ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) ଚଳିତବର୍ଷ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଛି ଓ ଏହା ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମା’ଙ୍କ ଆଜ୍ଞାମାଳ ଅସ୍ଥାୟୀ ମଣ୍ଡପରେ ସ୍ଥାପନର ଗୋଟିଏ ଦିନ ବିଶ୍ରାମ ପରେ ମା’ ଘଟ ପରିକ୍ରମା କରିଥାନ୍ତି। ସବୁଥର ପରି ଚଳିତ ବର୍ଷ ମଧ୍ୟ ଦେଶୀ ବେହେରାଙ୍କ ଘରେ ଅତି ସୁନ୍ଦର ଭାବେ ମା’ଙ୍କ ଘଟ ସହ ପାର୍ଶ୍ୱ ଘଟକୁ ଚିତ୍ରଣ କରିଥିଲେ।

ଯାତ୍ରା ପରମ୍ପରା ଅନୁଯାୟୀ ଏହି ଘଟଗୁଡ଼ିକୁ କୁମ୍ଭାରସାହିଠାରୁ ଅଣାଯାଇଥାଏ। ଘଟ ଗୁଡ଼ିକୁ ଚିତ୍ରିତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ କାରିଗରଙ୍କୁ ନିୟୋଜିତ କରାଯାଇଥାଏ। ଘଟ ଚିତ୍ରିତ କାର୍ଯ୍ୟ ଆଇନାବନ୍ଧ ସାହିର ଦମୟନ୍ତୀ ମହାପ୍ରାତ୍ର କରୁଛନ୍ତି। ମା’ଙ୍କ ଏହା ଗୁପ୍ତନୀତି। ଦମୟନ୍ତୀ ମାର୍ଚ୍ଚ ୩୧ ତାରିଖ ଦିନ ୧୧ଟା ୩୦ରେ ଦେଶୀ ବେହେରାଙ୍କ ଘରକୁ ଆସି ଏକ କକ୍ଷରେ ଘଟଗୁଡ଼ିକୁ ଚିତ୍ରିତ କରିଥିଲେ।

ଦମୟନ୍ତୀଙ୍କ କହିବା ଅନୁଯାୟୀ  ବୁଢ଼ୀ ଠାକୁରାଣୀଙ୍କ ଘଟ ରକ୍ତବର୍ଣ୍ଣା, ମା’ ବ୍ରାହ୍ମୀଙ୍କୁ ସୁବର୍ଣ୍ଣ,  ମା’ ମାହେଶ୍ୱରୀଙ୍କୁ ଚମ୍ପା, ମା’ କୁମାରୀଙ୍କୁ ଗୋଲାପି, ମା’ ବୈଷ୍ଣବୀଙ୍କୁ ତମ୍ବାଳ, ମା’ ବିରଜାଙ୍କୁ ଧୂମ୍ର , ମା’ ଇନ୍ଦ୍ରାଣୀଙ୍କୁ ଇନ୍ଦ୍ରମାଳ, ମା’ ଶିବାୟୀଙ୍କୁ ଶ୍ୟାମବର୍ଣ୍ଣା ରଙ୍ଗରେ ଚିତ୍ରିତ କରାଯାଇଥାଏ।

ଘଟ ପରିକ୍ରମାବେଳେ ଘଟ ମୁଣ୍ଡରେ ଧାରଣ କରିଥିବା ମହିଳାଙ୍କ ପାଦକୁ ଭକ୍ତ ବିଭିନ୍ନ ସାହିରେ ହଳଦୀ ପାଣିରେ ଧୋଇ ଦିଅନ୍ତି। ବହୁ ପୁରୁଣା ସମୟରୁ ଏହି ପରମ୍ପରା ଚଳି ଆସୁଛି।

Comment