିଷ୍ପତ୍ତିର ଯଥେଷ୍ଟ କୁପ୍ରଭାବ ଦଳ ଭିତରେ ପଡ଼ିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ!

ଉଭୟ ଲୋକସଭା ଓ ବିଧାନସଭା ଆସନରେ ଏକାଧିକ ନୂଆ ମୁହଁ ଆଣିବା ବାସ୍ତବରେ ଏକ ଅଭିନନ୍ଦନୀୟ ପଦକ୍ଷେପ। କିନ୍ତୁ ନୂଆ ମୁହଁ ନଆଣି ପୁରୁଣା କଂଗ୍ରେସ ନେତାଙ୍କୁ ଟିକେଟ ଦେବା କେଉଁ ଆଦର୍ଶର ବାର୍ତ୍ତା ବହନ କରିବ?

ବିଗତ କୋଡ଼ିଏ ବର୍ଷ ଧରି ଓଡ଼ିଶାର ସାଧାରଣ ଲୋକମାନେ ଜାଣିଛନ୍ତି ଯେ କେଉଁ ଆସନରେ ବିଜେଡି ପକ୍ଷରୁ କିଏ ନିର୍ବାଚନ ଲଢୁଛି ତାହା ଗୁରୁତ୍ଵପୂର୍ଣ୍ଣ ନୁହେଁ। କାରଣ ସେମାନେ ନବୀନ ବାବୁଙ୍କ ନାଁରେ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତି। ତେଣୁ ଶଙ୍ଖ ଚିହ୍ନରେ ଅଗା ବଗା ଖଗା ଯିଏ ନିର୍ବାଚନ ଲଢୁଥାନ୍ତୁ ନା କାହିଁକି ସେ ଜିତନ୍ତି।

ଏହି ଧାରା ଏପରି ବଳବତ୍ତର ରହିଛି ଯେ ୨୦୧୪ ନିର୍ବାଚନ ବେଳେ ସାରା ଦେଶରେ ମୋଦି ହାୱା ଚାଲୁଥିବା ସତ୍ତ୍ୱେ ଓଡ଼ିଶାରେ ବିଜେଡି ବାଜିମାତ କରିଥିଲା। ବିଜେଡି ସୁପ୍ରିମୋ ନବୀନ ବାବୁ ଓ ତାଙ୍କର ରାଜନୈତିକ କୋଟାରୀ ମଧ୍ୟ ଏ ବାବଦରେ ନିଶ୍ଚିନ୍ତ ହୋଇଥିଲେ। ସେଥିପାଇଁ ବିଭିନ୍ନ ସମୟରେ ବଡ଼ ବଡ଼ ବାହୁବଳି ନେତାଙ୍କୁ ତୁରନ୍ତ ହିରୋରୁ ଜିରୋ କରିବାରେ ସେମାନଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡ଼ି ନ ଥିଲା।

ଏହାର ଦୁଇଟି ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଅତି କ୍ଷମତାଶାଳୀ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ଦାମୋଦର ରାଉତ। ଅବଶ୍ୟ ଦାମୋଦର ରାଉତଙ୍କୁ ଦଳରୁ ବାହାର କରିବା ପରେ ଏହା ଭିତରେ ଦଳର ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଫୁଲ୍ଲଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରି ତାଙ୍କୁ ବିଜେଡି ପୁଣି କୋଳ କରି ନେଇଛି।

ତେବେ ବିଜେଡି ଆସ୍କା ନିର୍ବାଚନ ମଣ୍ଡଳୀରୁ ଜଣେ ସାଧାରଣ ମହିଳା ପ୍ରମିଳା ବିଷୋୟୀଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରି ସାରା ଦେଶକୁ ଚମକାଇ ଦେଇଛି। ଏହାକୁ ହିଁ ବିଜୁ ଜନତା ଦଳର ପ୍ରକୃତ ଆତ୍ମ ବିଶ୍ଵାସ ବୋଲି କହିବାକୁ ହେବ। କିନ୍ତୁ ଏହି ଆତ୍ମ ବିଶ୍ଵାସ ଅନ୍ୟ ଲୋକସଭା କି ବିଧାନସଭା ଟିକେଟ ଦେବା କ୍ଷେତ୍ରରେ ଦେଖିବାକୁ ମିଳିନାହିଁ।

ବିଜୁ ଜନତା ଦଳ ହୁଏତ ନିର୍ବାଚନ ଜିତିବା ନିଶାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଭୁଲି ଯାଇଛି। ଏହି ଦଳକୁ ରାଜ୍ୟ ସ୍ତରରେ ମଜବୁତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ନେତା ଓ କର୍ମୀମାନଙ୍କୁ ଯେଉଁ ଗୁରୁତ୍ଵ ଦେବା କଥା ତାହା କରିନାହିଁ।

ସେହିମାନଙ୍କ ମଧ୍ୟରୁ ପୁରୁଣା ମୁହଁ ହଟାଇ ନୂଆ ମୁହଁଙ୍କୁ ନିର୍ବାଚନ ଲଢ଼ିବା ସୁଯୋଗ ଦେଇଥିଲେ ହୁଏତ ତାହା ନେତା ଓ କର୍ମୀମାନଙ୍କୁ ଏତେ ମାତ୍ରାରେ ବାଧି ନ ଥାନ୍ତା, କଂଗ୍ରେସ ଦଳ ଛାଡ଼ି ଆସିଥିବା ନେତାଙ୍କୁ ଟିକେଟ ଦେବା ଦ୍ଵାରା ଯେତିକି ବାଧିଛି।

ତେଣୁ ଏବେ ସହସା ମନ ଭିତରକୁ ଯେଉଁ ପ୍ରଶ୍ନଟି ଆସୁଛି ତା’ ହେଲା କି କଂଗ୍ରେସ ନେତାମାନଙ୍କୁ ଆଣି ଯେଉଁ ଗୁରୁତ୍ଵ ଦିଆ ଯାଉଛି ତାହା ଯେଉଁ ବିଜୁ ବିଚାର ଧାରାକୁ ନେଇ ବିଜୁ ଜନତା ଦଳ ଗଢ଼ା ଯାଇଥିଲା ତାହାର ପରିପନ୍ଥୀ ନୁହେଁ କି? ନା ଦଳ ବଦଳେଇ ଦେଇ ଥିବାରୁ କଂଗ୍ରେସ ଦଳ ଛାଡ଼ି ଆସିଥିବା ନେତାମାନଙ୍କ ଚରିତ୍ର ବଦଳି ଯାଇଛି?

ବିଜୁ ଜନତା ଦଳର ନେତୃବୃନ୍ଦ ଏ ବାବଦରେ ନିହାତି ଚିନ୍ତା କରିବା ଦରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment