ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଅନେକ ମନ୍ଦିର ଅଛି, ଯାହା ସହିତ ଅନେକ ରହସ୍ୟ ଯୋଡ଼ି ହୋଇ ରହିଛି। ତେବେ ଏପରି ଏକ ରହସ୍ୟମୟ ମନ୍ଦିର ଉତ୍ତରପ୍ରଦେଶ କାନପୁରଠାରେ ଅବସ୍ଥିତ, ଯେଉଁ ମନ୍ଦିର ବର୍ଷାର ସଙ୍କେତ ଦେଇଥାଏ। କୁହାଯାଏ, ଯଦି ବର୍ଷା ହେବାକୁ ଥାଏ ଉତ୍ତପ୍ତ ଖରାରେ ମଧ୍ୟ ମନ୍ଦିର ଛାତରୁ ପାଣି ପଡ଼ିଥାଏ। ଯେବେ ବର୍ଷା ହେବା ଆରମ୍ଭ ହୋଇଥାଏ, ମନ୍ଦିର ଛାତ ଶୁଖିଲା ହୋଇଯାଏ।

ଏହି ମନ୍ଦିର କାନପୁର ଭିତରଗାଁରୁ ୩ କିଲୋମିଟର ଦୂର ସସ୍ଥିବେହେତା ଗାଁରେ ଅବସ୍ଥିତ।

ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୂଜାପାଇଥାଆନ୍ତି। ଏଠାକାର ଲୋକ କହିଥାନ୍ତି,  ବର୍ଷା ହେବାର ୭ ଦିନ ପୂର୍ବରୁ ମନ୍ଦିର ଛାତରୁ ପାଣି ପଡ଼ିଥାଏ। କିନ୍ତୁ ସବୁଠୁ ରହସ୍ୟଜନକ କଥା ହେଲା, ବର୍ଷା ହେବା ମାତ୍ରେ ମନ୍ଦିର ଛାତ ଶୁଖିଯାଏ। ଏହାର ରହସ୍ୟ ମନ୍ଦିର ପୂଜାରୀଙ୍କୁ ମଧ୍ୟ ଜଣାନଥିବା ସେ କହିଛନ୍ତି।

ପୁରୀରେ ରଥ ଯାତ୍ରା ପାଳନ ହେଲା ପରି ଏହି ଗ୍ରାମରେ ମଧ୍ୟ ସମସ୍ତ ଲୋକମାନେ ମିଶି ରଥ ଯାତ୍ରା ପାଳନ କରିଥାନ୍ତି। ଏହି ମନ୍ଦିର ସହ ଲୋକମାନଙ୍କର ଗଭୀର ଆତ୍ମବିଶ୍ୱାସ ମଧ୍ୟ ରହିଛି। ସର୍ବଦା ଏଠାରେ ଲୋକମାନଙ୍କର ଭିଡ଼ ଲାଗି ରହିଥାଏ। ଏଠାକାର ଲୋକମାନଙ୍କ ମତ ଅନୁଯାୟୀ ବର୍ଷା ହେବାର ଛଅ-ସାତ ଦିନ ପୂର୍ବରୁ ମନ୍ଦିରର ଛାତରୁ ପାଣି ପଡ଼ିଥାଏ। ଖାଲି ଏତିକି ନୁହେଁ ଯେଉଁ ଆକାରର ପାଣି ତଳେ ପଡ଼ିଥାଏ, ସେହି ଆଧାରରେ ବର୍ଷା ହୋଇଥାଏ। ସବୁଠାରୁ ଆଶ୍ଚଯ୍ୟକର କଥା ହେଉଛି ଏଠାରେ ବର୍ଷା ଆରମ୍ଭ ହେବା ମାତ୍ରେ ମନ୍ଦିରର ଛାତ ସମ୍ପୂର୍ଣ୍ଣ ରୂପେ ଶୁଖି ଯାଇଥାଏ।

ଏହି ମନ୍ଦିର କେତେ ପ୍ରାଚୀନ, ଏହାର ଛାତରୁ କିପରି ପାଣି ପଡ଼ିଥାଏ ଏବଂ କାହିଁକି ବନ୍ଦ ହୋଇଯାଇଥାଏ, ଏହି ବିଷୟରେ ଆଜି ପର୍ଯ୍ୟନ୍ତ ଅନୁସନ୍ଧାନ ହୋଇପାରିନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ ମନ୍ଦିରର ପୂଜାରୀ କହିଛନ୍ତି- ପୁରାତତ୍ତ୍ବ ବିଭାଗର ବୈଜ୍ଞାନିକମାନେ ଅନେକ ଥର ଏଠାକୁ ଆସିବା ପରେ ମଧ୍ୟ ଏହାର ରହସ୍ୟ ବିଷୟରେ ଜାଣିବା ପାଇଁ ଅସଫଳ ହୋଇଛନ୍ତି। କିନ୍ତୁ ବୈଜ୍ଞାନିକମାନଙ୍କ ଠାରୁ ଏତିକି ଜାଣିବାକୁ ମିଳିଛି ଏହି ମନ୍ଦିର ସମ୍ରାଟ ଅଶୋକଙ୍କ ଶାସନ କାଳରେ ନିର୍ମାଣ କରାଯାଇଥିଲା। ମନ୍ଦିର ବୌଦ୍ଧ ମଠ ଭଳି ତିଆରି କରାଯାଇଛି, ଯାହାର କାନ୍ଥ ୧୪ ଫୁଟ ମୋଟା ରହିଛି।

Comment