ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ ପ୍ରଚାରରେ ମହାପ୍ରଭୁ ‘ଜଗନ୍ନାଥ’।

ନିର୍ବାଚନ ପ୍ରଚାରରେ ମହାପ୍ରଭୁ ‘ଜଗନ୍ନାଥ’। ଏମିତି ଚିତ୍ର ଦେଖିବାକୁ ମିଳିଥିଲା ପୁରୀରେ। ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ହାତରେ ଜଗନ୍ନାଥଙ୍କ ମୂର୍ତ୍ତି ରୋଡ ସୋ’ ରେ ଧରି ବୁଲିବା ପରେ ବିବାଦ ଆରମ୍ଭ ହୋଇଛି।

କଂଗ୍ରେସ ସମ୍ବିତଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିବା ବେଳେ ବିଜେଡି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ହୋଇଯାଇଛି ସରଗରମ।

ପୁରୀ ଲୋକସଭା ଆସନ ପାଇଁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ସମ୍ବିତ ଗତ ସୋମବାର ପୁରୀ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରୋଡ ସୋ’ କରିଥିଲେ।

ଖୋଲା ଜିପରେ ସମର୍ଥକଙ୍କ ଗହଣରେ ସମ୍ବିତ ଉତ୍ତରା ଛକରୁ ପିପିଲି ଦେଇ ପୁରୀ ଆସିଥିଲେ। ଏହି ରୋଡ୍ ଶୋ’ରେ ସମ୍ବିତ ହାତରେ ‘ଜଗନ୍ନାଥ’ଙ୍କ ମୂର୍ତ୍ତି ଧରିଥିଲେ।

‘‘ସାରା ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେଉଁ ଆଧାରରେ  ହାତରେ ଜଗନ୍ନାଥ ମୂର୍ତ୍ତି ଧରି ପ୍ରଚାର କଲେ ବିଜେପି ନେତା? କୌଣସି ରାଜନୀତିକ ଦଳର ପ୍ରାର୍ଥୀ ଠାକୁରଙ୍କ ମୂର୍ତ୍ତି ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ଉଲ୍ଲଂଘନ କରିଛନ୍ତି ବିଜେପି ନେତା’’, କହିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମହାପାତ୍ର।

ବିଜେଡି ମଧ୍ୟ ସମ୍ବିତଙ୍କ ଏଭଳି ପ୍ରଚାରକୁ ସମାଲୋଚନା କରିଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାବାସୀଙ୍କ ଆରାଧ୍ୟ ଠାକୁର। କୌଣସି ବ୍ୟକ୍ତି ଜଗନ୍ନାଥଙ୍କୁ ଧରି ପ୍ରଚାର କରିବାର ଅଧିକାର ନାହିଁ। ଧର୍ମ ନାଁରେ ରାଜନୀତିକୁ ଓଡ଼ିଶାବାସୀ ଗ୍ରହଣ କରିପାରିବେ ନାହିଁ ବୋଲି କହିଛି ବିଜେଡି।

Comment