ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ରୁକୁଣା ରଥ ଯାତ୍ରା ପାଇଁ ଆଜି ଉତ୍ସବମୁଖର ହୋଇ ଯାଇଥିଲା ଏକାମ୍ର କ୍ଷେତ୍ର। ଶ୍ରଦ୍ଧାଳୁମାନଙ୍କ ଭିଡ଼ରେ ଏକାକାର ହୋଇ ଯାଇଥିଲା ରଥ ଓ ପଥ।

ଭୋର ୫ଟାରୁ ଠାକୁରଙ୍କର ଅବକାଶ, ମଙ୍ଗଳ ଆଳତୀ ଆଦି ନୀତି ଆରମ୍ଭ ହୋଇଥିଲା।ଅପରାହ୍ଣ ୧ଟା୪୫ରୁ ୪ଟା ମଧ୍ୟରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥଟଣା ହୋଇଥିଲା। କିନ୍ତୁ ନୀତିକାନ୍ତିରେ ବିଳମ୍ବ ହୋଇଥିବାରୁ ଆଜି ରଥ ଟଣାରେ ବି ବିଳମ୍ବ ହୋଇଥିଲା।

ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ବଢ଼େଇବାଙ୍କ ଛକ ପୂର୍ବରୁ ଅଟକି ରହିଛି। ରବିବାର ସାଢ଼େ ୨ଟାରୁ ରଥ ଟଣା ହେବ ବୋଲି ଜଣାପଡ଼ିଛି।

ରୁକୁଣା ରଥଯାତ୍ରା ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ  ଜୟକୃଷ୍ଣ ଦାସ କହିଛନ୍ତି, ‘‘ରୁକୁଣା ରଥ ଅଣଲେଉଟା। ପୁରୀରେ ଯେଉଁ ରଥଯାତ୍ରା ହୁଏ ସେଠାରେ ବହୁଡ଼ା ଯାତ୍ରା ଅବ୍ୟବହିତ ପୂର୍ବରୁ ରଥକୁ ଦକ୍ଷିଣମୋଡ଼ କରାଯାଇଥାଏ। କିନ୍ତୁ ଏଠାରେ ରଥର ମୋଡ଼କୁ ପରିବର୍ତ୍ତନ କରାଯାଏ ନାହିଁ। କେବଳ ପ୍ରଭୁଙ୍କ ଆସ୍ଥାନକୁ ବଦଳା ଯାଇଥାଏ।’’

ରୁକୁଣା ରଥଯାତ୍ରାରେ ସ୍ଥାନୀୟ ଲୋକଙ୍କ ସମେତ ବିଦେଶୀ ପର୍ଯ୍ୟଟକଙ୍କୁ ବି ଦେଖିବାକୁ ମିଳିଥିଲା। ରୁକୁଣା ରଥଯାତ୍ରା ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ ବିଦେଶୀ ପର୍ଯ୍ୟଟକ।

‘‘ଏଇ ନିକଟରେ ମୁଁ ଭୁବନେଶ୍ୱର ଆସିଛି। ଏହି ଯାତ୍ରା ଦେଖି ମୁଁ ବହୁତ ଖୁସି। ଆଗକୁ ସୁଯୋଗ ମିଳିଲେ ମୁଁ ପୁଣି ଆସିବି’’, କହିଛନ୍ତି ସ୍ପେନରୁ ଆସିଥିବା ଇମାନୁଏଲ।

ରଥଯାତ୍ରାରେ ସେଲ୍ପି କ୍ରେଜ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ରଥ ସହ ସେଲଫି ନେଇ ମଜା ଉଠାଇଥିଲେ। ଆଉ କିଛି ଯୁବକ ଶ୍ରଦ୍ଧାଳୁମାନଙ୍କୁ ପାଣି ଓ ଦହି ସରବତ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା।

ରୁକୁଣା ରଥଯାତ୍ରାରେ ନେତାଙ୍କ ଭିଡ଼ ଲାଗିଥିଲା। ବରିଷ୍ଠ ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା, ପ୍ରସନ୍ନ ପାଟ୍ଟାଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା।

Comment