ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ବାଉନ ବଜାର ତେପନ ଗଳିର ସହର ହେଉଛି କଟକ। ଭାଇଚାରାର ସହର କଟକରେ ଧନୀ ହେଉ ବା ଗରୀବ ସମସ୍ତଙ୍କୁ ଏଠାରେ ମିଳିଥାଏ ଉପଯୁକ୍ତ ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ସହିତ ବଂଚିବାର ଅଧିକାର। ଏହାଛଡା କଟକ ହେଉଛି ସ୍ୱପ୍ନର ସହର। ଆଖିରେ ମେଞ୍ଚାଏ ସ୍ୱପ୍ନ ନେଇ  ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଏଠାକୁ ଆସିଥାନ୍ତି ଜୀବିକା ଅନ୍ୱେଷଣରେ। ଦିନମଜୁରିଆ ଠାରୁ ଆରମ୍ଭ କରି ସହରରେ ଛୋଟ ବଡ ବିଭିନ୍ନ କାମ କରି ବହୁ ଲୋକ ପରିବାର ପ୍ରତିପୋଷଣ କରିବା ସହିତ ଏଠାରେ ବସବାସ କରିଥାନ୍ତି।

ଏଥିପାଇଁ ସହରର ବିଭିନ୍ନ ଅଞ୍ଚଳରେ ଗଢିଉଠିଛି ଏକାଧିକ ବସ୍ତି। କଟକ ମହାନଗର ନିଗମର ମୋଟ ୫୯ ୱାର୍ଡ ମଧ୍ୟରୁ ପ୍ରାୟ ୩୫ଟି ୱାର୍ଡରେ ବସ୍ତି ବାସିନ୍ଦାଙ୍କ ସଂଖ୍ୟା କିଛି କମ୍ ନୁହେଁ। କଟକରେ ପ୍ରାୟ ଦୁଇ ଲକ୍ଷ ବସ୍ତି ବାସିନ୍ଦା ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ଏବେ ଏକଲକ୍ଷରୁ ଅଧିକ ଭୋଟର ହୋଇଗଲେଣି। ଏଥିନିମନ୍ତେ ବସ୍ତି ଭୋଟ ହାତେଇବା ପାଇଁ ପ୍ରାୟତଃ ସବୁ ରାଜନୈତିକ ଦଳ ଆପ୍ରାଣ ଉଦ୍ୟମ କରିଥାନ୍ତି।

କଟକ ମହାନଗର ନିଗମ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, କଟକରେ ମୋଟ ୩୦୯ଟି ବସ୍ତି ରହିଛି। ସେହି ମଧ୍ୟରୁ ୨୦୦ଟି ପଞ୍ଜିକୃତ ବସ୍ତି ହୋଇଥିବା ବେଳେ ୧୦୯ଟି ଅଣପଞ୍ଜିକୃତ ବସ୍ତି ବୋଲି ଜଣାପଡ଼ିଛି।

କଟକ ସହରର- ସିଡିଏ କାଠଯୋଡ଼ି ବିହାର, ଗଡ଼ଗଡ଼ିଆ ପଠା, ବିଦ୍ୟାଧରପୁର, ସେକ୍ଟର ୧୩ ଆଦିବାସୀ ବସ୍ତି, ନେତାଜୀ ନଗର କାଳୀ ବିହାର, ପିଲିଗ୍ରୀମ ରୋଡ, ନଜରପୁର, ବାଲିସାହି, ଖାନନଗର, ହରିଣପାର୍କ ,ମହାନଦୀ ପଠା, ରାଣିହାଟ ମଙ୍ଗଳା ବସ୍ତି , ବିସି ନଗର, ଅନ୍ଦର ପୁର, ନିମପୁର ତଅଁଳା ସାହି, ନରାଜ ଭଳି ଅନେକ ବସ୍ତି ରହିଛି।

କଟକ ସହରରେ ଆଗାମୀ ନିର୍ବାଚନରେ ବସ୍ତି ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ।

ଏଥର ଦୂର ହେବକି ସ୍ଥାୟୀ ଥଇଥାନ ପ୍ରସଙ୍ଗ

କଟକ ମହାନଗର ନିଗମର ୨୭ଟି ୱାର୍ଡକୁ ନେଇ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ। ଏହି ବିଧାନସଭା କ୍ଷେତ୍ରରେ ସର୍ବାଧିକ ବସ୍ତି ରହିଛି। ବସ୍ତି ବାସିନ୍ଦାମାନେ ଚାଉଳ ଓ ଭତ୍ତା ସମେତ ଅନେକ ସରକାରୀ ସୁବିଧା ପାଉଛନ୍ତି ବୋଲି କହିଛନ୍ତି। ବିଜୁଳି ଓ ପାଣି ଭଳି ମୌଲିକ ସୁବିଧା ସେମାନଙ୍କୁ ଉପଲବ୍ଧ ହେଉଛି। ସ୍ଥାୟୀ ଥଇଥାନ ବସ୍ତି ବାସିନ୍ଦାମାନଙ୍କର ପ୍ରମୁଖ ସମସ୍ୟା ବୋଲି ଜଣା ପଡିଛି।

