ଓଡ଼ିଶାଲାଇଭ୍ ବ୍ୟୁରୋ

  • ପେଟ୍ରୋଲ ଟାଙ୍କି ପରିସରରେ ବାଇକ ଉପରେ ଚଢ଼ିଗଲା ଟ୍ରକ
  • ଝିଅ ମୃତ, ବାପା-ପୁଅ ଗୁରୁତର
  • କଟକ ବଡ଼ ମେଡ଼ିକାଲରେ ବାପା-ପୁଅ
  • ଅଳ୍ପକେ ବର୍ତ୍ତି ଗଲେ ମାଆ ରଞ୍ଜିତା

ନୟାଗଡ଼ ଘଡୁଆଳ ଛକ ପେଟ୍ରୋଲ ଟାଙ୍କି ନିକଟରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଟାଙ୍କିରୁ ତେଲ ପକାଇ ଆସୁଥିବା ବାଇକ ଉପରେ ଗୋଟିଏ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଲକ୍ଷ୍ମୀ ମହାରଣା (୯)।

ଘଟଣାଟି ଥିଲା ଏମିତି। ନୟାଗଡ଼ ସହରର ବ୍ରଜେନ୍ଦ୍ର ହାଇସ୍କୁଲରେ ଆଜି ଥିଲା ନବୋଦୟ ବିଦ୍ୟାୟଳର ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଲାଠିପଡ଼ା ଗାଁର ଲକ୍ଷ୍ମୀ ମହାରଣା ବାପା ସାଗର ମହାରଣାଙ୍କ ସହ ପରୀକ୍ଷା ଦେବାକୁ ଆସିଥିଲେ। ସାଙ୍ଗରେ ମା’ ରଞ୍ଜିତା ଏବଂ ଭାଇ ଚିନ୍ମୟ ମଧ୍ୟ ଆସିଥିଲେ।

ପରୀକ୍ଷା ଶେଷ ହୋଇଥିଲା ଅପରାହ୍ଣ ସାଢ଼େ ୧ଟାରେ। ଗୋଟିଏ ବାଇକରେ ବାପା, ମାଆ, ପୁଅ ଏବଂ ଝିଅ ଇଟାମାଟି ଅଭିମୁଖେ ଫେରୁଥିଲେ। ଘଡୁଆଳ ଛକ ପେଟ୍ରୋଲ ଟାଙ୍କିରେ ସାଗର ବାଇକରେ ତେଲ ପକାଇଥିଲେ। ତେଲ ପକାଇ ଟାଙ୍କି ପରିସରରୁ ବାହାରିବା ବେଳେ ଘଟିଥିଲା ଭୟଙ୍କର ଦୁର୍ଘଟଣା।

ବାଇକଟି ଟାଙ୍କିରୁ ରାସ୍ତାକୁ ବାହାରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ୧୦ ଚକିଆ ଟ୍ରକ (ନମ୍ବର : ଓଡ଼ି ୦୯-ଜେ ୩୦୧୫) ସିଧା ବାଇକ ଉପରେ ଚଢ଼ି ଯାଇଥିଲା। ଟ୍ରକର ଚକା ଝିଅ ଲକ୍ଷ୍ମୀଙ୍କ ମୁଣ୍ଡରେ ଚଢ଼ି ଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସାଗର ଓ ପୁଅ ଚିନ୍ମୟଙ୍କ ଗୋଡ଼ରେ ଟ୍ରକ ଚଢ଼ି ଯାଇଥଇବାରୁ ଗୁରୁତର ଆହତ ହୋଇଥିଲେ। ମାଆ ରଞ୍ଜିତା ବାଇକ ପଛରେ ବସିଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ଖବର ପାଇ ଟାଙ୍କି ପରିସର ଲୋକାରଣ୍ୟ ହୋଇ ଯାଇଥିଲା।

ବାଇକଟିକୁ ଧକ୍କା ଦେବା ପରେ ଟ୍ରକଟି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ନୟାଗଡ଼ ସଦର ଥାନାରେ ଟ୍ରକ ସହ ଡ୍ରାଇଭର ଆତ୍ମସମର୍ପଣ କରିଥିଲେ। ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଦୁର୍ଘଟଣା ଘଟିଥିବାରୁ ସଦର ଥାନା ପୋଲିସ ଟାଉନ ଥାନା ପୋଲିସକୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଏବଂ ଡ୍ରାଇଭରକୁ ହସ୍ତାନ୍ତର କରିଛି।

Comment