ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାଇବେଟିସ୍ ବା ମଧୁମେହ ବର୍ତ୍ତମାନ ସାଇଲେଣ୍ଟ କିଲର୍ ପାଲଟିଛି। ତେବେ ରାତାରାତି ଏହି ରୋଗ ହୋଇ ନଥାଏ। ଏହା ଶରୀରରେ ଧୀରେଧୀରେ କରି ଗୁରୁତର ଅବସ୍ଥାକୁ ଗତି କରିଥାଏ। ଠିକ୍ ସମୟରେ ଏହାକୁ ଚିହ୍ନଟ କରିପାରି ଔଷଧ ସେବନ କଲେ ଏହା ନିୟନ୍ତ୍ରଣରେ ରହିଥାଏ।

  • ଅଧିକ ଥର ପରିସ୍ରା ଲାଗିବା: ଯଦି ଅଚାନକ ଆପଣଙ୍କୁ ଦିନରେ ବହୁତ ଥର ପରିସ୍ରା ଲାଗୁଛି ତା’ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ମଧୁମେହର ପ୍ରାଥମିକ ଲକ୍ଷଣ। ମଧୁମେହରେ ଆକ୍ରାନ୍ତ ହୋଇଥିଲେ ରକ୍ତରେ ଅଧିକ ଶର୍କରା ଜମି ହୋଇ ରହେ। ପରିସ୍ରା ଦ୍ୱାରା ଏଗୁଡ଼ିକ ବାହାରିବାର ଏକମାତ୍ର ବାଟ ହୋଇଥିବାରୁ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗେ।
  • ଅଧିକ ଶୋଷ ଲାଗିବା: ମଧୁମେହରେ ଆକ୍ରାନ୍ତ ହୋଇଥିଲେ ବାରମ୍ବାର ପରିସ୍ରା ଯିବା ଦ୍ୱାରା ଦେହରୁ ଜଳୀୟ ଅଂଶ କମିଯାଏ। ତେଣୁ ଅଧିକ ଶୋଷ ଲାଗିଥାଏ। ଶୋଷ ଲାଗି ହାଲିଆ ହୋଇଯିବାରୁ ଲୋକମାନେ ସୋଡ଼ା, ଜୁସ୍ ବା ଚକୋଲେଟ୍ ପ୍ରଭୃତି ଖାଇଥାନ୍ତି। ଯାହାଦ୍ୱାରା ଶରୀରରେ ଶର୍କରାର ପରିମାଣ ବୃଦ୍ଧି ପାଏ। ପରୋକ୍ଷରେ ଏହା ସମସ୍ୟାକୁ ଆହୁରି ଅଧିକ ବୃଦ୍ଧି କରେ।
  • ହଠାତ୍ ଓଜନ କମିବା: ସମସ୍ତେ ଭାବନ୍ତି ଯେ ଅଧିକ ମୋଟା ଲୋକଙ୍କୁ ଡାଇବେଟିସ୍ ହୋଇଥାଏ। ପ୍ରକୃତରେ କିନ୍ତୁ ଓଜନ ସାମାନ୍ୟ ଭାବେ କମିବା ମଧୁମେହର ଲକ୍ଷଣ। ବାରମ୍ବାର ପରିସ୍ରା ଯିବା ଫଳରେ ରକ୍ତରୁ ଶର୍କରା ଜାତୀୟ ଅଂଶ କମିଯାଏ। ପୁଣି ଜଳୀୟ ଅଂଶର ଅଭାବ ହୋଇ ଓଜନ ହ୍ରାସ ପାଇଥାଏ।
  • ସମୟ ସମୟରେ ଏମିତି ହୁଏ ଯେ ଆପଣଙ୍କୁ ହଠାତ୍ ଅସହ୍ୟ ଭୋକ ଲାଗେ। ଏପରିକି ତୁରନ୍ତ କିଛି ନ ଖାଇଲେ ଚିଡ଼ ଚିଡ଼ ଲାଗିଥାଏ। ଏଭଳି ପରିସ୍ଥିତି ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ମଧୁମେହର ଅନ୍ୟ ଏକ ଲକ୍ଷ୍ୟଣ।
  • ମଧୁମେହର ଆଉ ଏକ ସୂଚନା ହେଲା ଖୁବ୍ ଶୀଘ୍ର ହାଲିକା ଲାଗିବା । ଏପରି ହେଲେ ବ୍ୟକ୍ତିକୁ ସବୁବେଳେ ଅବଶ ଅବଶ ଲାଗେ । କିଛି କାମ କରିବାକୁ ଇଚ୍ଛା ହୁଏ ନାହିଁ । ମୁଣ୍ଡ ବୁଲାଏ । ଟାଇପ୍-୨ ଡାଇବେଟିସ୍ର ଏହା ଅନ୍ୟତମ ପ୍ରମୁଖ ଲକ୍ଷଣ । ଏହାକୁ ଅବହେଳା କରନ୍ତୁ ନାହିଁ ।
  • ବାରମ୍ବାର ମୁଡ୍ ପରିବର୍ତ୍ତନ ହେବ: ମଧୁମେହ ରୋଗ ହୋଇଥିଲେ ବ୍ୟକ୍ତିର ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇ ନଥାଏ। ତେଣୁ ଅନେକ ସମୟରେ ବ୍ୟକ୍ତି ଜଣକ ଦୁଃଖୀ ଦୁଃଖୀ ରହିଥାନ୍ତି। କୌଣସି କାମରେ ମନ ଲାଗେ ନାହିଁ। ଏପରିକି ସୁଗାର ମାତ୍ରା ବଢ଼ିଗଲେ ମାନସିକ ଅବଶାଦ ମଧ୍ୟ ଦେଖାଯା। ବେଳେବେଳେ ଲୋକମାନେ ଏଥିପାଇଁ ମନସ୍ତତ୍ତ୍ୱବିତ୍‌ ସହ ପରାମର୍ଶ କରନ୍ତି। କିନ୍ତୁ ମଧୁମେହ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ଯାଇ ଆପଣ କିଛି ପରିମାଣରେ ରକ୍ଷା ପାଇପାରିବେ।
  • ମଧୁମେହର ପ୍ରଥମ ପର୍ଯାୟରେ ଆଖିକୁ ଜାଲିଜାଲୁଆ ଦିଶେ। ତେଣୁ ଏହାକୁ ଅବହେଳା କରନ୍ତୁ ନାହିଁ।
  • ଶରୀରରେ ଶର୍କରାର ମାତ୍ରା ଅଧିକ ହେବା ଫଳରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ତେଣୁ ଯେକୌଣସି ପ୍ରକାର କ୍ଷତ ବା ଖଣ୍ଡିଆ ହେଲେ ଜଲଦି ଶୁଖେନାହିଁ। ଯଦି ଆପଣଙ୍କର କୌଣସି କ୍ଷତ ଅଧିକ ଦିନ ଧରି ଶୁଖୁନଥାଏ ତା’ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Comment