ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼ ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି ଏହି ପଖାଳ ସମ୍ପର୍କରେ ଆଲୋଚନା କରିବାର କାରଣ ହେଉଛି ଆଜି ହେଉଛି ବିଶ୍ୱ ପଖାଳ ଦିବସ ପଖାଳ ଖାଇ ଏହି ଦିବସକୁ ପାଳନ କରିଥାନ୍ତି ଓଡ଼ିଆ

ବଢ଼ୁଛି ତାତି। ଗାଁଠାରୁ ସହର ସବୁଠୁ ଅନୁଭବ ହେଲାଣି ଗ୍ରୀଷ୍ମର ପ୍ରକୋପ। ତାତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବର୍ଗ ଓ ବୟସର ବ୍ୟକ୍ତି ଆପଣେଇଲେଣି ଥଣ୍ଡାର ଉପଚାର। ବିଶେଷକରି ଖରାଦିନେ ପଖାଳ ଖାଇବାକୁ ଅଧିକ ଲୋକ ପସନ୍ଦ କରିଥାନ୍ତି। ଗାଁରୁ ସହର ସବୁଠି ପଖାଳ କଂସାରେ ଭରି ରହିଥାଏ ଓଡ଼ିଆର ଆତ୍ମୀୟତା।

ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ଗତ କିଛି ବର୍ଷ ହେଲା ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି।

ପଖାଳ ଦିବସକୁ ଦୃଷ୍ଟିରେ ରଖି ହୋଟେଲରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ ମାଲିକମାନେ ପଖାଳ ସାଙ୍ଗକୁ ବିଭିନ୍ନ ଭେରାଇଟିର ଆମିଷ ଏବଂ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିଛନ୍ତି।

ସହରର ହୋଟେଲଗୁଡ଼ିକରେ ନିରାମିଶ ପଖାଳ କଂସାର ମୂଲ୍ୟ ୭୦ ଟଙ୍କାରୁ ୧୨୫ ଟଙ୍କା ମଧ୍ୟରେ ରହିଛି। ସେହିପରି ଆମିଷ ସହ ଏହାର ଦର ରହିଛି ୮୦ ଟଙ୍କାରୁ ଆରମ୍ଭ କରି ୧୮୦ ଟଙ୍କା ପର୍ଯ୍ୟନ୍ତ।

ଚଳିତବର୍ଷ ଗ୍ରୀଷ୍ମର ପ୍ରକୋପ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ସହରର ବିଭିନ୍ନ ହୋଟେଲରେ ଦହି ପଖାଳର ବ୍ୟବସାୟ ଭଲ ହେବ ବୋଲି ହୋଟେଲ ମାଲିକମାନେ ଆଶା ବ୍ୟକ୍ତ କରିଛନ୍ତି।

Comment