ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ବର୍ତ୍ତମାନ କଟକରେ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି। ନିତ୍ୟ ବ୍ୟବହାର୍ଯ୍ୟ ପରିବା ଯଥା ଆଳୁ, ବାଇଗଣ, ଭେଣ୍ଡି, ସଜନା ଛୁଇଁ, ପୋଟଳ, ଗାଜର, କଲରା, ଟମାଟୋ, ସାରୁ, କୋବି ଆଦିର ଦର ଆଶାତୀତ ଭାବେ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ସହିତ ଯଥେଷ୍ଟ ପରିମାଣର ସବୁଜ ପନିପରିବା ବଜାରରେ ଉପଲବ୍ଧି ହେଉନଥିବାରୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। ଚଳିତବର୍ଷ ଗ୍ରୀଷ୍ମର ମାତ୍ରା ବୃଦ୍ଧି ପାଇଥିବା ଯୋଗୁଁ ପନିପରିବା ଚାଷ କ୍ଷତିଗ୍ରସ୍ତ ହେବା ସହ ରାଜ୍ୟ ତଥା ସହରର ଆଖ ପାଖ ଅଞ୍ଚଳରେ ପରିବା ଚାଷ ହ୍ରାସ ପାଇବାରେ ଲାଗିଛି।

 ପନିପରିବା ଦର

ବର୍ତ୍ତମାନ ଖୁଚୁରା ବଜାରରେ ବାଇଗଣ କିଲୋ ୪୦ ଟଙ୍କା, ଟମାଟୋ କିଲୋ ୩୦ ଟଙ୍କା, ଦେଶୀ ପୋଟଳ କିଲୋ ୬୦ରୁ ୭୦ ଟଙ୍କା, କଲରା କିଲୋ ୩୦ ଟଙ୍କା ଓ ଗାଜର କିଲୋ ୩୦ ଟଙ୍କା ରହିଛି। ସେହିପରି ଭେଣ୍ଡି କିଲୋ ୪୦ ଟଙ୍କା, ସଜନା ଛୁଇଁ କିଲୋ ୬୦ ଟଙ୍କା , କାକୁଡ଼ି କିଲୋ ୪୦ ଟଙ୍କା ରହିଛି। ଏହାଛଡା କଂଚାଲଙ୍କା କିଲୋ ୬୦ ଟଙ୍କା, ଅଦା କିଲୋ ୧୦୦ ଟଙ୍କା, ଆଳୁ କିଲୋ ୧୨ ଟଙ୍କା, ପିଆଜ କିଲୋ ୧୮ ଟଙ୍କା ରହିଛି। ସେହିପରି ଅମୃତଭଣ୍ଡା କିଲୋ ୨୦ ଟଙ୍କା, ସାରୁ କିଲୋ ୫୦ ଟଙ୍କା, ଦେଶୀ ଆଳୁ କିଲୋ ୫୦ ଟଙ୍କା, ପଣସ କିଲୋ ୩୦ ଟଙ୍କା, ବନ୍ଧା କୋବି କିଲୋ ୧୫ରୁ ୨୦ ଟଙ୍କା, ଫୁଲକୋବି ଗୋଟା ୨୫ରୁ ୩୦ ଟଙ୍କା, ବିନ୍ କିଲୋ ୬୦ ଟଙ୍କା ରହିଛି। ଏହାଛଡ଼ା କଞ୍ଚା କଦଳୀ ୩ଟିକୁ ୨୦ ଟଙ୍କା, କୋଶଳା ଶାଗ ବିଡ଼ା ୫ ଟଙ୍କା ଓ ଲେଉଟିଆ ଶାଗ ବିଡ଼ା ୩ ଟଙ୍କା ରହିଛି।

ଖାଉଟି ହନ୍ତସନ୍ତ

ପନିପରିବା ଦର ଅହେତୁକ ବୃଦ୍ଧି ପାଉଥିବା ଯୋଗୁଁ ସହରରେ ବାସ କରୁଥିବା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ପ୍ରଭାବିତ ହେଉଛନ୍ତି। ପନିପରିବା ଦର ବୃଦ୍ଧି ପାଇଥିବା ଯୋଗୁଁ ଦେଢ଼ଶହ ଟଙ୍କାରେ ପରିବା କିଣିଲେ ମଧ୍ୟ ବ୍ୟାଗ ଭର୍ତ୍ତି ହେଉନାହିଁ ବୋଲି ପରିବା କିଣିବାକୁ ଆସିଥିବା ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି।

ସେହିପରି ସହରରେ ବାର୍ଡଫ୍ଲୁ ହୋଇଥିବାରୁ ଚିକେନ ଆଉ ଅଣ୍ଡା ବନ୍ଦ ଥିବା ବେଳେ ପରିବାର ଦର ବୃଦ୍ଧି ଖାଉଟିକୁ ଖୁବ ବାଧୁଛି ବୋଲି ରବୀନ୍ଦ୍ର ଜେନା କହିଛନ୍ତି।

ରାଞ୍ଚି, କୋଲକତା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ ଆଦି ସ୍ଥାନରୁ ବହୁ ମାତ୍ରାରେ ଚାଲାଣ ପରିବା ଓଡ଼ିଶା ବଜାରକୁ ଆସୁଥିବାରୁ ପନିପରିବା ଦରରେ ସ୍ଥିରତା ରହୁନାହିଁ ଓ ଏହାର ମୂଲ୍ୟ ବୃଦ୍ଧି ଘଟୁଛି। ଏହାଛଡ଼ା ଚାଷୀଙ୍କ ନିକଟରୁ ସ୍ୱଳ୍ପ ମୂଲ୍ୟରେ ପରିବା କିଣି କଟକର ବିଭିନ୍ନ ବଜାରରେ ଚଢ଼ା ଦରରେ ବେପାର ଚଲାଉଥିବା କିଛି ମୁନାଫାଖୋର ବ୍ୟବସାୟୀଙ୍କ ଯୋଗୁଁ ପନିପରିବା ମୂଲ୍ୟ ବୃଦ୍ଧି ପାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ସହରର ବର୍ଦ୍ଧିତ ପରିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Comment