ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ବାବୁସାନ୍‌ ‘ରୋମିଓ –  ଲଭର ବୟରୁ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଯାଏଁ ଅନେକ ସିନେମାରେ ନାୟକ ଭାବେ ନଜର ଆସିଛନ୍ତି ହେଲେ ଜାଣନ୍ତି କି ଏହିସବୁ ଫିଲ୍ମ ମଧ୍ୟରୁ ତାଙ୍କର ତିନିଟି ସିନେମା ରେକର୍ଡବ୍ରେକିଂ ଥିଲା ଆସନ୍ତୁ ଜାଣିବା ସେହି ସିନେମାଗୁଡ଼ିକ ସମ୍ପର୍କରେ

ଓଲିଉଡ ସୁପରଷ୍ଟାର୍ ବାବୁସାନ ବ୍ରଜରାଜ ମୁଭିଜ୍‌ ନିବେଦିତ ତଥା ହର ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନେମା ‘ରୋମିଓ- ଦ ଲଭର ବୟ’ରୁ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ ଫିଲ୍ମଟିକୁ ଆଶାନୁରୂପକ ବ୍ୟାବସାୟିକ ସଫଳତା ମିଳିନଥିଲା। ହେଲେ ବାବୁସାନଙ୍କର ତା’ ପର ସିନେମା ‘ତୋ ଆଖିରେ ମୁଁ’ ହିଟ୍‌ ହୋଇଥିଲା। ଏହାପରେ ବାବୁସାନ ଅନେକ ସିନେମାରେ ନଜର ଆସିଥିଲେ। ସେଥିମଧ୍ୟରୁ ତିନିଟି ଫିଲ୍ମ ବ୍ୟବସାୟରେ ନୂଆ ରେକର୍ଡ ସୃଷ୍ଟି କରିଥିଲା। ସେହି ତିନୋଟି ସିନେମା ଉପରେ ଆସନ୍ତୁ ନଜର ପକାଇବା…

ଆଖିରେ ଆଖିରେ

୨୦୧୪ ଜାନୁଆରି ୧ ତାରିଖରେ ମୁକ୍ତିଲାଭ କରିଥିଲା ବାବୁସାନ୍‌ଙ୍କ ଅଭିନୀତ ଫିଲ୍ମ ‘ଆଖିରେ ଆଖିରେ’। ଏଥିରେ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ ଝିଲିକ୍‌। ଏହା ଥିଲା ବାବୁସାନ୍‌–ଝିଲିକଙ୍କ ଯୋଡ଼ିର ପ୍ରଥମ ଓଡ଼ିଆ ସିନେମା।

ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଆଖିରେ ଆଖିରେ’ ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ପିଙ୍କି ପ୍ରଧାନ ଓ ବିଜୟ ମହାନ୍ତି ପ୍ରମୁଖ ଅଭିନୟ କରିଥିଲେ ମୁଖ୍ୟ ଭୂମିକାରେ। ମଳୟ ମିଶ୍ର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

‘ଆଖିରେ ଆଖିରେ’ ବକ୍ସ ଅଫିସ୍‌ରେ ଏକ ବ୍ଲକବଷ୍ଟର ସିନେମାର ମାନ୍ୟତା ପାଇଥିଲା। ଏହି ସିନେମା ସେତେବେଳେ ଅନେକ ପ୍ରେକ୍ଷାଳୟରେ କଲେକ୍ସନରେ ନୂଆ ରେକର୍ଡ ସୃଷ୍ଟି କରିଥିଲା। ବାବୁସାନଙ୍କର ଏହା ହେଉଛି ପ୍ରଥମ ସୁପରହିଟ୍ ସିନେମା। ଏହି ଫିଲ୍ମ ରିଲିଜ୍‌ ହେବା ପରେ ବାବୁସାନ୍‌ ବନିଥିଲେ ଅନୁଭବଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ।

ସୁପର ମିଛୁଆ

ସୁପରହିଟ୍‍ ସିନେମା ‘ସୁପର ମିଛୁଆ’ ହେଉଛି ଓଲିଉଡ ସୁପରଷ୍ଟାର ବାବୁସାନଙ୍କ ଅଭିନୀତ ଦ୍ୱିତୀୟ ବ୍ଲକବଷ୍ଟର ସିନେମା। ଏଥିରେ ବାବୁସାନଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିଥିଲେ ଝିଲିକ୍‌।

‘ସୁପର ମିଛୁଆ’ ଏକ ରୋମାଣ୍ଟିକ୍ କମେଡି ଫିଲ୍ମ। ଏହି ସିନେମାରେ ବାବୁସାନ ଓ ଝିଲିକଙ୍କ ବ୍ୟତୀତ ମୀନକେତନ ଓ ଅପରାଜିତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ଡିରେକ୍ଟର ଅଶୋକ ପତି। ବିକାଶ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ।

୨୦୧୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ଦୁଇକୋଟିରୁ ଅଧିକ ଆୟ କରିଥିବା ଚର୍ଚ୍ଚା ହୋଇଥିଲା। କହିବାକୁ ଗଲେ ବଜେଟର ପ୍ରାୟ ତିନିଗୁଣା ବ୍ୟବସାୟ କରିଥିଲା ‘ସୁପର ମିଛୁଆ’।

ଲଭଷ୍ଟେସନ

ବାବୁସାନଙ୍କ ତୃତୀୟ ବ୍ଲକବଷ୍ଟର ସିନେମା ହେଲା ‘ଲଭଷ୍ଟେସନ’। ୨୦୧୬ ରଜବଜାରକୁ ସରଗରମ କରିଥିଲା ଏହି ରୋମାଣ୍ଟିକ୍‌–କମେଡି ଫିଲ୍ମ। ଏହି ସିନେମାରେ ବାବୁସାନଙ୍କ ଅପୋଜିଟରେ ନଜର ଆସିଥିଲେ ଏଲିନା ସାମନ୍ତରାୟ। ଏଥିରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ପପୁ ପମପମ, ମିହିର ଦାସ, ଜୀବନ ପଣ୍ଡା ଓ ପୁଷ୍ପା ପଣ୍ଡା ପ୍ରମୁଖ।

‘ଲଭଷ୍ଟେସନ’ର କାହାଣୀ ଦର୍ଶକଙ୍କୁ ଖୁବ୍ ଛୁଇଁ ପାରିଥିଲା। ଏହି ସିନେମାର ନିର୍ଦ୍ଦେଶକ ଥିଲେ ଅଶୋକ ପତି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଓଡ଼ିଆ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ୍ ମଜୁମଦାର୍। ଏହା ହେଉଛି ଅଶୋକ ପତି-ଅଭିଜିତ୍ ମଜୁମଦାର ଯୋଡ଼ିଙ୍କର ପ୍ରଥମ ସିନେମା।

‘ଲଭଷ୍ଟେସନ’ ତିନିକୋଟିରୁ ଅଧିକ ବ୍ୟବସାୟ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ଅନେକ ସ୍ଥାନରେ ରେକର୍ଡ ବ୍ରେକିଂ ବ୍ୟବସାୟ କରିଥିଲା।

Comment