ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲା କୋଟପେଟା ଗାଁ ନିକଟରେ ଏକ କାର୍‌ରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ନିର୍ବାଚନୀ ପୋଲ୍‌ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ଏହି ଟଙ୍କାକୁ ଜବତ କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପଚରାଉଚର ଜାରି ରହିଛି। ଏହି ବ୍ୟକ୍ତିଙ୍କ ନାଁ ପଦ୍ମନାଭ। ବ୍ୟକ୍ତି ନିଜକୁ କପା ବ୍ୟବସାୟୀ ବୋଲି ପରିଚୟ ଦେଇଛନ୍ତି।

ରାୟଗଡ଼ା ଜିଲ୍ଲା ତହସିଲଦାର ଉମାଶଙ୍କର ବେହେରାଙ୍କ ଦ୍ୱାରା ନିୟୋଜିତ ପୋଲ୍‌ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ଏହି ଟଙ୍କାକୁ ଜବତ କରିବାରେ ସଫଳ ହୋଇଛି। ଏହି କାର୍‌ଟି ରାୟଗଡ଼ାରୁ ସ୍ଥାନୀୟ ଅନ୍ତାମଡ଼ାକୁ ଯାଉଥିଲା। ଏହି ଟଙ୍କା କପା ଚାଷୀଙ୍କୁ ଦେବା ପାଇଁ ନିଆଯାଉଛି ବୋଲି ଆରୋପୀ ପଦ୍ମନାଭ ସ୍ପଷ୍ଟ କରିଛନ୍ତି।

ରାୟଗଡ଼ା ଟାଉନ୍‌ ପୋଲିସ ଏହି ଟଙ୍କାର ସୁତ୍ର ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ଆଉ ମାତ୍ର ୨ ସପ୍ତାହ ରହିଲା ନିର୍ବାଚନ। ତେବେ ଏଭଳି ସମୟରେ ଏକ କାର୍‌ରୁ ଏତେ ମାତ୍ରାର ଟଙ୍କା ମିଳିବା ପୋଲିସ୍‌କୁ ସନ୍ଦେହରେ ପକାଇଛି। ନିର୍ବାଚନ ପ୍ରଚାରରେ ଟଙ୍କା କାରବାର ପାଇଁ ଏହି ଟଙ୍କା ନିଆଯାଉଥିବା ସନ୍ଦେହ କରୁଛି ରାୟଗଡ଼ା ପୋଲିସ।

ସୂଚନାଯୋଗ୍ୟ, ବୁଧବାର ରାତିରେ ରାଉରକେଲାର ଦୁଇଟି କାର୍‌ରୁ ୯ ଲକ୍ଷ ଟଙ୍କା ଜବତ କରିଥିଲେ ପୋଲ୍‌ ଡ୍ୟୁଟି ଅଫିସର।

LEAVE A REPLY

Please enter your comment!
Please enter your name here