ଓଡ଼ିଶାଲଇଭ୍‌ ବ୍ୟୁରୋ

ଦିଲ୍ଲୀ ପୋଲିସକୁ ଶୁକ୍ରବାର ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଲାଲ୍‌ କିଲା ପାଖରେ ଜୈସ-ଏ-ମହମ୍ମଦର ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଆତଙ୍କବାଦୀର ନାଁ ସଜ୍ଜାଦ ଖାନ୍‌ ବୋଲି କୁହାଯାଉଛି। ସୂଚନାନୁସାରେ ଫେବ୍ରୁଆରି ୧୪ରେ ପୁଲୱାମାରେ ହୋଇଥିବା ଆତଙ୍କାବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡର ଖାସ୍‌ ଥିଲା ସଜ୍ଜାଦ। ସେ ଜମ୍ମୁ କଶ୍ମୀରର ତ୍ରାଲର ବାସିନ୍ଦା ଥିବା ଜଣାପଡ଼ିଛି।

ସୂଚନାନୁସାରେ ପୁଲୱାମା ଘଟଣା ପରେ ନିଜକୁ ବଞ୍ଚାଇବା ଲାଗି ସଜ୍ଜାଦ ଦିଲ୍ଲୀ ଆସିଥାଇପାରେ। କିନ୍ତୁ ସେ ଦିଲ୍ଲୀରେ ବି ତା ସଙ୍ଗଠନ ସହ ସମ୍ପର୍କରେ ଥିଲା।

ଗୁଇନ୍ଦା ବିଭାଗର ଏଜନ୍ସିରୁ ମିଳିଥିବା ଖବର ଅନୁସାରେ ଜୈସ ଦିଲ୍ଲୀରେ ଆଗାମୀ ଦିନରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ କରିବା ନେଇ ଯୋଜନା କରୁଥିଲା। ଏହି ପରିସ୍ଥିତିରେ ଜୈସର ଆତଙ୍କବାଦୀ ସଜ୍ଜାଦ ଗିରଫ ହେବା ନିଶ୍ଚିତ ଭାବେ ପୋଲିସ ପାଇଁ ଏକ ସଫଳତା କୁହାଯାଇପାରେ। ପୋଲିସ ସଜ୍ଜାଦକୁ ଅଧିକ ପଚରାଉଚରା ଜାରି ରଖିଛି।

Comment