ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କୋରାପୁଟ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି କୌଶଲ୍ୟା ହିକ୍କା।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର ସଂକଳ୍ପକୁ ସାକାର କରିବା ସକାଶେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୋରାପୁଟ ଲୋକସଭା ଆସନରୁ କୌଶଲ୍ୟା ହିକ୍କାଙ୍କୁ ପ୍ରାର୍ଥୀ କରିଛନ୍ତି। ସେ ହେଉଛନ୍ତି ବର୍ତ୍ତମାନର ସାଂସଦ ଥିବା ଝିନ ହିକ୍କାଙ୍କ ପତ୍ନୀ।

ଆଗରୁ ରାଜନୀତିରେ ଅଭିଜ୍ଞତା କି ଆଗ୍ରହ ନଥିବା କୌଶଲ୍ୟା କୋରାପୁଟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରୁ ଲଢ଼ୁଛନ୍ତି ଯାହାକି ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତାଙ୍କ ବିରୋଧରେ ଅନ୍ୟ ଦଳରୁ ମହା ମହା ରଥୀ ଠିଆ ହୋଇଛନ୍ତି।

ଝିନଙ୍କ ପତ୍ନୀ ହେବା ସତ୍ତ୍ୱେ ସେ ରାଜନୀତିରେ ବିଶେଷ ଆଗ୍ରହ ଦେଖାଉନଥିଲେ କି ଦଳୀୟ କାର୍ଯ୍ୟକ୍ରମ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା। ଏଣୁ ଦଳୀୟ କର୍ମୀ ତାଙ୍କୁ ଚିହ୍ନି ବି ନାହାନ୍ତି। ଏହି ପରିସ୍ଥିତିରେ ନିର୍ବାଚନ ବୈତରଣୀ ପାର ହେବା କୌଶଲ୍ୟାଙ୍କ ପକ୍ଷରେ କଷ୍ଟ ହେବ ବୋଲି ଆଲୋଚନା ହେଉଛି। ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗି ଓ କଂଗ୍ରେସର ସପ୍ତଗିରି ଉଲାକାଙ୍କ ସହ କୌଶଲ୍ୟା ନିର୍ବାଚନ ଲଢ଼ୁଛନ୍ତି।

କୌଶଲ୍ୟା ଭୁବନେଶ୍ୱର ୟୁନିଟ -୧ ହାଇସ୍କୁଲର ଶିକ୍ଷୟିତ୍ରୀ ଥିଲେ। ପୂର୍ବରୁ ସେ ଲକ୍ଷ୍ମୀପୁରରେ ଚାକିରିକରୁଥିଲେ। ୨୦୧୨ ମସିହାରେ ମାଓବାଦୀମାନେ ତାଙ୍କ ସ୍ୱାମୀଙ୍କୁ ଅପହରଣ କରିନେବା ପରେ ସୁରକ୍ଷା କାରଣରୁ ସେ ଭୁବନେଶ୍ୱର ବଦଳି ହୋଇ ଆସିଥିଲେ।

ସେହି ଘଟଣା ପରେ ହିଁ କୌଶଲ୍ୟାଙ୍କୁ ଲୋକେ ପ୍ରଥମ ଥର ପାଇଁ ଜାଣିଲେ। ଝିନଙ୍କ ସ୍ଥାନରେ କୌଶଲ୍ୟାଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡିର ସ୍ଥାନୀୟ କର୍ମୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଖାଲି କର୍ମୀ ନୁହନ୍ତି, ଜିଲ୍ଲାର ବଡ଼ ବଡ଼ ନେତା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କୋରାପୁଟ ଆସନକୁ ଗିରିଧର ଗମାଙ୍ଗ ୨୦୦୯ ପର୍ଯ୍ୟନ୍ତ ନିଜ କବଜାରେ ରଖିଥିଲେ। ସେହି ବର୍ଷ ସେ ବିଜେଡିର ଜୟରାମ ପାଙ୍ଗୀଙ୍କଠାରୁ ହାରି ଯାଇଥିଲେ। ୨୦୧୪ରେ ଝିନ ହିକ୍କା ଏହି ଆସନରୁ ଜିତି ପାର୍ଲାମେଣ୍ଟ ଯାଇଥିଲେ। ୨୦୧୯ରେ ହାରିବାର ଆଶଙ୍କା ଦେଖି ଝିନଙ୍କ ସ୍ଥାନରେ ବିଜେଡି ଏଥର ତାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି।

ଭୋଟ ଦାନ ଆଉ ମାତ୍ର ୪ ଦିନ ଥିବା ବେଳେ ବିଜେଡିର ପ୍ରଚାର ପୂରା ପଛରେ ପଡିଯାଇଥିବା ଲକ୍ଷ୍ୟ କରାଯାଇଛି। ତା’ଛଡ଼ା କୌଶଲ୍ୟାଙ୍କ ଟିକେଟକୁ ନେଇ କୋରାପୁଟ ବିଜେଡିରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଥିବା କୁହାଯାଇଛି। ଏଣେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟପୁର ସଭା ପରେ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇ ପଡ଼ିଥିବା ଦେଖାଯାଉଛି।

କୋରାପୁଟ ଆସନରେ କନ୍ଧ ସମ୍ପ୍ରଦାୟର ଲୋକମାନେ ହିଁ ନିର୍ଣ୍ଣାୟକ ହେବେ। ଏଣୁ  ଲଢ଼େଇଟି ମୁଖ୍ୟତଃ କୌଶଲ୍ୟା ଓ ଜୟରାମ ପାଙ୍ଗୀଙ୍କ ଭିତରେ ହିଁ ହେବା ସ୍ପଷ୍ଟ ଦେଖାଯାଉଛି।

Comment