ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭବାନିପାଟଣାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସମାବେଶରେ ସମସ୍ତଙ୍କୁ ଜୁହାର ପକାଇ ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଜଣାଇ ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ କରିଥିଲେ।

“ଗତ ୫ ବର୍ଷରେ ଓଡ଼ିଶାର ୮ ଲକ୍ଷ ଗରିବଙ୍କୁ ପକ୍କା ଘର ମିଳିଛି। ୩ ହଜାର ଗାଁକୁ ସ୍ୱାଧିନତା ପରେ ପ୍ରଥମ ଥର ବିଜୁଳି ମଳିଛି। ଓଡ଼ିଶାରେ ପ୍ରାୟ ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି। ଓଡ଼ିଶାର ୧ କୋଟି ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି। ୪୦ ଲକ୍ଷ ଗରିବ ଭଉଣୀଙ୍କୁ ମାଗଣା ଗ୍ୟାସ କନେକ୍ସନ ମିଳିଛି। ଆପଣମାନେ କୁହନ୍ତୁ ଏସବୁ କିଏ କରିଛି। ଏ କାମ ମୋଦି ନୁହେଁ ବରଂ ଆପଣଙ୍କ ମୂଲ୍ୟବାନ ଭୋଟ କରିଛି”, ନିଜ ଅଭିଭାଷଣରେ ଜନତାଙ୍କୁ ଶ୍ରେୟ ଦେଇଛନ୍ତି ମୋଦି।

ସେ ଆହୁରି କହିଛନ୍ତି, ଗଲା ପଞ୍ଚାୟତ ନିର୍ବାଚନରେ ଆପଣମାନେ ପୂରା ସହଯୋଗ କରିଛନ୍ତି। ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ଆର୍ଶୀର୍ବାଦରୁ ଏସବୁ ମିଳିଛି। ଯାହା ସମ୍ଭବ ହୋଇଛି, ତା’ର ଶ୍ରେୟ ଆପଣମାନଙ୍କୁ ଯାଉଛି। ଆପଣଙ୍କ ସହଯୋଗ ମିଳି ନଥିଲେ ମୁଁ ଏ କାର୍ଯ୍ୟ କରିପାରନଥାନ୍ତି। ଏ ଶରୀର ଦ୍ୱାରା ଯେତେ ସମ୍ଭବ ସେତେ କାର୍ଯ୍ୟ ହୋଇଛି। ଗତ ୫ ବର୍ଷ ଭିତରେ ଦିନଟିଏ ଛୁଟି ନେଇନାହିଁ। ଏ ପ୍ରଧାନସେବକକୁ ଆପଣ ୫ ବର୍ଷ ସେବା ସୁଯୋଗ ଦେଇଛନ୍ତି।

ରାଜ୍ୟ ସରକାରଙ୍କ  ଉପରେ ବର୍ଷିଲେ

“୨୦୧୪ରେ ଏଠି ବିଜେପି ସରକାର ହୋଇଥିଲେ କାମ ଆହୁରି ଶୀଘ୍ର ହୋଇଥାନ୍ତା। ଏଠି ବସିଥିବା ରାଜ୍ୟ ସରକାର ବିଲକୁଲ ସହଯୋଗ କରୁନାହାନ୍ତି। ଏଠିକା ସରକାର ସହଯୋଗ କରୁନଥିବା ସତ୍ତ୍ୱେ ମୁଁ ଆପଣଙ୍କ କାମ କରିଛି। ଯେଉଁ ବିକାଶ ଧାରା ୧୯ ବର୍ଷରେ ହୋଇନି, ୫ ବର୍ଷରେ କରିଦେବୁ। କଂଗ୍ରେସ, ବିଜେଡି  ଗରିବଙ୍କୁ ରଖିବା ପାଇଁ ଚାହଁଛନ୍ତି। ଗରିବୀ ପାଇଁ ଦାନ ମାଝି ଭଳି ଲୋକଙ୍କୁ ଆମ୍ବୁଲାନ୍ସଟିଏ ମିଳୁନି। ଏହି ଧୋକା ପାଇଁ କେତେ ଲୋକ କାମ ପାଇଁ ବାହାରକୁ ଯାଉଛନ୍ତି”, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି।

