ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ବେଳେ ଇଲେକ୍ଟରାଲ ବଣ୍ଡ ବିକ୍ରି ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ।

ଚାନ୍ଦା ବାବଦରେ କେଉଁ ରାଜନୈତିକ ଦଳ କାହାଠୁ କେତେ ଟଙ୍କା ଆଣିଛନ୍ତି? ଏହାର ଟିକିନିଖି ହିସାବ ଦେବାକୁ ସୁପ୍ରିମକୋର୍ଟ ସବୁ ରାଜନୀତିକ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୩୦ ସୁଦ୍ଧା ଚାନ୍ଦାର ବିବରଣୀ ବନ୍ଦ ଲାଫାପାରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଏହାସହ ଚାନ୍ଦା ଦେଇଥିବା ବ୍ୟକ୍ତି ଏବଂ ସଂସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ। ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ନାମ, ଠିକଣା ଓ ବ୍ୟାଙ୍କ ଆକାଉଣ୍ଟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ବେଳେ ଇଲେକ୍ଟରାଲ ବଣ୍ଡ ବିକ୍ରି ନକରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଇଲେକ୍ଟରାଲ ବଣ୍ଡ ଜରିଆରେ ବିଭିନ୍ନ ରାଜନୀତିକ ଦଳମାନଙ୍କୁ ଚାନ୍ଦା ଆସୁଛି। ବିଭିନ୍ନ ପଞ୍ଜିକୃତ ବ୍ୟାଙ୍କରେ ୧ ହଜାର, ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କାର ଇଲେକ୍ଟରାଲ ବଣ୍ଡ ବିକ୍ରି ହେଉଛି। ବ୍ୟାଙ୍କରୁ ଏହି ବଣ୍ଡ କିଣି ଯେ କୌଣସି ବ୍ୟକ୍ତି ରାଜନୀତିକ ଦଳମାନଙ୍କୁ ଚାନ୍ଦା ଆକାରରେ ଦେଉଛନ୍ତି।

ତେବେ ଏହି ଇଲେକ୍ଟରାଲ ବଣ୍ଡର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ୨୦୧୮ ସେପ୍ଟେମ୍ବରରେ ସିପିଏମ୍ ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପରେ ଆସୋସିଏସନ ପର ଡେମୋକ୍ରାଟିକ ରିଫର୍ମ (ଏଡିଆର୍) ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା। ଏହାକୁ ଆଧାର କରି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ଏବଂ ମେ’ ୩୦ ସୁଦ୍ଧା କେଉଁ ଦଳ କେତେ ଚାନ୍ଦା ପାଇଛନ୍ତି ତାର ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ ପଞ୍ଜିକୃତ ରାଜନୀତିକ ଦଳ ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ୧ ପ୍ରତିଶତ ଭୋଟ ପାଇଥିଲେ ସେମାନେ ଇଲେକ୍ଟରାଲ ବଣ୍ଡ ଜରିଆରେ ଚାନ୍ଦା ନେଇ ପାରିବେ। ବଣ୍ଡ କିଣିବାର ୧୫ ଦିନ ଯାଏଁ ଏହାର ଅବଧି ରହିଛି।

Comment