ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

 

 

ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଖୋଲିଛି ‘ନମୋ’ ବା ନରେନ୍ଦ୍ର ମୋଦି ଦୋକାନ। ଜନପଥରେ ଥିବା ଗେରୁଆ ରଙ୍ଗରେ ସଜ୍ଜିତ ଏହି ଦୋକାନ ଆଜିକାଲି ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିବା ଦେଖାଯାଉଛି। ବ୍ରାଣ୍ଡ ମୋଦିକୁ ପ୍ରସାରିତ କରିବା ପାଇଁ ଉଦ୍ଦିଷ୍ଟ  ଏହି ଦୋକାନ ୧୬ ତାରିଖରେ ଉଦ୍‌ଘାଟିତ ହୋଇଥିଲା। ନରେନ୍ଦ୍ର ମୋଦିଙ୍କ ନାମ ସହିତ ଜଡ଼ିତ ବିଭିନ୍ନ ମନୋହରୀ ସାମଗ୍ରୀ ବା ମର୍ଚ୍ଚାଣ୍ଡାଇଜ ଏଠାରେ ବିକ୍ରି ହେଉଛି।

ବିଗତ 5 ବର୍ଷ ମଧ୍ୟରେ ମୋଦି ସରକାରର ସଫଳତାର ନମୁନା ବି ଏଠି ଦେଖିବାକୁ ମିଳବ। ଖାଲି ସେତିକି ନୁହେଁ ମୋଦିଙ୍କ ଚିତ୍ର ଥିବା ପୁରୁଷ ଓ ମହିଳାଙ୍କ ପାଇଁ ଟି -ସାର୍ଟ, ଖଦି ଜ୍ୟାକେଟ,କଲମ,କଫି ମଗ, ଚାବି ରିଙ୍ଗ, ବ୍ୟାଜ,ଟୋପି ,ନମୋ ଲେଖାଥିବା ୱେଷ୍ଟବ୍ୟାଣ୍ଡ ମଧ୍ୟ ଏହି ଦୋକାନରେ ଉପଲବ୍ଧ ହେଉଛି।ଏହି ସବୁ ସାମଗ୍ରୀ ବିଭିନ୍ନ ଡିଜାଇନର ଓ ବିଭିନ୍ନ ରଙ୍ଗର। ସବୁ ସାମଗ୍ରୀରେ ପଦ୍ମ ଚିହ୍ନ ଏମ୍ବସ୍ ହୋଇଛି।

ଆଜିକାଲିର ଯୁବକଙ୍କୁ ଆକୃଷ୍ଟ କରିବା ପାଇଁ ଟି- ସାର୍ଟ ଗୁଡିକରେ ମୋଦିଙ୍କ ବାଣୀ ଛପା ହୋଇଛି। ବିଭିନ ସ୍ଲୋଗାନରେ ତିଆରି ଏହି ଟି ସାର୍ଟ ଓ ସାମଗ୍ରୀ ଖୁବ୍ ବିକ୍ରି ହେଉଥିବା କହିଛନ୍ତି ହରିଦ୍ୱାର ଆରଏସ୍‌ଏସ୍‌ର ସୁଶୀଲ କୁମାର ଯିଏ ଏହି ଦୋକାନକୁ ଚଳାଉଛନ୍ତି।

ପାଞ୍ଚ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାମଗ୍ରୀକୁ ଏଠାରୁ ନମୋ ଆପ ଜରିଆରେ ମଧ୍ୟ  ଅନ ଲାଇନରେ  ଅର୍ଡର କରାଯାଇପାରିବ। ଦିଲ୍ଲୀରେ ଥିବା ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ଏହି ସାମଗ୍ରୀ କିଣା ହୋଇ ଆସିଥିବା କଥା କହନ୍ତି ସୁଶାନ୍ତ ଭୋଇ ଯିଏ ଏହି ଦୋକାନର ଅନ୍ୟ ଜଣେ ପରିଚାଳକ।

ଦୋକାନରେ ଯାହା ବିକ୍ରି ହେବ ସେହି ଲାଭାଂଶକୁ ନମାମି ଗଂଗେ ଜାତୀୟ ମିଶନ ପାଇଁ ଖର୍ଚ୍ଚ କରାଯିବ। ତା’ ଛଡ଼ା ଯିଏ ଚାହିଁବେ ଏଠି ଗଙ୍ଗା ସଫେଇ କାର୍ଯ୍ୟକ୍ରମ ପାଇଁ ଚାନ୍ଦା ବି ଦେଇପାରିବେ। ଏଥି ସହିତ ଦଳର ପ୍ରଚାର ଓ ପ୍ରସାର ପୁସ୍ତିକାକୁ ଗ୍ରାହକ ମାନେ ନେଉଥିବା  ଲକ୍ଷ୍ୟ କରାଯାଇଛି।

Comment