ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ରାଜ୍ୟରେ ପଲିଥିନ୍‌ ବ୍ୟବହାରକୁ ନିଷେଧ କରାଯାଇଛି। ନିଷେଧ ସତ୍ତ୍ୱେ କଟକରେ ପଲିଥିନ୍(ଜରି) ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ପାନ ଦୋକାନ, ଜଳଖିଆ ଦୋକାନ, ହୋଟେଲ, ଢାବା, ତେଜରାତି ଦୋକାନ, ମାଛ ମାଂସ ଦୋକାନ, ପରିବା ଦୋକାନରେ ପଲିଥିନ୍ ବ୍ୟବହାର ହେଉଥିବାର ଅଭିଯୋଗ ହେଉଛି।

ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ପଲିଥିନ୍ ବ୍ୟବହାର ଉପରେ ଅଂକୁଶ ଲଗାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ସିଏମସି ପକ୍ଷରୁ ସ୍କ୍ୱାଡ୍ ଗଠନ କରି ପଲିଥିନ୍ ବ୍ୟବହାର କରୁଥିବା ଦୋକାନଗୁଡ଼ିକୁ ଯାଞ୍ଚ କରିବା ସହିତ ପଲିଥିନ୍ ଜବତ କରାଯାଉଛି।

ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯାଉଛି। ତଥାପି ସହରରେ ପଲିଥିନ୍ ବ୍ୟବହାର ଉପରେ ସଂପୂର୍ଣ୍ଣ ଲଗାମ୍ ଲାଗାଯାଇ ପାରୁନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏବେ ମଧ୍ୟ ବଜାରରେ ବହୁଳ ମାତ୍ରାରେ ପଲିଥିନ୍ ବ୍ୟବହାର କରାଯାଉଛି। ପ୍ରଶାସନର କଟକଣା କାମ କରୁନି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ସହରର କିଛି ବ୍ୟବସାୟ ପ୍ରତିଷ୍ଠାନ ଓ ବ୍ୟବସାୟୀଙ୍କୁ ବାଦ୍ ଦେଲେ ଅନ୍ୟ ସବୁ ସ୍ଥାନରେ ପଲିଥିନ୍‌ ବ୍ୟବହାର ହେଉଛି।

ପଲିଥିନ୍ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ସେହିପରି ସହରର ବହୁ ଡ୍ରେନରେ ପଲିଥିନ୍ ଜମା ହୋଇ ଆବର୍ଜନା ଜଳ ନିଷ୍କାସନରେ ମଧ୍ୟ ବାଧା ସୃଷ୍ଟି କରୁଛି। ବର୍ଷା ଋତୁରେ ବିଭିନ୍ନ ଡ୍ରେନରୁ ପଲିଥିନ୍ ସଫା କରାନଗଲେ, ବର୍ଷା ପାଣି ନିଷ୍କାସନ ପାଇଁ ବ୍ୟାଘାତ ହେବାର ମଧ୍ୟ ଆଶଙ୍କା ରହିଛି। ଏହାଛଡ଼ା ବୁଲା ଗାଈଗୋରୁମାନେ ମଧ୍ୟ ପଲିଥିନ୍‌କୁ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ସହରର ପ୍ରତ୍ୟେକ ୱାର୍ଡରେ ପଲିଥିନ୍ ବର୍ଜନ ପାଇଁ ସିଏମସି ପକ୍ଷରୁ ବହୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ପଲିଥିନ୍ ଜବତ କରିବାକୁ ସିଏମସି ପକ୍ଷରୁ ଚାରୋଟି ସ୍କ୍ୱାଡ୍ ଗଠନ କରାଯାଇଛି। ଗୋଟିଏ ସ୍କାଡ ଦାୟିତ୍ୱରେ ୧୫ଟି ୱାର୍ଡ ରହିଛି। ଏହି ସ୍କ୍ୱାଡରେ ସିଏମସିର ଜଣେ ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କୁ ସ୍କ୍ୱାଡର ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ସହାୟତା କରିବା ପାଇଁ ଅନ୍ୟ ୬ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଗତ ୬ ମାସ ମଧ୍ୟରେ ସିଏମସି ୫ କ୍ୱିଂଟାଲରୁ ଅଧିକ ପଲିଥିନ୍ ଜବତ କରିଛି। ପଲିଥିନ୍ ବ୍ୟବହାର କରୁଥିବା ଦୋକାନ ଉପରେ ସ୍କ୍ୱାଡ୍ ଚଢ଼ଉ କରିବା ସହ ତାଙ୍କଠୁ ଜରିମନା ଆଦାୟ କରାଯାଇଛି ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ନିୟମିତ ଭାବେ ଏହି ଯାଞ୍ଚ ହେଉନଥିବାରୁ ସହରରେ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲାଗି ପାରୁନଥିବା ସାଧାରଣରେ ଅଭିଯୋଗ ହେଉଛି।

“ପଲିଥିନ୍ ବ୍ୟବହାର ସମଗ୍ର ପରିବେଶ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ଏହାକୁ ରୋକିବା କ୍ଷେତ୍ରରେ ଆଇନ ସମ୍ମତ ଯେକୈାଣସି ପଦକ୍ଷେପ ନିଆଯାଉଛି ତାହା ସ୍ୱାଗତ ଯୋଗ୍ୟ। ତାହା କଡ଼ାକଡ଼ି ହେବା ଆବଶ୍ୟକ”, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରବୀନ୍ଦ୍ର ମହାନ୍ତି କହିଛନ୍ତି।

ପଲିଥିନ୍ ନିଷିଦ୍ଧ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏଥିରେ ଉଭୟ ଦୋକାନୀ ଓ ଗ୍ରାହକଙ୍କ ମାନସିକତାରେ ରହିବା ଉଚିତ ବୋଲି ବରିଷ୍ଠ ନାଗରିକ ଅନନ୍ତ ଚରଣ ସାହୁ କହିଛନ୍ତି।

ଖାଉଟିଙ୍କ ଚାହିଦା ଅନୁଯାୟୀ ପଲିଥିନ୍‌ ବିକଳ୍ପ ବନ୍ଦୋବସ୍ତ କରାଯିବା ସହିତ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comment