ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜମୁଛି ପ୍ରଚାର। ନେତା-ଅଭିନେତା ହୋଇଛନ୍ତି ମୁହାଁମୁହିଁ। ବିଜେପିର ହେବିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ଅନୁଭବ ମହାନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମଙ୍ଗଳବାର ଦିନ ଅନୁଭବ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାଥିପତ୍ର ଦାଖଲ କରିବା ସହ ସତ୍ୟପାଠ ଦାଖଲ କରିଥିଲେ। ଏହି ସତ୍ୟପାଠରୁ ହିଁ ଜଣାପଡ଼ିଛି ଅନୁଭବ କେତେ ସମ୍ପତ୍ତିର ମାଲିକ

ସତ୍ୟପାଠରୁ ଜଣାପଡ଼ିଛି ଯେ ଅନୁଭବଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୪ ଲକ୍ଷ ୯୬ ହଜାର ୧୧୦ ଟଙ୍କା। ସେହିପରି ସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୭୨ ଲକ୍ଷ ୫୦ ହଜାର ଟଙ୍କା। ୧୮ ଲକ୍ଷ ୯୦ ହଜାର ଟଙ୍କାର ସୁନା ଅଳଙ୍କାର ରହିଥିବା ଜଣାପଡ଼ିଛି।

ଏହାଛଡ଼ା ଅନୁଭବଙ୍କ ପାଖରେ ନଗଦ ୪ ଲକ୍ଷ ଟଙ୍କା ରହିଥିବା ବେଳେ ୪୧ ଲକ୍ଷ ୩୩ ହଜାର ୫୦୬ ଟଙ୍କା ଋଣ କରିଛନ୍ତି ଅନୁଭବ।

ବିଭିନ୍ନ ବ୍ୟାଙ୍କରେ ଜମାରାଶି ବାବଦକୁ ୬ ଲକ୍ଷ ୬୮ ହଜାର ୧୫୫ ଟଙ୍କା ରହିଥିବା ବେଳେ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ କମ୍ପାନିରେ ୧୪ ଲକ୍ଷ ୯୭ ହଜାର ୯୫୫ ଟଙ୍କା ନିବେଶ କରିଥିବା ସତ୍ୟପାଠରେ ଅନୁଭବ ଉଲ୍ଲେଖ କରିଛନ୍ତି।

ବୈଜୟନ୍ତଙ୍କ ସମ୍ପତ୍ତି

ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କର ୩୫ କୋଟି ୨୮ ଲକ୍ଷ ୭୬ ହଜାର ୩୧୨ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ୧୨ କୋଟି ୪୭ ଲକ୍ଷ ୪୮ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।

ବୈଜୟନ୍ତ ତାଙ୍କ ସତ୍ୟପାଠରେ ଦେଢ଼ ଲକ୍ଷ ଟଙ୍କାର ଏକ ଗାଡ଼ି ରହିଥିବା ଦର୍ଶାଇଥିବା ବେଳେ ୬ ଲକ୍ଷ ୪୬ ହଜାର ୧୧୦ ଟଙ୍କାର ଅଳଙ୍କାର ଓ ଅନ୍ୟାନ୍ୟ ଦାମୀ ଜିନିଷ ରହିଥିବା ଦର୍ଶାଇଛନ୍ତି। ତାଙ୍କ ପାଖରେ ନଗଦ ୯୩ ହଜାର ୩୯୯ ଟଙ୍କା ରହିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି।

ନିଜ ପରିବାର ମାଲିକାନାରେ ଥିବା ଇମ୍ଫା କମ୍ପାନିରୁ ୬ ଲକ୍ଷ ଟଙ୍କା ଋଣ କରିଥିବା ବୈଜୟନ୍ତ ଦର୍ଶାଇଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୭ କୋଟି ୭ ଲକ୍ଷ ୩୬ ହଜାର ୯୧ ଟଙ୍କା ଜମା ରହିଥିବା ଜଣାପଡ଼ିଛି।

ବିଭିନ୍ନ କମ୍ପାନି ଓ ମ୍ୟୁଚୁଆଲ ଫଣ୍ଡରେ ୨୭ କୋଟି ୧୨ ଲକ୍ଷ ୭୪ ହଜାର ୭୯୦ ଟଙ୍କା ନିବେଶ କରିଛନ୍ତି ବୈଜୟନ୍ତ।

Comment