ସେହିପରି ଚୌଦ୍ୱାର- କଟକ ବିଧାନସଭା ନିର୍ବାଚନ ମଣ୍ଡଳି ଅଧିନରେ ମଧ୍ୟ ବସ୍ତି ସମୂହ ରହିଛି। ଏଠାରେ ଥିବା ବସ୍ତି ବାସିନ୍ଦାମାନେ ମଧ୍ୟ ସରକାରୀ ଯୋଜନା ଅନୁଯାୟୀ ପାଣି, ବିଜୁଳି, ଭତ୍ତା, ଚାଉଳ, ଅଙ୍ଗନବାଡି କେନ୍ଦ୍ର ଭଳି ବହୁ ମୌଳିକ ସୁବିଧା ପାଉଥିବାର ଜଣାପଡିଛି। ହେଲେ ଥଇଥାନ ଏକ ବଡ ସମସ୍ୟା ବୋଲି ଜଣାପଡିଛି ।

କାଠଯୋଡ଼ି ବିହାର ବସ୍ତିରେ ୩୦ ବର୍ଷ ଧରି ବସବାସ କରୁଥିବା କୈଳାସ ବେହେରା କହିଛନ୍ତି- ବସ୍ତିରେ ବହୁତ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି। ପିଇବା ପାଣି, ବିଜୁଳି, ରାସନକାର୍ଡ, ଭତ୍ତା, ଏଲିଡି ବଲ୍ବ, ଅଙ୍ଗନବାଡି କେନ୍ଦ୍ର ଭଳି ବହୁ ସୁବିଧା ମିଳିଛି। ଥଇଥାନ ଓ ବସ୍ତିରେ ପକ୍କା ରାସ୍ତା ଭଳି ସମସ୍ୟା ରହିଛି।

ଦିନ ମଜୁରିଆ ଭାବେ କାମ କରୁଥିବା ନେତାଜୀ ନଗର ବସ୍ତିର ହରିହର ସାହୁଙ୍କ କହିବା ଅନୁସାରେ ସରକାରୀ ସୁବିଧା କିଛି ମିଳିଛି, ହେଲେ ସେ ରାସନକାର୍ଡରୁ ବଞ୍ଚିତ ହୋଇଛନ୍ତି। ଝୋପଡି ଘର କରି ସେ ରହୁଛନ୍ତି। ସରକାରୀ ଘର ଖଣ୍ଡେ ଏଯାଏ ମିଳିନି। ନଳକୂଅ ପାଣି ଉପରେ ବସ୍ତି ବାସିନ୍ଦା ନିର୍ଭର କରୁଛନ୍ତି ବୋଲି ସେ କହିଛନ୍ତି।

ଜାଗା ମିଶନରେ ଭୂମିହୀନ ବସ୍ତି ବାସିନ୍ଦାମାନଙ୍କୁ ସରକାରଙ୍କ ତରଫରୁ ୩୨୩ ବର୍ଗ ଫୁଟର ଘର ଯୋଗାଇ ଦିଆଯାଉଥିବା ବେଳେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ରହିଛି ବୋଲି ଜଣାପଡିଛି। ପାନୀୟ ଜଳ ସମସ୍ୟା ବିଶେଷ ଭାବେ ନଥିବା ବେଳେ ଶୌଚାଳୟ ବସ୍ତି ବାସିନ୍ଦାଙ୍କ ପାଇଁ ଆଉ ଏକ ମୌଳିକ ସମସ୍ୟା ରହିଛି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏମାନଙ୍କ ନିକଟରେ ଅପହଂଚ। ସେଥିପାଇଁ ସମାଜର ମୁଖ୍ୟ ସ୍ରୋତରେ ଏମାନେ ସାମିଲ ହୋଇପାରୁନାହାନ୍ତି ବୋଲି ଜଣାପଡିଛି। ଥଇଥାନ ବ୍ୟବସ୍ଥା ବସ୍ତି ବାସିନ୍ଦାମାନଙ୍କ ପାଇଁ ପ୍ରମୁଖ ସମସ୍ୟା ଭାବେ ରହିଛି।

ବସ୍ତି ଭୋଟ ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ହାରଜିତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସମ୍ଭାବନା ରହିଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comment