ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟିରେ ଅଟଳ ବିହାରୀ ବାଜପେୟୀଙ୍କ ପରେ ଯଦି କିଏ ବରିଷ୍ଠ ନେତା ଥିଲେ ସେ ହେଉଛନ୍ତି ଲାଲକୃଷ୍ଣ ଆଡଭାନି। ବାଜପେୟୀଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ଏବେ ବିଜେପିରେ ଆଡଭାନି ଯୁଗ ଶେଷ ହୋଇଯାଇଛି।

୨୦୧୪ ନିର୍ବାଚନ ପରଠୁ ବିଜେପିରେ ଏକପ୍ରକାର ଆଡଭାନି ଯୁଗର ଅନ୍ତ ଘଟିଥିବା ଚର୍ଚ୍ଚା ହେଉଥିଲା। ହେଲେ ୨୦୧୯ ନିର୍ବାଚନ ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆଡଭାନିଙ୍କୁ ଟିକେଟ ନମିଳିବାରୁ ଏହି ଚର୍ଚ୍ଚା ସତ ପ୍ରମାଣିତ ହୋଇଛି। ବିଜେପିରେ ଆଡଭାନିଙ୍କ ଯୁଗ ଶେଷ ହୋଇଗଲା ବୋଲି ରାଜନୀତି କରିଡରରେ ଚର୍ଚ୍ଚା ଜୋର୍ ଧରିଛି।

ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଆଡଭାନି ୧୯୯୯୧ରୁ ଗାନ୍ଧିନଗରରୁ ପ୍ରତିନିଧିତ୍ୱ କରି ଆସୁଥିଲେ। ହେଲେ ଏଥର ତାଙ୍କୁ ବିଜେପି ଟିକେଟ ଦେଇନି। ତାଙ୍କ ଆସନରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଟିକେଟ ଦେଇଛି ବିଜେପି।

ବିଜେପି ଏବଂ ଆଡଭାନି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ବିଜେପି ରାଜନୀତିର ଯଦି ଇତିହାସ ଲେଖାହୁଏ ତାହାଲେ ଆଡଭାନିଙ୍କୁ ଛାଡ଼ି ଇତିହାସ ଲେଖିବା ଅସମ୍ଭବ। କାରଣ ଭାରତୀୟ ଜନସଂଘରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ବିଜେପି ସବୁଠି ଆଡଭାନିଙ୍କର ରହିଥିଲା ପ୍ରଭାବ। ୧୯୭୦ରେ ଆଡଭାନିଙ୍କ ରାଜନୀତି ଯାତ୍ରା ଆରମ୍ଭ ହୁଏ। ସେହିବର୍ଷ ଆଡଭାନି ରାଜ୍ୟସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ।

ବିଜେପି ସଙ୍ଗଠନକୁ ସୁଦୃଢ଼ କରି ଉପରକୁ ଉଠାଇବାରେ ଆଡଭାନିଙ୍କ ଅବଦାନକୁ ଅସ୍ୱୀକାର କରିପାରିବେ ନାହିଁ। ହେଲେ ଆଡଭାନିଙ୍କୁ ବିଜେପି ଟିକେଟ ନଦେବା ପରେ ରାଜନୀତି ଶିବିରରେ ହଲଚଲ ଆରମ୍ଭ ହୋଇଯାଇଛି।

Comment