କଂଗ୍ରେସକୁ ଟାର୍ଗେଟ କଲେ ମୋଦି

“କଂଗ୍ରେସର ଏତେ ବର୍ଷ ଶାସନରେ ଆଦିବାସୀ ମନ୍ତ୍ରାଳୟ ନଥିଲା। ବାଜପେୟୀ ସରକାର ଆସିବା ପରେ ଆଦିବାସୀ ମନ୍ତ୍ରାଳୟ ହେଲା। ମତ୍ସଜୀବୀଙ୍କ ପାଇଁ ଆମ ସରକାର ସ୍ୱତନ୍ତ୍ର ମନ୍ତ୍ରାଳୟ କରିଛି। ବନଧନ ଯୋଜନାରେ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଆପଣଙ୍କୁ ମିଳିବ। କଳାହାଣ୍ଡିରେ ରାଜୀବ ଗାନ୍ଧି କହିଥିଲେ ଟଙ୍କା ଗାଁରେ ପହଞ୍ଚୁନି। ଦିଲ୍ଲୀରୁ ଏକ ଟଙ୍କା ପଠାଇଲେ, ଗାଁରେ ୧୫ ପଇସା ପହଞ୍ଚୁଛି। ପ୍ରଧାନମନ୍ତ୍ରୀ ଯଦି ଜାଣିଥିଲେ ସେ ତା’ର ପ୍ରତିକାର କ’ଣ କରିଥିଲେ? ଡାକ୍ତର ରୋଗ ଜଣାଇଲେ, ତା’ ପାଇଁ ଔଷଧ ଦେଲେନି। କେବଳ ମୋଦି ରୋଗ ଚିହ୍ନେ ତା’ ପାଇଁ ଔଷଧ ଦିଏ। ନିର୍ବାଚନ ଆସିଲେ କେବଳ ସେମାନଙ୍କର ଗରିବଙ୍କ କଥା ମନେ ପଡ଼େ। ଗରିବଙ୍କ ମାଳାଜପି ସେମାନେ ଗରିବଙ୍କ ଭୋଟ ହାତେଇଥାନ୍ତି। ଏତେ ବର୍ଷରେ କଂଗ୍ରେସ ଯାହା କରିନଥିଲା, ଆମେ ୫ ବର୍ଷରେ କରିଛୁ।

ଏମ୍‌ଏସ୍‌ପି ୫୦ ପ୍ରତିଶତ ବୃଦ୍ଧି, ବାଉଁଶ ଚାଷ ପାଇଁ ପ୍ରେତ୍ସାହନ ଦିଆଯାଉଛି।

“ଏଥର ଓଡ଼ିଶା , ଇତିହାସ ରଚିବାକୁ ଯାଉଛି। ଯାହା ତ୍ରିପୁରାରେ ହୋଇଛି ଏଥର ଓଡ଼ିଶାରେ ତାହା ହେବ। ଓଡ଼ିଶାରେ ଏଥର ବିଜେପି ସରକାର ହେବ, ଦିଲ୍ଲୀ ମଜବୁତ ହେବ। ଓଡ଼ିଶାର ନେତୃତ୍ୱ ଏଥର ବିଜେପି ନେବ। ଏଥିପାଇଁ ଆପଣଙ୍କୁ ଆଗୁଆ ଅଭିନନ୍ଦନ।”

ଓଡ଼ିଶାରେ ଆସିଛି ପରିବର୍ତ୍ତନର ସମୟ

“ଜାଲ ରାସନ କାର୍ଡ, ଜାଲ ଗ୍ୟାସ କାର୍ଡ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଲୁଟ ଖେଳ ବନ୍ଦ ହେବା ପରେ ଦଲାଲମାନେ ମୋ ବିରୋଧରେ ଲାଗି ପଡ଼ିଛନ୍ତି। ଗତ ୨ ଦଶନ୍ଧିରେ ଏଠି ଖଣି, ଚିଟଫଣ୍ଡ ମାଫିଆଙ୍କୁ ପ୍ରଶୟ ମିଳିଛି। ଆପଣଙ୍କୁ ମିଳିବାକୁ ଥିବା ସୁବିଧା ମାଫିଆମାନଙ୍କ ହାତକୁ ପଳାଇଛି। କେନ୍ଦ୍ର ଧାନ, କପାର ଏମ୍‌ଏସ୍‌ପି ବଢ଼ାଇଛି।  ହେଲେ ଏଠିକା ସରକାର ଠିକ୍‌ ଭାବେ କିଣି ପାରୁନି। ପିଏମ୍‌ କିଷାନ ଯୋଜନାରେ ଓଡ଼ିଶା ପାଚେରୀ ହୋଇ ଠିଆ ହୋଇଛି। ଏବେ ଓଡ଼ିଶାରେ ପରିବର୍ତ୍ତନ ସମୟ ଆସିଯାଇଛି”, କହିଛନ୍ତି ମୋଦି।

Comment