କପିଳାସ ଭୂୟାଁ

ଦୁଇ ଦିନ ତଳେ ରବିବାର ସନ୍ଧ୍ୟାରେ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପହଞ୍ଚିଥିଲେ ନବୀନ ନିବାସରେ। “ଏଥର କଣ ସେ ନିର୍ବାଚନ ଲଢିବେ?” ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, “ମୁଁ ନିର୍ବାଚନ ଲଢ଼ିବି। ଯାହା ଚର୍ଚ୍ଚା ହେଉଛି ତାହା ସବୁ ମିଛ। ଚର୍ଚ୍ଚା ହେବାକୁ ଦିଆଯାଉ। ନବୀନ ବାବୁ ଯାହା କରିବେ ଠିକ୍‌ କରିବେ। ଦଳ ଏଥର ମଧ୍ୟ ବହୁମତରେ ଜିତିବ।”

ସାରା ରାଜ୍ୟରେ ଭୁବନେଶ୍ଵର ଲୋକସଭା ଆସନକୁ ଏକ ମର୍ଯାଦ୍ୟାଜନକ ଆସନର ମାନ୍ୟତା ଦିଆଯାଏ। ସେଥିପାଇଁ ସବୁ ରାଜନୈତିକ ଦଳରୁ ଏକାଧିକ ନେତା ଟିକେଟ ପାଇବା ପାଇଁ ଆଶାୟୀ ହୋଇଥାନ୍ତି। ଏହି ଆସନରୁ ଗେରୁଆ ବାବା ପ୍ରସନ୍ନ ପାଟ୍ଟଶାଣୀ ଲଗାତାର ଭାବେ ଜିତି ଆସୁଛନ୍ତି।

ଜାଣିବା ଶୁଣିବା ମହଲରେ ବିଶ୍ଵାସ କରାଯାଏ କି ନିଜ ନେତୃତ୍ଵ ପାଇଁ ଯେତିକି ନୁହେଁ, ବରଂ ବିଜେଡି ଦଳର ଶଙ୍ଖ ଚିହ୍ନ ଯୋଗୁ ତାଙ୍କୁ ଏହି ସଫଳତା ମିଳି ଆସୁଛି। ବିଜୁ ଜନତା ଦଳ ପକ୍ଷରୁ ୨୦୧୯ ନିର୍ବାଚନ ପାଇଁ ନୂଆ ମୁହଁ, ନୂଆ ନେତା ଓ ମହିଳାମାନଙ୍କୁ ନିଷ୍ପତ୍ତିମୂଳକ ଭାବେ ଅଧିକ ଗୁରୁତ୍ଵ ଦିଆ ଯାଉଥିବାରୁ ବାବାଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଶଙ୍କା କରାଯାଉଥିଲା। ବାବା ପ୍ରସନ୍ନ ପାଟ୍ଟଶାଣୀ କିନ୍ତୁ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ।

ଅନ୍ୟପଟେ କିନ୍ତୁ ପୋଲିସ ବାହିନୀରୁ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ଅରୂପ ପଟ୍ଟନାୟକଙ୍କୁ ଦଳୀୟ ଟିକେଟ ମିଳିବା ନିଷ୍ପତ୍ତି ହୋଇ ସାରିଲାଣି। ଖାଲି ଘୋଷଣା ହୁଏତ ବାକି ରହିଛି। ସେହି କାରଣରୁ ବାବୁ ଅରୂପ ପଟ୍ଟନାୟକ ତାଙ୍କ ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରି ଦେଲେଣି।

ଏହି କ୍ରମରେ ଆଜି ପଖାଳ ଦିବସ ପାଳନ କରିବା ଅବସରରେ ବାବୁ ଅରୂପ ପଟ୍ଟନାୟକଙ୍କୁ ରାଜଧାନୀର ବିଜେଡି କର୍ମୀମାନଙ୍କ ଗହଣରେ ଦେଖିବାକୁ ମିଳିଥିଲା। ତାଙ୍କ ସାଙ୍ଗରେ ରହିଥିଲେ ବିଏମସିର ପୂର୍ବତନ ମେୟର ଅନନ୍ତ ଜେନା। ମାହୋଲ ଅତି ସରଗରମ ଥିଲା। ପଖାଳ ଖିଆ ସାଙ୍ଗକୁ ରାଜନୈତିକ ପ୍ରଚାର ବି ଜୋରଦାର ହେଲା।

ମୁଖ୍ୟମନ୍ତ୍ରୀ ହିଂଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରି ଫେରିଲା ପରେ ଭୁବନେଶ୍ଵର ଲୋକସଭା ଆସନରୁ ବିଜେଡି ପକ୍ଷରୁ ବାବା ପ୍ରସନ୍ନ ପାଟ୍ଟଶାଣୀ ନା ବାବୁ ଅରୂପ ପଟ୍ଟନାୟକଙ୍କ ମଧ୍ୟରୁ କିଏ ଟିକେଟ ପାଇବେ ତାହା ସ୍ପଷ୍ଟ ହୋଇଯିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment