ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ମାସେ ବିତିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଥମୁନି। କଂଗ୍ରେସ ନେତା ସାମ ପିଟ୍ରୋଡା ଆଜି ଏହାକୁ ନେଇ ବିବାଦୀୟ ବୟାନ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଜବାବ ଦେଇଛନ୍ତି।

ସାମ ପିଟ୍ରୋଡା କହିଛନ୍ତି, ‘‘ଆକ୍ରମଣ ସମ୍ପର୍କରେ ମୋର କିଛି ଧାରଣା ନାହିଁ। ହେଲେ ଏମିତି ଆକ୍ରମଣ ଅଧିକାଂଶ ସମୟରେ ହେଉଛି। ବିଗିତ ଦିନରେ ମୁମ୍ବାଇରେ ମଧ୍ୟ ଆକ୍ରମଣ ହୋଇଥିଲା। ସେତେବେଳେ ବି ପାକିସ୍ତାନକୁ ଯୁଦ୍ଧ ବିମାନ ପଠାଯାଇ ପାରିଥାନ୍ତା। କିନ୍ତୁ ତାହା କରାଯାଇ ନଥିଲା। ପାକିସ୍ତାନକୁ ଯୁଦ୍ଧ ବିମାନ ପଠାଇବା ଠିକ୍ ନୁହେଁ ଏବଂ କିଛି ଲୋକଙ୍କ ପାଇଁ ସମଗ୍ର ପାକିସ୍ତାନକୁ ଦାୟୀ କରିବା ଠିକ୍ ନୁହେଁ।’’

ଏହାସହ ଏୟାରଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମ ପିଟ୍ରୋଡା। ସେ କହିଛନ୍ତି ଯେ ବାଲାକୋଟରେ ଯଦି ଏୟାରଷ୍ଟ୍ରାଇକ ହୋଇଛି ଏବଂ ୩ ଶହ ଆତଙ୍କବାଦି ନିହତ ହୋଇଛନ୍ତି ତାହାଲେ ଭାରତ ସରକାର ଏହାର ପ୍ରମାଣ ଦିଅନ୍ତୁ।

ସାମ ପିଟ୍ରୋଡାଙ୍କ ବୟାନକୁ ନେଇ ଜାତୀୟ ରାଜନୀତି ହଲଚଲ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଜବାବ ଦେଇଛନ୍ତି। ମୋଦି କହିଛନ୍ତି, ‘‘ପିଟ୍ରୋଡାଙ୍କ ବୟାନ ସେନାକୁ ଅସମ୍ମାନିତ କରୁଛି। ସେନାକୁ ନେଇ ଏଭଳି ବୟାନ ଦେବା ବିରୋଧୀଙ୍କର ଅଭ୍ୟାସ ପାଲଟି ଯାଇଛି। ଆତଙ୍କବାଦୀଙ୍କୁ ତାଙ୍କ ଭାଷାରେ ଭାରତ ସରକାର ଜବାବ ଦେଉଛନ୍ତି।’’

Comment