ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ଇଣ୍ଡଷ୍ଟ୍ରୀରେ ରୋମାଣ୍ଟିକ୍‌ ଅନ୍ଦାଜରେ ନିଜର ଛାପ ସୃଷ୍ଟି କରିପାରିଛନ୍ତି ସ୍ୱୟଂ ପାଢ଼ି। ଅଳ୍ପ ବୟସରୁ ସଙ୍ଗୀତରେ ରୁଚି ରଖିଥିବା ସ୍ୱୟଂ ଓଲିଉଡ ଇଣ୍ଡଷ୍ଟ୍ରୀରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

ସ୍ୱୟଂଙ୍କ ଘର ବ୍ରହ୍ମପୁରରେ। ସେ ଦ୍ୱିତୀୟ ଶ୍ରେଣୀରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ଛୁଆବେଳୁ ହିଁ ତାଙ୍କ ଗୀତର ଏକ ନିଆରା ଛୁଙ୍କ ଦେଖିବାକୁ ମିଳିଛି। ସ୍ୱୟଂ ଆଇଟିରେ ଇଞ୍ଜିନିୟରିଂ କରିଛନ୍ତି। ଏବେ ସେ ଏକ ସପ୍ଟୱେୟାର କମ୍ପାନିରେ କାର୍ଯ୍ୟରତ ଅଟନ୍ତି। କିନ୍ତୁ ସେ ମ୍ୟୁଜିକ୍‌କୁ ଛାଡ଼ି ନାହାନ୍ତି।

ସେ ସିନେ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟତା ହାସଲ କରିବା ପାଇଁ ବହୁତ ସାଧନା କରିଛନ୍ତି। ୨୦୧୫ରେ ରିଆଲିଟି ଶୋ’ ଭଏସ୍‌ ଅଫ ଓଡ଼ିଶା ସିଜନ-୩ରେ ରନର୍ସଅପ୍‌ ହୋଇଥିଲେ। ଏଥିପାଇଁ ସେ ଜାତୀୟ ସ୍ତରରେ ପପୁଲାରିଟି ହାସଲ ମଧ୍ୟ କରିଥିଲେ। ସ୍ୱୟଂ ଏପର୍ଯ୍ୟନ୍ତ ତିନୋଟି ରିଆଲିଟି ଶୋ’ରେ ଭାଗ ନେଇଛନ୍ତି। ଭଏସ୍‌ ଅଫ ଓଡ଼ିଶା, ସାରେଗାମାପା, ଇଣ୍ଡିଆନ୍‌ ଆଇଡଲ୍‌ ଆଦି ରିଆଲିଟି ଶୋ’ରେ ଅଂଶ ଗ୍ରହଣ କରିଛନ୍ତି।

ସ୍ୱୟଂଙ୍କୁ ଓଲିଉଡ୍‌ର ପ୍ରଥମ ସୁଯୋଗ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର। ଏହା ପୂର୍ବରୁ ସେ ନିଜେ ଅନେକ ମ୍ୟୁଜିକାଲ ଭିଡିଓ ବନାଇଛନ୍ତି। ପ୍ରଥମେ ତାଙ୍କ ଭିଡିଓକୁ ଏତେ ଲାଇକ୍‌ ମିଳୁ ନଥିଲା। ଏବେ ୮୦ ହଜାରରୁ ଅଧିକ ଲାଇକ୍‌ ଟପିଲାଣି।

ନୂଆ ସାୟରି ମାଧ୍ୟମରେ ଓଲିଉଡରେ ନିଜର ରୋମାଣ୍ଟିକ୍‌ ଛାପ ସୃଷ୍ଟି କରିପାରିଛନ୍ତି ସ୍ୱୟଂ। ଫିଲ୍ମ ସୁନ୍ଦରଗଡ଼ର ସଲମାନ ଖାନ୍‌ ଓ ଶ୍ରୀମାନ ସୁରଦାସ୍‌ରେ ସ୍ୱୟଂ ଗାଇଥିବା ସମସ୍ତ ଗୀତ ଖୁବ୍‌ ହିଟ୍‌ ହୋଇଛି। ଓଡ଼ିଆ ଜଗତରେ ଅକ୍ଷୟ ମହାନ୍ତି, ଚିତ୍ତ ଜେନା ଓ ହ୍ୟୁମାନ୍‌ ସାଗର ସ୍ୱୟଂଙ୍କ ପ୍ରିୟ ସଙ୍ଗୀତକାର।

ସ୍ୱୟଂ ତାଙ୍କ ଲୋକପ୍ରିୟତାର ସମସ୍ତ ଶ୍ରେୟ ପରିବାରକୁ ଦେଇଛନ୍ତି।

Comment