ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନର ମହାସମର ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟର ଗୁରୁବାର ମତଦାନ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତା ପ୍ରଚାର ଜୋର କରିଛନ୍ତି।

ଏହି ମଧ୍ୟରେ କ୍ରିକେଟ ଖେଳାଳିରୁ ନେତା ହୋଇଥବା ଗୌତମ ଗମ୍ଭୀର ଜମ୍ମୁ କଶ୍ମୀରର ଉଧମନଗରରେ ନିର୍ବାଚନୀ ସଭା କରିଛନ୍ତି। ଏହି ସଭାରେ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଗୌତମ।

“ମେହବୁବା ମୁଫ୍‌ତୀ ମତେ ବ୍ଲକ କରିଦେଇପାରନ୍ତି। ହେଲେ ଦେଶର ୧୩୦ କୋଟି ଲୋକଙ୍କୁ ବ୍ଲକ କରିପାରିବେ ନାହିଁ। ଦେଶରେ ଯେଉଁ ଲହରୀ ଜାରି ରହିଛି ତାକୁ ଅଟକାଇ ପାରିବେ ନାହିଁ। ୨୦୧୪ରେ ବିକାଶ ନାଁରେ ଯେଉଁ ଲହରୀ ଥିଲା ତା’ ଏବେ ସୁନାମି ହୋଇସାରିଛି”। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଗୌତମ ଏହା କହିଛନ୍ତି।

ଖବର ଅନୁସାରେ ନିକଟରେ ମେହବୁବା ମୁଫ୍‌ତି ଟୁଇଟରରେ ଗୌତମଙ୍କୁ ବ୍ଲକ କରିଦେଇଥିଲେ। ଜମ୍ମୁ କଶ୍ମୀରକୁ ନେଇ ଟୁଇଟରରେ ଚାଲିଥିବା ବୟାନବାଜି ରେ ମେହବୁବା ଓ ଗୌତମ ମୁହାଁମୁହିଁ ହୋଇଥିଲେ। ଏହାପରେ ମେହବୁବା ଗୌତମଙ୍କୁ ବ୍ଲକ କରିଦେଇଥିଲେ।

ନିକଟରେ ଗୌତମ ଗମ୍ଭୀର ବିଜେପିରେ ସାମିଲ ହୋଇଥିଲେ। ସେ ଦିଲ୍ଲୀରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ହେଉଥିଲା।

Comment