ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡିର ଭେଟରାନ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିରେ।

ବାପା ବିଜେଡିର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ। ହେଲେ ପୁଅ ଧରିଛନ୍ତି ପଦ୍ମ। ଆମେ ଏଠାରେ ଯେଉଁ ବାପା-ପୁଅଙ୍କ କଥା କହୁଛୁ ସେମାନେ ହେଲେ ପ୍ରଶାନ୍ତ ନନ୍ଦ ଏବଂ ତାଙ୍କ ପୁଅ ରିଷଭ ନନ୍ଦ। ପ୍ରଶାନ୍ତ ବିଜେଡିର ଆଗଧାଡ଼ିର ନେତା ହୋଇଥିବା ବେଳେ ରିଷଭ ଗତକାଲି ବିଜେପି ପାର୍ଟି ଅଫିସରେ ପଦ୍ମ ଧରିଛନ୍ତି।

ରିଷଭ ନନ୍ଦ ହେଉଛନ୍ତି ପ୍ରଶାନ୍ତ ନନ୍ଦଙ୍କ ପୁଅ। ବୋଲଗଡ଼-ବେଗୁନିଆ ବିଧାନସଭା ଆସନରୁ ରିଷଭ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶା କରିଥିଲେ। ଏନେଇ ସେ ବୋଲଗଡ଼-ବେଗୁନିଆର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପୋଷ୍ଟର ଏବଂ ହୋର୍ଡିଂ ମାରିଥିଲେ।

ଗାଁ ଗାଁ ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡ଼ିଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ଯାହା ରିଷଭଙ୍କୁ ବିଜେଡି ଟିକେଟ ମିଳୁ ନଥିବା ସେ ଆଗୁଆ ସୂଚନା ପାଇଥିଲେ। ଏଣୁ ଟିକେଟ ବଣ୍ଟନକୁ ଅପେକ୍ଷା ନକରି ରିଷଭ ସିଧା ଆସି ବିଜେପିରେ ହାଜର ହୋଇଛନ୍ତି। ତାଙ୍କୁ ବିଜେପି ବୋଲଗଡ଼-ବେଗୁନିଆ ଆସନ ପାଇଁ ପ୍ରୋଜେକ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି।

ବୋଲଗଡ଼-ବେଗୁନିଆ ରାଜନୀତିରେ ଘଣ୍ଟାରେ ଘୋଡ଼ା ଛୁଟୁଛି। କିଏ ବିଜେଡି ଟିକେଟ ହାତେଇବ ତାହା ଏବେଯାଏଁ ସ୍ପଷ୍ଟ ହୋଇନି। ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଶାନ୍ତ ଜଗେଦବଙ୍କ ଟିକେଟ କଟୁଥିବା ଚର୍ଚ୍ଚା ହେଉଛି। ତାଙ୍କ ଜାଗାରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ମ୍ୟାନେଜର ସ୍ଥିର କରିଥିବା କୁହାଯାଉଛି।

ଯେଉଁଠି ପ୍ରଶାନ୍ତଙ୍କର ଟିକେଟ କଟୁଛି ସେଠି ରିଷଭଙ୍କୁ କିଏ ପଚାରେ? ୨୦୧୪ ନିର୍ବାଚନ ପରଠୁ ପ୍ରଶାନ୍ତ ଜଗଦେବ ବିବାଦୀୟ ହୋଇ ପଡ଼ିଥିଲେ। ଦଳୀୟ କର୍ମୀଙ୍କୁ ଅଶାଳୀନ ବ୍ୟବହାର ଏବଂ ହାତ ଉଠାଇବାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ। ଏଥିରୁ ଫାଇଦା ନେବା ପାଇଁ ଆଗକୁ ଆସିଥିଲେ ରିଷଭ।

ବୋଲଗଡ଼-ବେଗୁନିଆରୁ ତାଙ୍କ ବାପା ପ୍ରଶାନ୍ତ ନନ୍ଦ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମେ ବିଜେପି ଟିକେଟ ଏବଂ ୨୦୦୯ରେ ବିଜେଡି-ଏନସିପି ଟିକେଟରୁ ବିଧାୟକ ହୋଇଥିଲେ ନନ୍ଦ। ପ୍ରଶାନ୍ତ ନନ୍ଦଙ୍କର ଏହି ନିର୍ବାଚନମଣ୍ଡଳୀରେ ମଧ୍ୟ ଭଲ ପ୍ରଭାବ ରହିଛି। ବାପାଙ୍କ ସମର୍ଥକଙ୍କୁ ଧରି ରିଷଭ ସଙ୍ଗଠନ କାମ ଆରମ୍ଭ କରିଥିଲେ। ହେଲେ ବିଜେଡି ତାଙ୍କୁ ଟିକେଟ ନା କହିବା ପରେ ସେ ବିଜେପି ଆସିଥିବା କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି ଅଭିନୟ ଦୁନିଆରୁ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଶାନ୍ତ ନନ୍ଦ। ସେ ୨୦୦୦ ନିର୍ବାଚନରେ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ମେଣ୍ଟ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରହିଥିଲେ। ହେଲେ ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀ ପଦ ହରାଇଥିଲେ ପ୍ରଶାନ୍ତ।

ପରେ ପ୍ରଶାନ୍ତ ବିଜେପି ଛାଡ଼ି ଏନସିପିରେ ଯୋଗ ଦେଇଥିଲେ। ୨୦୦୯ରେ ବିଜେଡି-ଏନସିପି ମେଣ୍ଟରୁ ପ୍ରଶାନ୍ତ ବେଗୁନିଆ-ବୋଲଗଡ଼ରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ଆସିଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ ବିଜେଡିରେ ଯୋଗ ଦେଇଥିଲେ। ବେଗୁନିଆ ପାଇଁ ବିଜେଡି ଟିକେଟ ନେବାକୁ ଲବି କରିଥିଲେ ସେ। ହେଲେ ଜଗଦେବ ବାଜି ମାରି ନେଇଥିଲେ।

ପ୍ରଶାନ୍ତ ନନ୍ଦଙ୍କୁ ବିଜେଡି ମୁଖପାତ୍ର କରିବା ସହ ରାଜ୍ୟସଭାକୁ ପଠାଇଛି। ରିଷଭଙ୍କ ପାଇଁ ବାପା ପ୍ରଶାନ୍ତ ନନ୍ଦ ବି ଲବି କରୁଥିଲେ। ହେଲେ ଲବି କାମ ଦେଲାନି। ଏବେ ରିଷଭ ବାପା ପ୍ରଶାନ୍ତ ନନ୍ଦ ରାଜନୀତି ଆରମ୍ଭ କରିଥିବା ପୁରୁଣା ଦଳ ବିଜେପିରେ ଯୋଗ ଦେଇଛନ୍ତି।

ବାପା ବିଜେଡିର ଭେଟରାନ ନେତା ହୋଇଥିବା ବେଳେ ନୂଆ ନୂଆ ବିଜେପିରେ ସାମିଲ ହୋଇଛନ୍ତି ରିଷଭ। ବିଜେପିରେ ରିଷଭ ଏବଂ ବିଜେଡିରେ ପ୍ରଶାନ୍ତଙ୍କ ରାଜନୀତିକ ଭାଗ୍ୟ କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା।

Comment